ପ୍ରିୟତମା
ପ୍ରିୟତମା


ପ୍ରୀତିମୟୀ ସିଏ ମୋ ମନ ତଳର
ଯଜ୍ଞବେଦୀ ପରେ ବସି
ପ୍ରଣୟ ସାଗରେ ଭସାଏ ମୋତେ ସେ
ମନେ ଭରିଦିଏ ଖୁସି I
ତା କଥାକୁ ଭାବି ରାତି ମୋର ପାହେ
ସୂରୁଜ ଉଠନ୍ତି ନଭେ
ହସି ଉଠଇ ମୁଁ ମନେ ମନେ ମୋର
ତା ରୂପକୁ ଆଙ୍କେ ଯେବେ I
ପାଖରେ ଅଛି କି ଦୂରରେ ଅଛି ସେ
ଫରକ ବୁଝିନି ଦିନେ
ପ୍ରତି ମୁହୂର୍ତ୍ତରେ ତା କଣ୍ଠର ସ୍ୱର
ବାଜୁଥାଏ ମୋର କାନେ I
ନିଦ ସବୁ ମୋର ଚୋରି କରିନେଇ
ସପନ ଦିଅଇ ଯାଚି
ତା ଦେହ ମହକ ପୁଲକିତ କରେ
ଉଲ୍ଲାସେ ଉଠେ ମୁଁ ନାଚି I
ସେ ମୋର ଜୀବନ ଯଉବନ ବେଦୀ
ହୃଦୟ ତଳର ଦେବୀ
ଦିନ ସରିଯାଏ ରାତି ସରିଯାଏ
ତା କଥାକୁ ଭାବି ଭାବି I
ସବୁ କବିତାର ନାୟିକା ସେ ମୋର
ମୋ ମନର ନୀଳପରୀ
ରୂପ ଗୁଣ ତା'ର ନିତି ମୁଁ ବଖାଣେ
ପାରେନାହିଁ ପୂର୍ଣ୍ଣକରି I