ଜନ୍ମାନ୍ତରର ବନ୍ଧନ
ଜନ୍ମାନ୍ତରର ବନ୍ଧନ


ଘଟଣା ବହୁଳ ଏଇ ଜୀବନ କାଳରେ
କିଛି କିଛି ଅଙ୍ଗେ ନିଭା କଥା
ମସ୍ତିଷ୍କଟି ସିନା କରିନିଏ ଅଚିରେ ଗ୍ରହଣ,
କିନ୍ତୁ କାହିଁ ପାଇଁ
ସ୍ଵୀକାର ପାରେନା କରି ଅନ୍ତର୍ମନ କେବେ !
କେଜାଣି କାହିଁକି ଭଲା ବେଳେବେଳେ
ସ୍ଵଚକ୍ଷୁରେ ଦେଖିଥିବା ଦୃଶ୍ୟ ସବୁର
ପ୍ରତକ୍ଷ୍ୟ ଅନୁଭବି
କରି ଆସିଥାଏ ପଦାନତ ସ୍ଵୀକାର;
ମନ ଚକ୍ଷୁର ବିଶ୍ୱସନୀୟ ଦର୍ଶନର !
ଏମିତି ହିଁ ଅଖଣ୍ଡ ପ୍ରେମର ପ୍ରଚଣ୍ଡ ଦୃଢ଼ତା;
ଯେଉଁଠିକି ମିଳନ ନହୋଇ ମଧ୍ୟ
କେବେହେଲେ ବିଚ୍ଛେଦ ବି ପାରେନାହିଁ ହୋଇ।
ଆଉ ଜୀବନର ଶେଷ କ୍ଷଣ ଯାଏଁ
ମିଳନର ଆଶା ମରେ ନାହିଁ।
ଆଉ ସେହିତ ହିଁ ସେହି
ଚିର ଶାଶ୍ଵତ ଅମର ପ୍ରେମର ରଙ୍ଗ;
ଗାଢ଼ତାର ଲାଲିମା ଯାହାର,
ଦେହ ଓ ମନକୁ ଭେଦି
ରୁଧିରରେ ମିଶି ଯାଇଥାଏ,
ହୃଦୟରେ ନେସି ହୋଇ ରହେ।
ଏମିତିହିଁ ଅତୁଟସେ ସଂପର୍କର ରଜ୍ଜୁ,
ଯେଉଟାକି ବିନା କିଛି ବନ୍ଧନରେ
କେଉଁ ଏକ ଅଦୃଶ୍ୟ ଶକ୍ତିର ଈଶାରାରେ
ଦୃଢ଼ ଭାବେ ଛନ୍ଦି ହୋଇଥାଏ ।
ଆଉ ଛନ୍ଦି ହୋଇ ଚିର ଦିନ ବାନ୍ଧି ହୋଇରହେ।
ଯାହା ପାଇଁ ଆପଣାର
ସମସ୍ତ କଳୁଷତା କୃତ୍ରିମତା ଆଉ
କପଟ ଛଳନାର ବେହରଣ
ଆପେ ଆପେ ଖୋଲି ହୋଇ ଯାଏ ସିନା,
ହେଲେ ଆଖିର ଈଶାରା ଆଗେ
ଲଜ୍
ଜାନତ ଆଖି ନଇଁ ଯାଏ;
ସେହି ହିଁ ତ ପ୍ରେମ!
ଏମିତିହିଁ ଶାଶ୍ଵତ ପ୍ରେମର ପରିଭାଷା
ଯାହାକି ବିନା କହି ଶୁଣି ହୋଇଥାଏ
ଆଉ ବିନା ଶୁଣି କହି ହୋଇଯାଏ।.........
ନିର୍ଦ୍ଵନ୍ଦରେ ଅନ୍ତରର ଭାବନାକୁ ବୁଝି ହୋଇଯାଏ ।
ଦେହ ବନ୍ଧ ନ ଡେଇଁବି ଯେଉଁଠାରେ
ଦେହର ବନ୍ଧନୀ ଡେଇଁ
ପରସ୍ପର ହୃଦୟର ଉଦ୍ବେଳନ ମିଶି ଯାଇଥାଏ,
ଏବଂ ଅଲକ୍ଷରେ ତାଙ୍କ
ଦେହ-ବିଦେହର ସମସ୍ତ ବନ୍ଧନଠୁ ଦୂରେ
ଅତିନ୍ଦ୍ରୀୟେ ଆତ୍ମା ଗୀତି ସପ୍ତସୂରେ ପୁଲକ ଜଗାଏ!
ସେମିତିହିଁତ ସେହି ଚିର ଅନାବିଳ ପ୍ରେମ;
ଯାହାକି ଅନ୍ତରାତ୍ମାକୁ ଛୁଇଁଥାଏ ବାରମ୍ବାର,
ନଚେତ୍,
ଏମିତିରେବିତ
ନବ ବସନ୍ତର ମଳୟବି
ଶରୀରକୁ ଛୁଇଁ ଛୁଇଁ ଚାଲିଗଲା ବେଳେ;
ଭରି ଦେଇ ଯାଇଥାଏ ଖୁବ୍ ମାଦକତା
ଦେହରେ ମନରେ!
ସେହିହିଁତ ଅତି ଆପଣାର
ଆଉ ସବୁଠୁ ନିକଟତର,
ଯାର ଅପ୍ରାପ୍ତିର ଶୂନ୍ୟ ସ୍ଥାନ ଭରିବାରେ
ଅସମର୍ଥ ହୋଇଥାଏ ଶହ ଶହ ପ୍ରାପ୍ତି।
ସୁନ୍ଦର ଚେହେରାର ଆଲିଙ୍ଗନ ପାଇଁକି ତ
ସବୁଠାରେ ସବୁବେଳେ ଭିଡ଼;
କିନ୍ତୁ ଯିଏ ବୟସର କୁଞ୍ଚିତ ରେଖାର ଧାରେ
ବିମୁଗ୍ଧତାରେ ଆଙ୍କି ଦିଏ ସେନେହଁ ଚୁମ୍ବନ
ସିଏ ହିଁତ,
ହଁ ହଁ ସିଏ ହିଁ ତ ଅନାବିଳ ଶାଶ୍ଵତ ପ୍ରେମ!
ମିଳନ-ବିଚ୍ଛେଦ ଅପେକ୍ଷା-ଉପେକ୍ଷାର ପରେ
ଜନ୍ମ ଜନ୍ମାନ୍ତରର ବନ୍ଧନ।