STORYMIRROR

Upendra prasad Mahala

Romance Inspirational

3  

Upendra prasad Mahala

Romance Inspirational

ପ୍ରେମ ଗୀତ ଚିକ୍ ଚିକ୍ ଚିଁ

ପ୍ରେମ ଗୀତ ଚିକ୍ ଚିକ୍ ଚିଁ

1 min
314


ମୌସୁମୀ ବାଆ ବୋହିଲେ ବାଇଆ ହୁଏ
ବାଇ ଚଢେଇ, ମନଲାଖି ସାଥୀ ଖୋଜେ  
ଗଛ ଡାଳରେ ଗଢେ ଝୁଲନ୍ତା ବସାଟିଏ 
ପାରି ଦିଏ ନରମ ଘାସର ଶେଯ
ଅଜଣା ସାଥୀର ଆସିବା ବାଟକୁ ଚାହିଁ 
ମନଭୁଲା ଗୀତ ଗାଏ ଚିକ୍ ଚିକ୍ ଚିଁ।

କେହି ଜଣେ ଆସେ ତା' ସ୍ବପ୍ନର ରାଣୀ 
ବସାଘର ଦେଖି ଖୁସି ହେଲେ ଅଟକି ଯାଏ,
ସାଜେ ସବୁଦିନ ଜୀବନ ସାଥୀ।
ବସା ଘରକୁ ନାପସନ୍ଦ କରି ଉଡିଗଲେ
ଟିକି ଚଢେଇଟି ବାଇଆ ହୁଏ 
ସାଥୀ ମନ ଜିଣିବାକୁ ବସା ଭାଂଗି
ଗଢିବସେ ଆଉ ଏକ ନୂଆ ବସା ।

ବାଇ ଚଢେଇ ଶିଖାଏ ସଭିଙ୍କୁ ଭଲ
ପାଇବାର ପରିଭାଷା, ଜୀବନ ସାଥୀ
ସହ ମିଶି ସଂସାର ବାନ୍ଧିବାର କଳା
ବସାକୁ ସଜାଏ ଅଧିକ ସୁନ୍ଦର କରି ।
ବାଆ ବୋହୁଥିଲେ ବସା ଦୋହଲୁ
ଥାଏ, ବାଇ ଚଢେଇର କି' ଯାଏ !!

ପ୍ରେମ ବିନା ଜୀବନ 'ଜୀବନ' ନୁହେଁ
ଟିକି ଚଢ଼େଇଟି ଵୁଝେ ନିରୁତା ଭଲ
ପାଇବାର ମର୍ମ କଥା, ମନର ଭାଷା।
ଚଢ଼େୟା ଚଢ଼େୟାଣୀ ମନ ମିଶାଇ
ସଂସାର ଗଢି ସାଜନ୍ତି ପ୍ରେମପକ୍ଷୀ । 
ସାଥୀର ମୃତ୍ୟୁରେ ବି ହତାଶ ହୁଏ,
ଜୀବନକୁ ଅସାର, ନିରର୍ଥକ ମଣେ
ଝୁରିଝୁରି ଦିନରାତି ମରଣ ଆଦରେ
ଧନ୍ୟ ବାଇ ଚଢେଇ ସଂସାରରେ
ପବିତ୍ର ପ୍ରେମର ନଜିର ଛାଡିଯାଏ !!

ବାଇ ଚଢେଇଙ୍କ ସୂକ୍ଷ୍ମ କାରିଗରି ବସା
କାହା ଆଖି ଦେଖି ଲାଖି ନ ଯାଏ।
ଶସ୍ୟ କ୍ଷେତ୍ର, ଜଳାଧାର ପାର୍ଶ୍ବ ତାଳ,
ଖଜୁରୀ, କଣ୍ଟାଳିଆ ଗଛଡାଳରେ 
କୁନି ଚଞ୍ଚୁରେ କୁଶଳି ବୁଣାକାର ଭଳି 
ବୁଣିବସେ ବିଭିନ୍ନ ପତ୍ରର ତନ୍ତୁ, କୁଟା 
ଓ ଘାସରେ ଭୂଲମ୍ବ ଆକୃତିର ଘର
ତଳକୁ ରହେ ପ୍ରବେଶ, ପ୍ରସ୍ଥାନ ପଥ
ଗଛର ପୂର୍ବ ପଟେ ତୋଳିଥାଏ ବସା
ଦକ୍ଷିଣ-ପଶ୍ଚିମ ବାୟୁକୁ ନ ଥାଏ ଡ଼ର।

ଅତି ପରିବେଶ ପ୍ରିୟ ସାମାଜିକ ପକ୍ଷୀ
କୀଟପତଙ୍ଗ, ଘାସ ଖାଇ ବଞ୍ଚି ରହେ ।
କ୍ଷେତଵାଡିର ଫସଲକୁ ସୁରକ୍ଷା ଦିଏ
ଜାଣିପାରେ ପାଣିପାଗ ପୂର୍ବ ସୂଚନା । 
ପରିବେଶ ବିପର୍ଯ୍ୟୟ ଆଣିଛି ଦୁର୍ଦ୍ଦିନ
ସଜାଇଛି ତାକୁ ଵିରଳ ପ୍ରଜାତି ପକ୍ଷୀ
ସ୍ମୃତିରକ୍ଷା ଲାଗି ବିଭିନ୍ନ ପ୍ରଦର୍ଶନୀରେ
ବିକୁଛନ୍ତି ଆମେ କୃତ୍ରିମ ବାୟା ବସା ।

ମହାବାତ୍ୟାର ଦୀର୍ଘବର୍ଷ ପରେ ଦୃଷ୍ଟିକୁ
ଆସିଛି ଆଶ୍ୱସ୍ତିର ଏକ ଭିନ୍ନ ଚିତ୍ରପଟ, 
ଉଭାନ ବାଇଚଢେଇ ପୁଣି ଫେରିଛନ୍ତି
ପୂର୍ବ ଉପକୂଳକୁ ଅତି ଅଳ୍ପ ସଂଖ୍ୟାରେ
ପରିବେଶବିତ୍, ଗାଁ ଲୋକେ ଆଶ୍ବସ୍ତ ।
ତାଳଗଛ ବସାରେ ପୁଣି ଶୁଭୁଛି 
" ଚିକ୍ ଚିକ୍ ଚିଁ " ମଧୁର ଗୀତ ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance