ସଂସାର
ସଂସାର
ମୁଁ ଭଲପାଏ ଓଦା ଓଦା ବର୍ଷା ଋତୁ
ତୁମେ କୁହ ଶୀତ ମୋ ପ୍ରିୟ ଋତୁ
ମୁଁ ଖୋଜେ ଆକାଶରେ ଭସାମେଘ
ତୁମେ ଖୋଜୁଥାଅ ତୋଫା ଜହ୍ନ ରାତି ।
ମୁଁ ଭିଜିଲେ ନିଝୁମ ବର୍ଷା ଛିଟାରେ
ତୁମେ କୁହ ଓଦା ହୁଅନି, ଥଣ୍ଡା ନସମା
ଦେହ ସହିବକି ? ଘରକୁ ଆସି ଛିଙ୍କିବ
ଶୁଆଇ ଦେବନି ରାତିଅଧରେ ।
ଶୀତ ଦିନେ ମୁଁ ରେଜେଇ ଉଷୁମ ଟାଣେ
ଭୋର ବେଳେ ତୁମେ ଘରୁ ବାହାରିଯାଅ
ଟ୍ରାକ ସୁଟ ,ସ୍ବେଟର , ବୁଟ ହଳେ ପିନ୍ଦି
କୁହୁଡି କାକରରେ ଭିଜି ମର୍ଣ୍ଣିଂ ୱାକରେ।
ରୁଚି ତୁମର, ନାଲି, ହଳଦୀ ରଂଗ
ମୋ ପସନ୍ଦ ନୀଳ ଫିକା ପଡିଯାଏ ।
କବିତା ଲେଖି ବସିଲେ ତୁମେ ଆସି
ପଚାର ଲେଖୁନ କାହିଁକି ମିଠା ଗପଟେ
ପୁରୁଣା ଦିନର ଗୀତ ଶୁଣିଲେ କୁହ ଯୁଗ
କୁଆଡେ ଗଲାଣି ଦେଖ, ନୂଆ କ୍ୟାସେଟ
ଗୋଟେ ଆଣି ଆଧୁନିକ ଗୀତ ବଜାଅ ।
ଥିଏଟର ଦେଖି ଯିବାକୁ କହିଲେ , ତୁମେ
କୁହ ସିନେମା ହଲକୁ ଚାଲ ନୂଆ ଫିଲ୍ମ
ପଡିଛି ଦୁହେଁ ଦେଖି ଆସିବା ଥରେ ।
ଏତେ ଭିନ୍ନତା ସତ୍ତ୍ବେ କୁହ କେମିତି ମନ
ମିଶାଇ ଆମେ ପରସ୍ପରକୁ ବୁଝି ପାରନ୍ତି
ଭଲ ପାଇ ବସନ୍ତି ନିବିଡ ଭାବରେ ।
ସଂସାର କରନ୍ତି ମିଶି ସ୍ନେହ ଶ୍ରଦ୍ଧାରେ।
ଜାଣେନା ତୁମ ଛୁଆଁରେ କି ଯାଦୁ ଥାଏ
କେଜାଣି !! ଯେଉଁ ମାଟିକୁ ଛୁଅଁ ସୁନା
ପାଲଟେ । ଡାଳ ପୋତିଦେଲେ କଅଁଳି
ବାରମାସୀ ଫୁଲ ଫୁଟି ମହକୁଥାଏ ।
ମୋ ହାତରେ ଉଧାଏନି ଗଛବୃଚ୍ଛ
ନିନ୍ଦେ ମୁଁ ନିଜକୁ ସବୁବେଳେ ।
ଅନେକ ଅମେଳ ଓ ଅସଂ
ଗତି ,
ସାଥୀ ହୋଇ ଆମେ ବାଟ ଚାଲନ୍ତି
ହାଟକୁ ଯାଇ ସଉଦା କିଣି ଫେରନ୍ତି
ରାସ୍ତାକଡ ଗାଁ ବିକାଳୀଙ୍କଠାରୁ
ତାଳସଜ, ଜାମୁ କୋଳି, କେନ୍ଦୁ,
ଆତ କିଣି ଅ।ଣନ୍ତି
ପିଲାଙ୍କ ଲାଗି ।
ତୁମେ ରାନ୍ଧି ସାରି ପରସି ଦେଲେ
ଭାତ,ଡାଲମା ଅମୃତ ଭଳି ଲାଗେ ।
ତୁମ ହାତ ଛୁଆଁ ଗ୍ଲାସେ ସାଦା ପାଣି
ଖରା ବେଳ ଶୋଷ ମାରି ନିଏ ।
ମୋତେ ବେଶି ଭଲ ଲାଗେ ଘର
ଅଗଣାରେ ଯେଵେ ଆଙ୍କ ଝୋଟି,
ଲକ୍ଷ୍ମୀପାଦ, ଦୁଇ ଚକାଡୋଳା,
ମୁରୁଜରେ, ମୋ ଆଖି ଲାଖିରହେ ।
ତୁମେ ରୁଷିଲେ ବେଶି ସୁନ୍ଦର ଦିଶ
ଅପଲକ ଆଖିରେ ଚାହିଁ ଥାଏ ।
ତୁମେ ହସିଦେଲେ ସବୁକଥା ଭୁଲି
ହୋଇଯାଏ, ମନ ପଡେନି କିଛି
କୁଆଡେ ଯିବାକୁ ଥିଲେ ।
ତୁମ ପଣତ କାନିର ଶୀତଳ ପବନ
ମୁହଁରେ ଆନନ୍ଦ ଖେଳାଇ ଦିଏ ।
ତୁମ ହାତରେ ମେହେନ୍ଦୀ, ମଥାରେ
ନାଲି ବିନ୍ଦୀ ମନ ହଜାଇ ଦିଏ ।
ତୁମେ ପଢି ବୁଝି ନିଅକି ମନକଥା
ମନର ଷଷ୍ଠ ଇନ୍ଦ୍ରୀୟ ଗୁଣରେ ।
କେମିତି ଜାଣିପାର ସଂସାର
ବାନ୍ଧିବାର କଳା ତୁମେ କୁହ
ଆମେ ଜନ୍ମଜନ୍ମାନ୍ତର ସାଥୀ
ଦେହ ଓ ଆତ୍ମାର ଯାତ୍ରାପଥ
ଆମକୁ ବାଟ କଢାଇ ନିଏ।
ଦୁଃଖ, ସୁଖ ବାଣ୍ଟି ଆଗକୁ ଅ।ଗ
ବଢିବାର ନାଁ ସଂସାର ଜୀବନ।
ମୁଁ ଜାଣେ ତୁମ ଭିତରେ ଲୁଚିଛି
ମୋ ପରିଚୟ, ଯାହା ମୁଁ ଖୋଜି
ଚାଲିଛି । ତୁମେ ମୋର ଧର୍ମ ଓ କର୍ମ ।
'ମୋକ୍ଷ' ଜୀବନର ଲକ୍ଷ୍ୟ କହିଲେ,
ଅବୁଝା ହୋଇ ରୁହ ସବୁଦିନ।
*******