" ଅଚିହ୍ନା ଝିଅ ଓ ତୁମେ "
" ଅଚିହ୍ନା ଝିଅ ଓ ତୁମେ "
ବାରମ୍ବାର ମନ ଚାହେଁ ପଛକୁ
ଫେରି ଚାହିଁବାକୁ, ଯେଉଁଦିନ
ଆମେ ପରସ୍ପରକୁ ଭେଟିଲେ
ଜୀବନସାଥୀ ସାଜି ପ୍ରଥମ ଥର ।
ଚିହ୍ନାଅଚିହ୍ନା ଦୁନିଆରେ ଜଣା
ନ ଥିଲା ପ୍ରେମ, ଦାମ୍ପତ୍ୟ ଜୀବନ,
ଓ ପବିତ୍ର ସମ୍ପର୍କର ପରିଭାଷା।
ଦୁଇଟି ଉଡା ଚଢେଇ ବସା ବାନ୍ଧି
ଜୀବନ ସାଥୀ ସାଜିବାର ମାନେ।
ଆମ ଆଖିରେ ଥିଲା ଆକାଶ ପରି
ସୀମାହୀନ ଓ ଅବୋଧ ବିସ୍ମୟ
ଯୌବନର ରଂଗିନ ଆଦିମ ସ୍ବପ୍ନ !!
ହୃଦୟ ସ୍ପନ୍ଧନର ବେଗ ବଢୁଥିଲା
ପରସ୍ପର ନିକଟତର ହେବାର
ବାସନା ମନକୁ ଅଧୀର କରୁଥିଲା
ଆବେଗ ଓ ଭାବପ୍ରବଣତାରେ
ଦୁଇଟି ହୃଦୟ ବୁଡି ଯାଉଥିଲା
ତୁମ ନିରୀହ ଆଖିର ସୌନ୍ଦର୍ଯ୍ୟରେ
ହଜିଯାଇ ଦେଖୁଥିଲି ମନର ଛବି !
କେଉଁ ଅନନ୍ତ ଯୁଗରୁ ପ୍ରତୀକ୍ଷିତ
ମୁହୂର୍ତ୍ତ ମିଳନର ଚିତ୍ର ଆଙ୍କୁଥିଲା !
ଲାଗୁଥିଲା ଯେମିତି ବହୁପୂର୍ବରୁ
ପରସ୍ପରକୁ ଆମେ ଅତି ଭଲଭାବେ
ନିକଟରୁ ଜାଣିଛୁ ଓ ଚିହ୍ନିଛୁ ମଧ୍ୟ,
ଥରଥର କଣ୍ଠରେ ଭାଷା ନ ଥିଲା
ମନେ ପଡୁ ନ ଥିଲା କେବେ କେଉଁଠି
ଆମ ଚାରି ଆଖି ଭେଟ ହୋଇଥିଲା !!
ଥରେ କଲେଜରୁ ସାଂଗ ମେଳରେ
ସାଇକେଲରେ ଫେରୁଥିବା ବେଳେ
ଝିଅଟିଏ ମୋତେ ଧକ୍କା ଲଗାଇ,
'ସରି' କହି ହସି ଚାଲି ଯାଇଥିଲା !
ମାଗାଜିନରୁ ମୋ ପ୍ରେମ କବିତା
ପଢି କେହି ଜଣେ ଅଜଣା ପାଠିକା
କଲେଜ ଠିକଣାରେ ଚୁମ୍ବନ ଚିହ୍ନ
ସହ ଶୁଭେଚ୍ଛା ଚିଠି ଲେଖିଥିଲା !
ସେମିତି ଫାଜିଲ ସହରୀ ଝିଅଟିଏ
ସ୍କୁଟିରେ ଆସି ହ।ସ୍ୟାତ୍ମକ
କମେଣ୍ଟ ମାରି ଖସି ପଳାଇଥିଲା ।
ଦିନେ ମେଳା ଭିଡରେ ପର୍ସ ହଜାଇ
ଖୋଜୁଥିବା ବେଳେ ଅଚିହ୍ନା ଝିଅଟିଏ
ଉଠାଇ ମୋତେ ଯାଚି ଦେଇଥିଲା।
ସେହି ଝିଅଙ୍କ ଭିତରୁ କେହି ହୋଇ
ପାରକି, ମନ ଘାଣ୍ଟି ହେଉଥିଲା ?
ବହୁଦିନ ପରେ ହୁଏତ ସାନି ଭେଟ
ଉଭୟ ଅଚିହ୍ନା, କିଛି ଚିହ୍ନା ଚିହ୍ନା ।
ତୁମେ କ'ଣ ଭାବୁଥିଲ ମୁଁ ଜାଣେନି।
କେହି ରୋମିଓ ତୁମ ପିଛା କଲାବେଳେ,
କିମ୍ବା ରାସ୍ତାରେ ଅଗଷ୍ଟ ପନ୍ଦର ଦିନ
ବ୍ୟାଣ୍ଡ ବାଜା ସହ ମାର୍ଚ୍ଚପାଷ୍ଟ ବେଳେ
କେହି କମେଣ୍ଟ କରିବା କଥା ଭାବୁଥିବ।
ମନରେ ସାହସ ଜୁଟାଇ ପାରୁ ନ ଥିଲି
ଆମେ ଆଗରୁ କେଉଁଠି, କେବେ ଭେଟ
ହୋଇଥିଲେ ପଚାରିବାକୁ ? ତ
ୁନି ତୁନି
ଭାଷାରେ ଯେବେ ପଚାରିଲି ଉତ୍ତର
ଦେଇଥିଲ 'ହଁ ।' କିନ୍ତୁ କିଛି କଥା
ଆଦୌ ମନେ ପକେଇ ପାରୁ ନ ଥିଲ।
କେଡେ ଅଦ୍ଭୂତ,ବିସ୍ମୟ ଥିଲା ଏ ସମ୍ପର୍କ !
ଏମିତି ଭାବେ ଗଢି ଉଠିଥିଲା ଆମ ନୂଆ
ପରିଚୟ ଅବୁଝା ସମ୍ପର୍କର ମନ ନେଇ।
ତୁମେ ଥିଲ ନୀରବ ମନର ଉପତ୍ୟକା
ମୁଁ ଥିଲି ଦୂର ପର୍ଵତ ଗୁମ୍ଫାର ପ୍ରତିଧ୍ବନି।
ତୁମେ ଥିଲ ନୀରବତାର ମଧୁର ଭାଷା,
ମୋ ହୃଦୟର ଦରଦୀ, ଛବିଳ କବିତା ।
ତୁମ ଅବନମିତ ଆଖିର ଭାଷାରୁ ଧୀରେ
ଶିଖିଗଲି ମୁଁ ସ୍ବପ୍ନ ଦେଖିବା, ଓଠର ମିଠା
ଭାଷାରୁ ବୁଝିଗଲି ଜିଇବା, ମରିବା ଅର୍ଥ।
ମୁଁ ଥିଲି ଜୀବନ ସଂଘର୍ଷ ପଥର ଯାତ୍ରୀ
ଚଲାପଥ ଥିଲା ଭିନ୍ନ ଏକ ଦିଗନ୍ତର।
ତୁମେ ସାଜିଥିଲ ପ୍ରାଣସଂଗିନୀ, ସ୍ବପ୍ନର
ମଧୁକାନନ, ଯେଉଁଠି ତୁମ ହାତ ଧରି
ଅହର୍ନିଶି କରୁଥିଲି ମୁକ୍ତ ବିଚରଣ ।
ତୁମେ ଶିଖାଇଥିଲ ସଂସାର ପରିଭାଷା
ପ୍ରକୃତ ପ୍ରେମର ନ ଥାଏ ମଧୁର ସମାପ୍ତି,
କେଉଁଠି ସରିଯାଏନି ଏହାର ଯାତ୍ରା।
ମନେ ଅଛି ତୁମ ସହ ବିତିଥିବା ସମୟ,
ପଛରେ ଛାଡି ଆସିଥିବା ମଧୁର ସ୍ମୃତି,
ଜୀବନରେ ସଂଘର୍ଷମୟ ଚଲାପଥ।
ମୁଁ ନିୟତ ଧାଉଁଥିଲି ତୁମ ପଛେପଛେ,
ଡରୁଥିଲ କାଳେ କେଉଁଠି ଅଟକି ଯିବି
ହଜିଯିବି କେଉଁ ଅଜଣା ମୋଡରେ !
ଜାଣେ ସବୁକଥା ତୁମେ ମନେ ରଖିଥିବ,
କିଛି ବି ଭୁଲି ନ ଥିବ। ଆମେ ଦୁହେଁ
ବିଚ୍ଛିନ୍ନ ହେଲେ ବି, ତୁମକୁ ଭଲ ପାଉଛି
ସେତିକି, ପ୍ରଥମ ଦେଖା ହେବା ଆଗରୁ
ନ ଚିହ୍ନି, ନ ଜାଣି ତୁମକୁ ଭଲ ପାଇବସି
ଯେମିତି ଖୋଜୁଥିଲି ପାଗଳ ପଣରେ ,
ଆଜି ବି ଖୋଜୁଛି ସେମିତି ହୃଦୟରେ!!
ତୁମେ ମୋ ପ୍ରାଣସଖୀ, ମୋ ଆତ୍ମାର
ବିଦଗ୍ଧ କବିତା । ଶବ୍ଦର ଓଠର ତମେ
ଦରଦୀ ଭାଷା। ପ୍ରତି ସ୍ପନ୍ଧନରେ ବାରି
ପାରୁଛି ଅନ୍ତରାତ୍ମାରେ ତୁମ ଉପସ୍ଥିତି,
ପରସ୍ପର କେବେ ଅଲଗା ହେବାନି
ଯେତେଦୂରେ ଯେଉଁଠି ଥିଲେ ବି ।
ଦେଖ ଜଳବାୟୁ ପରିବର୍ତ୍ତନ କାରଣରୁ
ବଦଳି ଯାଉଛି ଫୁଲର ମହକ ଓ ରଂଗ,
ଅଥଚ ବଦଳିନି ମନ ଭିତରେ ତୁମେ
ଭରିଥିବା ସ୍ବପ୍ନ ଓ ଶବ୍ଦଙ୍କ ସୌନ୍ଦର୍ଯ୍ୟ।
ଥରେ ଅ।ସି ଦେଖିଯାଅ କିଭଳି ଧରି
ରଖିଛି ତୁମ ଲାଗି ସମୟର ଚିତ୍ରକୁ
ଶବ୍ଦରେ, ମୋ ହାତ ମୁଠାରେ !!
*******