STORYMIRROR

Upendra prasad Mahala

Classics Inspirational Others

3  

Upendra prasad Mahala

Classics Inspirational Others

ଧୋଆ ଚାଉଳ

ଧୋଆ ଚାଉଳ

2 mins
382


ବେଳ ବୁଡୁବୁଡୁ ଚାଉଳ ଧୋଇଗଲା ଝିଅ

ମୁହଁ ଅନ୍ଧାର ମାଡି

ରାତି ଆସି ଘଡିଏ ହେଲାଣି,

ବାଜି ବାଜି ଆସୁନାହିଁ କାହିଁ

ମହକ ପାଦର ତା' ପାଉଁଜି ବାଜଣା

କାହିଁ ଗଲା ଝିଅ କାହିଁ ଗଲା ?

ଅସ୍ତରଂଗର ଆକାଶ ତାରାଫୁଲ

ଜ୍ୟୋତ୍ସ୍ନାରେ ଚହଟେ,

ନିଃସ୍ପନ୍ଦ, ନୀରବ ସବୁ ଗଛପତ୍ର,

ବାଡି ପୋଖରୀ ଆଡିରେ ଚାଉଳ

ଜାଳିଟି ଥୁଆ ଏକା ଏକା !

ଥୁରୁଥୁରୁ ଥରିଉଠେ ପୋଖରୀର ଛାତି

କହ କହ ପୋଖରୀରେ ତୁ କିଛି ଜାଣୁକି ?

ଦାଣ୍ଡ ପିଣ୍ଢାରେ ବସି ନାଆକ ପୁଅଟି

ଜାତକର ମେଳ ପକାଉଛି ।

ବାପ ମୁଣ୍ଡରେ ବିଛା ଚଢେ ଉଚ୍ଚକୁ ଉଚ୍ଚକୁ

ଗାର ଖେଳ ଚାଲିଥିବା ବେଳେ

ଗ୍ରହ ତାରାଙ୍କର। ସତ୍ ସତ୍ କହିଯାଏ

ମଧ୍ୟେ ମଧ୍ୟେ ପଲ୍ଲୀର ବଚନ !

ଏଣେ ବାଡି ଦୁଆରେ ଟିଣା ଧରି

ମା'ଟି ଡାକ ପକେଇଛି

ତା' କଣ୍ଠର ରୁଞ୍ଜମାଳାଟିକୁ

କାଖଧରା କାନ୍ଦୁରା ଛୁଆଟି ମୁହେଁ

ଥରେ ଥରେ ପିଠା ଟିପିଟିପି ।

ବଣବୁଦା କହ କହ ! ଏଇ ବାଟ ଦେଇ

ଚାଲି ଗଲାକି କାହାର କଅଁଳ ଛାଇ !

ତାହା ଲୁଗାକାନି ନିଶ୍ଚେ ଟାଣି ଧରି

ତୁ କାନ୍ଦିଥିବୁ ଚୁଁ ଚୁଁ ହୋଇ।

ପିତା ପାଣି ପିଇ ଯିଏ ପିଲାଦିନ

କଟାଇଛି ତୋ' ଠିଁ।

ସେ ଘର ଛାଡିଗଲା ବେଳେ

ତୋତେ ଦେଖିନେଇ କି କାନ୍ଦି

ନ ପକାଇଛି !

କେତେ ସେ ପିଲା ଦିନ

ଶୂନଶାନ ଅପରାହଣ

କଟାଇ ତୋ ଲତା ଘରେ

ବଣମଲ୍ଲୀ ହାର ଗୁନ୍ଥି ଗଭାରେ ବାନ୍ଧିଛି

କେତେ ବଣଭୋଜି କରି ତୋ ପାଇଁ

ଆଗ ଭୋଗପାଣି ବୁଲେଇ ଦେଇଛି ।

ଦାଣ୍ଡକୁ ସୁନ୍ଦର ଝିଅ, କୁଳକୁ ସୁନ୍ଦର

କାହିଁ ଗଲା ଗୋଡ କାଢି

ସୁନାପାତିଆଟି ମୋର ।

ପୁରଲକ୍ଷ୍ମୀ କି'ବା ଚାଲିଗଲା ଆଜି

ମାର୍ଗଶୀର ଗୁରୁବାର ଦିନ।

ବଢିଙ୍କର ବାହା କାମ ସରି ନାହିଁ

ଶୁଭି ନାହିଁ ରମଣୀଙ୍କ ଶଙ୍ଖ ହୁଳହୁଳି

ମୋ କଂଚନ ବେଶ କରି ନାହିଁ

ଯୋଡି ଯୋଡି ବରକନିଆଙ୍କୁ ଗଢି

ଦୁବର ମୁକୁଟ, ସିନ୍ଦୁର ଟୋପା ଦେଇ

କେରପାଲ ବେଦୀରେ ବସାଇ।

ଧୋଆ ଚାଉଳ କାନ୍ଦେ, ତୁଠେ ଫୁଲିଫୁଲି

ଆଜି କିଏ ନେବ, କାହାର ଅବା ହେବ ?

ଯେଉଁ ହାଣ୍ଡି ପାଇଁ ଯିଏ ଚାଉଳ ଆଣିଛି !

ମୋ କଂଚନ କି ଆପଣା ପସନ୍ଦ

ହାଣ୍ଡିର ଧୋଆ ଚାଉଳ ସାଜିଛି ?

ବସିବସି ଭାବେ କଥା ଏକ

ଯେଉଁଠି ଥିବ ଭଲରେ ଥାଉ

ଯଦି ହଜିଯିବ ବାଟରେ, ଜାଣେ

ନିଶ୍ଚେ ସେ ଚିଠି ଦେବ କେଉଁ

ଏକ ଅଜଣା ଗାଆଁରୁ ।

ଅବା ପୁଅ ଏକୋଇଶା ଦିନ

ଫୁଲ ଉଦ୍ୟାନରୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics