STORYMIRROR

Upendra prasad Mahala

Abstract Classics Fantasy

3  

Upendra prasad Mahala

Abstract Classics Fantasy

ଏଇ ମନ ବୃନ୍ଦାବନ

ଏଇ ମନ ବୃନ୍ଦାବନ

2 mins
388


ଅଗନା ଅଗନି ବନସ୍ତ, ମଝିରେ

ନଈ କୂଳେ କୂଳେ କଦମ୍ବ ବନ,

ସେପାଖରେ ଉଚ୍ଚନୀଚ୍ଚ ମାଳଭୂମି

ଜୀବନର କଳାଧଳା ମାନଚିତ୍ର ।

ସେଠି ଦିଶେ ପୁରାତନ ଜୀର୍ଣ୍ଣ ମନ୍ଦିର

ଯେଉଁଠି ପ୍ରତି ରାତିରେ ଘୂରିବୁଲେ

ମୋ ସାତ୍ତ୍ବିକ ସତ୍ତାର କ୍ଳାନ୍ତ ଛାଇ,

ମନ୍ଦିର ଭିତରକୁ ଯାଇ ଶୋଇପଡେ

ମଥା ରଖି ରାତ୍ରୀର ଡ଼େଣାରେ ।

ନିଶିବୋଧ ହେଲେ କେତୋଟି

ଦିବ୍ୟ ଆଲୋକ ସେଠି

ଚଲାବୁଲା କରେ।

ସେମାନେ ଆସି ନିଦରୁ ଉଠାନ୍ତି,

ବୋଲ ମାନିବାକୁ ଆକଣ୍ଠ

କାଦମ୍ବରୀ ରସ ପିଆନ୍ତି,

କେହି ଜଣେ ମୋତେ ବିବସ୍ତ୍ର କରି

ବଳିଷ୍ଠ ବାହୁରେ ଚାପି ଧରେ

ସର୍ବାଂଗରେ ଚୁମ୍ବନ ଆଙ୍କିଦିଏ

ମଧୁର ବେଦନାରେ ଚିତ୍କାର କରି

ଚମକି ଦେଖେ ମନ୍ଦିର ପାଲଟି

ଯାଇଛି ଏକ କୁଞ୍ଜବନ !

ଛଅଟି ୠତୁ ନାୟିକା ନାଚୁଥାନ୍ତି

ଏକସଂଗେ ଅଗଣାରେ ଝୁଲି ଝୁଲି,

ପବନରେ ବଂଶୀ ବାଜୁଥାଏ ।

ସର୍ବାଂଗ ମୋ ଥରୁଥାଏ, ନିଃସର୍ତ୍ତରେ

ନାରୀତ୍ବ ସମର୍ପି ଦେବା ବେଳେ।

ଭାବି ପାରୁ ନ ଥାଏ କିପରି ପୁରୁଷରୁ

ନାରୀ ରୂପ ଧରି ବଦଳିଗଲି !

କ୍ଷଣିକେ ଚିତ୍ରସବୁ ବିଚିତ୍ର ଦିଶେ,

ଅଣଚାଶ ପବନର ଝଡ଼ ଉଠେ,

ମୁଁ ଶୁଣେ ପତ୍ରର ଝଣଝଣ କଣ୍ଠରେ

ଝଡ଼ରେ ଢୁଳାଉଥିବା ଅନ୍ଧ ରାତିର

ହେମାଳ ପୃଥିବୀ ଯେମିତି କାନ୍ଦୁଛି !

ପାଖରେ ଆଉ କେହି ନ ଥାନ୍ତି

ଦୂର ବନରେ କେଉଁ ବିରହୀ

କପୋତୀର କରୁଣ ଆର୍ତ୍ତି

ମୋତେ ଭାରି କନ୍ଦାଏ !

ବେଳୁବେଳ ବଢୁଥାଏ ଝଡର

ବେଗ, ମନକୁ ଗାରେଇ ଦିଏ

ଓଦା ଓଦା ଗାର, ଦେହରେ

ଭରିଥାଏ ଅମାପ ଉତ୍ତାପ !

ହଠାତ୍ ଚୁଡିର ଝମଝୁମ୍

ଆଲାରାମ ଶୁଖାଇ ଦିଏ

ନିଦର ନିସ୍ତରଂଗ ସମୁଦ୍ର।

ଚମକି ଚେଇଁଉଠି ଦେଖେ

ମୋ କୋଳରେ ଜହ୍ନରାତି

ପରି ଶୋଇ ରହିଛନ୍ତି ପତ୍ନୀ।

କାଲି ମୋତେ ପଚାରୁଥିଲେ

' ତୁମେ କାହିଁକି ଏଣିକି ଆଖିରେ

କଜ୍ବଳ ରେଖା, ମଥାରେ ସିନ୍ଦୁର,

ଦେହରେ ଚନ୍ଦନ ଘେନୁଛ ?'

- କହିଥିଲି " ହଁ ଯେ ମୁଁ ପରା

ଭାବର ଗୋପୀ ସାଜିଛି। "

ପତ୍ନୀ ହସି ଦେଇ କହିଥିଲେ

'ସତେ କି ମୋ ମନ ବି ବଳୁଛି

ଏସନ ବୃନ୍ଦାବନ ଯାଆନ୍ତେନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract