ସାଥିଟିଏ ତୁମେ ମୋର
ସାଥିଟିଏ ତୁମେ ମୋର
ତୁମହସ ଦେଖି ମେଳି ମେଳି ହୋଇ
ଉଡିଯାନ୍ତି ପ୍ରଜାପତି
ତୁମରି ଗହଳ କେଶରେ ଲୋ ସଖୀ
ଓହ୍ଲାଏ ଅନ୍ଧାର ରାତି I
ତୁମ ଆଖିଦେଖି ସୂରୁଜର ତେଜ
ଫିକା ଫିକା ମୋତେ ଦିଶେ
ତୁମରି ଦେହର ମହକ ନେଇ ଲୋ
ରାତିର ଶେଫାଳୀ ହସେ I
ତୁମକୁ ଯେଦିନ ସାଗର ବେଳାରେ
ଦେଖିଥିଲି ଏକା ଏକା
ଲାଗୁଥିଲା ଅବା କେଉଁ ଜନମରେ
ଥିଲି ତୁମ ପ୍ରାଣ ସଖା I
କ୍ଷୀର ସହ ନୀର ମିଶିଗଲା ପରି
ମିଶିଗଲା ଆମ ମନ
ସେହି ମୂହୂର୍ତ୍ତରେ ମନତଳେ ମୋର
ଉଇଁଲା ପୂନେଇଁ ଜହ୍ନ I
ପ୍ରେମର ରଜ୍ଜୁରେ ବାନ୍ଧିଦେଲ ମୋତେ
ରହିଗଲି ତୁମ ପାଶେ
ତୁମରି ଦୁଃଖରେ ଦୁଃଖୀ ହେଉଛି ମୁଁ
ହସୁଛି ତୁମରି ହସେ I
ଏଇ କଥାକୁ ମୁଁ କାହାକୁ କେମିତି
ବୁଝାଇ କହିବି ସଖୀ
ଟିକିଏ ପାଖରୁ ଅନ୍ତର ହୋଇଲେ
ଓଦା ହେଉଛି ମୋ ଆଖି I