STORYMIRROR

Sarmistha Bhuyan

Others

4  

Sarmistha Bhuyan

Others

ଟିକ୍ ଟିକ୍

ଟିକ୍ ଟିକ୍

1 min
234

ଜାଣେନି କେବେଠୁ ଭଙ୍ଗା ଆଲମିରାରେ ବନ୍ଦ ପଡିଥିବା ଘଡି ଟି ଟିକ୍ ଟିକ୍ କରି ଚାଲିଲାଣି

ପରସ୍ତ ପରସ୍ତ ଧୂଳି ଧୂସରିତ

ନୀରବ ନିଶ୍ଚଳ ଏକାନ୍ତରେ ବିସ୍ତୃତ

ଲମ୍ବା ରାତିଟା ପାହି ପାହି ଆସିଲାଣି

ମୋର ସ୍ଥୂଳ ଶରୀରରେ ଏକ ସୁକ୍ଷ୍ମ ଶିହରଣ ଖେଳିଲାଣି


ଜାଣେନି କେବେଠୁ ରୁସିଥିବା ଅଭିମାନଟା ଆଖି ତଳେ ଠୁଳ ଠୁଳ ହୋଇ ଉଛୁଳିଲାଣି

ଛାଲକାଏ ପବନ ପ୍ରୀତି ମିଶା ଇର୍ଷା

ମେଘର ମହ୍ଳାରେ ଅଦିନିଆ ବର୍ଷା

ଲାଗୁଛି ଋତୁ ବଦଳିଲାଣି

ମୋର ଶୁଷ୍କ ସିରା ପ୍ରଶିରା ରେ ଉଷ୍ମ ପ୍ରଶ୍ରବଣ ହୋଇ ବୋହିଲାଣି


ଜାଣେନି କେବେଠୁ ଥମିଯାଇଥିବା ଜୀବନର ଗାଡ଼ିଟା ଘିର ଘିର କରି ଗଡ଼ିଲାଣି

ପଲକରେ ପୁଲକ ଚାଲିରେ ଚଂଚଳ

ଅନ୍ତରର ଅନ୍ତରାଳେ ମୃଦୁ କୋଳାହଳ

ଶୂନ୍ୟ ଚିତ୍ରପଟରେ ପୁଣି ସ୍ବପ୍ନ ଆଙ୍କିଲିଣି

ମୋର କ୍ଲାନ୍ତ ଅଧର ଏକ ଅଦୃଶ୍ୟ ସ୍ପର୍ଶର ଲହରୀରେ କମ୍ପିଲାଣି


ଜାଣେନି କେବେଠୁ ଅସ୍ତ ଖୁସିଟା କୁଞ୍ଚିତ ଭ୍ରୂଲତାରେ ଖିଲି ଖିଲି ହସିଲାଣି

ଇଙ୍ଗିତରେ ସଂଗୀତ ଭାବ ରେ ମୂର୍ଚ୍ଛନା

ପ୍ରାଣରେ ପ୍ରଣୟ ଯେମିତି କବିର କଳ୍ପନା

ସବୁ ଶବ୍ଦ ର ପରିଭାଷା ବଦଳିଲାଣି

ମୋର ଶିଥିଳ କାୟା ଏକ ଅଦ୍ଭୁତ ମାୟା ରେ ବାନ୍ଧି ବାନ୍ଧି ଗଲାଣି


ଜାଣେନି କେବେଠୁ ବଧିର ହୃଦୟର ସ୍ପନ୍ଦନ ତୁମ ଛନ୍ଦରେ ଛନ୍ଦି ଲାଣି

ସ୍ପର୍ଶରେ ଇତସ୍ତତଃ ମହକରେ ମତୁଆଲା

ପୁରୁଣା ଅତୀତର ଫର୍ଦ ଚିରି

ତୁମ ସ୍ମୃତିରେ ଏକ ନୂଆ ଅତୀତ ଲେଖିଲିଣି

ମୋର ଅବଶ ପାଦ ତୁମର ତାଳେ ତାଳେ ଆଜି ପୁଣି ଠିକ ଠିକ ପଡ଼ିଲାଣି


ଜାଣେନି କେବେଠୁ ଭଙ୍ଗା ଆଲମିରାରେ ବନ୍ଦ ପଡିଥିବା ଘଡି ଟି ଟିକ୍ ଟିକ୍ କରି ଚାଲିଲାଣି

ମୋର ସ୍ଥୂଳ ଶରୀରରେ ଏକ ସୁକ୍ଷ୍ମ ଶିହରଣ ଖେଳିଲାଣି ।


Rate this content
Log in