କରିଛ କିବା ମନ୍ତର
କରିଛ କିବା ମନ୍ତର
କୃଷ୍ଣ:-
ନ ଦେଖିଲା ଯାଏଁ ବାହୁନି ହଉଛ
ଦେଖିଲେ କଥା ନକହି,
ଚାରୁ ଚନ୍ଦ୍ରମୁଖୀ ତୁମ ଅଭିସନ୍ଧି
ମୁଇଁ ବୁଝିପାରୁନାହିଁ । [୧]
ହୃଦୟଟା ମୋର ଛଡେଇ ନେଇକି
ଯାଉଛ ମୁହଁ ଫୁଲେଇ ,
ତୁମପାଇଁ ପରା କୁଞ୍ଜକୁ ଆସିଛି
ଭାଉ ଖାଉଛ କିମ୍ପାଇଁ? [୨]
ରାଧା:-
ଯାଅହେ ଛଳିଆ ତମ ସୁଆଗିଆ
କଥାରେ ହେବିନି ବାଇ,
ଓଠ ତୁମ କିଛି କହିବା ଆଗରୁ
ଆଖିରେ ସତ ପଢଇ । [୩]
ରଖହେ ସେ ମିଠା ଛଳନା ଆବେଗ
କ୍ଷୀର ଚୋର ଚିର ଚୋର,
ମନକୁ ମୋ ଆଉ ଭୁଲାଇବା ପାଇଁ
ପାଣିରେ ପକାନା ସର । [୪]
ମନଟା ତୁମର ନିହାତି ଅଥିର
ଉଛୁଳା ଯମୁନା ପାଣି ,
ଚହଲା ପାଣିରେ ହୃଦ ପଦ୍ମବିମ୍ବ
ହୁଅଇକି ସ୍ପଷ୍ଟ ଜାଣି । [୫]
କୃଷ୍ଣ:-
ଗୋପ ଗୋପାଳୁଣୀ ବାଉଳି ହୁଅନ୍ତି
ବଇଁଶିର ସୂର ଶୁଣି ,
ହେଲେ ମୋ ବଇଁଶି ବିରହେ ବାଉଛି
ରାଧାରାଣୀ ରାଧାରାଣୀ । [୬]
ମୋ ନାମ ଆଗରୁ କେଡେ ସରାଗରେ
ସଜାଇଛି ତୁମ ନାମ ,
ଭକତେ ଭକତି ଭାବେ ଭଜୁଛନ୍ତି
ରାଧେଶ୍ୟାମ ରାଧେଶ୍ୟାମ । [୭]
ମାନିନୀଗୋ ତୁମେ ରମଣୀର ମଣି
ତେଜି ମାନ ଅଭିମାନ ,
ଅଙ୍ଗ ଲତାର ସୁପରଶେ ଜଡାଇ
ଭିଜାଇ ଦିଅ ପରାଣ। [୮]
ରାଧା:-
ମନ ଭୂଲା ଚିତ୍ତଚୋର ନାଗରହେ
ଛଳିଆ ମୋ ନଟବର ,
ସବୁ ଜାଣି ପୁଣି ତୁମଠୁ ହାରୁଛି
କରିଛ କିବା ମନ୍ତର । [୯]
ମନ ପ୍ରାଣ ସବୁ ତୁମଠି ଲାଖିଛି
ମୁଇଁତ ମୋହର ନୁହଁ ,
ଅଭିମାନ ମୋର ସଦା କାଳେ ତୁମେ
ମୋହରି ହୋଇକି ଥାଅ । [୧୦]
*************************

