ପଣା ସଂକ୍ରାନ୍ତି
ପଣା ସଂକ୍ରାନ୍ତି


କେତେ ଖୁସି ନେଇ ଆସଇ
ଏଇ ପଣା ସଂକ୍ରାନ୍ତି
ତୁଳସୀ ଉପରେ ଶ୍ରଦ୍ଧାରେ
ଭକ୍ତେ ଢେକି ବାନ୍ଧନ୍ତି ।
ବାଉଁଶ ପୋତିଣ ଭକ୍ତିରେ
ଜାମୁଡାଳ ବିଛାନ୍ତି
ଢେକି ଜଳେ କୁଶ ଦେଇଣ
ତୁଳସୀଙ୍କୁ ପୂଜନ୍ତି ।
ଏ ପଣା ସଂକ୍ରାନ୍ତି ମନରେ
ଆଣେ ନୂଆ ପୁଲକ
ନୂଆ ପାଞ୍ଜି ଆଜି ଦେଖନ୍ତି
ଆମ ଓଡିଆ ଲୋକ ।
ଓଡିଆର ନବ ବରଷ
ଆଜି ଠାରୁ ଆରମ୍ଭ
ଘର ଅଗଣାରେ ବସାନ୍ତି
ପୂର୍ଣ୍ଣ ଜଳର କୁମ୍ଭ ।
ନିମ୍ବ କଢ, ଆମ୍ବ , ମହୁଲ
ଘିଅ, ଗୁଡ, କଦଳୀ
ଦହି, ବଡଚଣା ମିଶାଇ
ପଣା ଦାଣ୍ଡରେ ଢାଳି ।
ଆଜିଠାରୁ ଦାଣ୍ଡେ ଗୋରୁଙ୍କୁ
ଲୋକେ ଜଳ ଦିଅନ୍ତି
ଜଳ ଦେଇ ତୃଷ୍ଣାତୁରକୁ
ଧର୍ମ ଅର୍ଜିଣ ଥାନ୍ତି ।
ବସନ୍ତ ଆଜିଠୁ ଥମିଣ
ଗ୍ରୀଷ୍ମ ପ୍ରବାହ ଦେବ
ବିଷୁବ ରେଖାରେ ଆଦିତ୍ଯ
ତେଜବନ୍ତ ହୋଇବ ।
ଉତ୍ତରାୟଣରେ ଭାସ୍କର
ଆଜି ଗତି କରିବେ
ମେଷ ରାଶିରେ ସେ ଯାଇଣ
ଆଜି ଠାରୁ ରହିବେ ।
ଦଣ୍ଡ ନାଚ ଅନ୍ତ କରନ୍ତି
ଭକ୍ତେ ମେରୁର ଦିନ
ଝାମୁ ଯାତ୍ରାରେ ସେ ବ୍ରତକୁ
କରନ୍ତି ସମାପନ ।
ଝାମୁ ସରିଗଲେ ପାଟୁଆ
ବ୍ରତ ସମାପ୍ତ ହୁଏ
ଝାମୁ ପାଇଁ ଆର ବରଷ
ପୁଣି ଚାହିଁଣ ଥାଏ ।
ଦୁଇ ମୁଣ୍ଡେ ଦୁଇ ଗାତ ଯେ
ଭକ୍ତେ ଖୋଳିଣ ଥାନ୍ତି
ମଝିରେ ନିଆଁକୁ ଜାଳିଣ
ଭକ୍ତେ ଝାମୁ ଚାଲନ୍ତି ।
କେତେ ପଣା କରି ସେଠାରେ
ଭକ୍ତମାନେ ଦିଅନ୍ତି
ଖୁସି ମନେ କେତେ ଆଗ୍ରହେ
ଲୋକେ ତାକୁ ପିଅନ୍ତି ।
ପ୍ରତ୍ୟେକ ଗାଆଁରେ ଆଜି ଯେ
ପଣା କରିଣ ଥାନ୍ତି
ତିନି ଛକେ ଦେବା ଦେବୀଙ୍କୁ
ସିଏ ପଣା ଦିଅନ୍ତି ।
ଜଗତ ମଙ୍ଗଳ ସୁମରି
ସିଏ ପ୍ରଣାମ କରି
ଏକ ମୁହାଁ ହେଇ ଆସନ୍ତି
ପଣା ସ୍ଥାନକୁ ଫେରି ।
ଘିଅ, ଗୁଡ, ଦହି,କଦଳୀ,
ଅଙ୍ଗୁରୁ ଯେ ନଡିଆ
ଗୋଲମରିଚ,ଛେନା, ବେଲରେ
&n
bsp; ପକାନ୍ତି ସେ ବୁନ୍ଦିଆ ।
ପଣା ସେ ତିଆରି କରିଣ
ଆନନ୍ଦରେ ପିଅନ୍ତି
ମିଳିମିଶି ସ୍ନେହ ସମ୍ପର୍କ
କେତେ ବାଣ୍ଟିଣ ଥାନ୍ତି ।
ଘରେ ଘରେ ଆଜି କରନ୍ତି
ସର୍ବେ ଏ ବେଲପଣା
ଏ ପଣା ସଂକ୍ରାନ୍ତି ମନରେ
ଆଣେ ଖୁସି ଝରଣା ।
ବାରମାସେ ତେର ପରବ
ଆମେ ପାଳୁଛେ ଧରା
ଓଡିଆମାନଙ୍କ ପରବ
ଅଟେ ବଡ ନିଆରା ।
ଏ ପଣା ସଂକ୍ରାନ୍ତି ଅଟଇ
ବଡ ପବିତ୍ର ଦିନ
ଜନ୍ମ ହେଇଥିଲେ ଆଜି ତ
ଅଞ୍ଜନାର ନନ୍ଦନ ।
ବୀର ହନୁମାନ ମାତାଙ୍କୁ
ଖାଇବାକୁ ମାଗିଲେ
ରାଗିଣ ଅଞ୍ଜନା ରବିଙ୍କୁ
ଦେଖାଇଣ ସେ ଦେଲେ ।
ସୂର୍ଯ୍ୟ ଗ୍ରାସ ବେଳେ ଦେବେନ୍ଦ୍ର
ବଜ୍ର ପ୍ରହାର କଲେ
ଚେତାଶୂନ୍ୟ ହେଇ ମାରୁତି
ଭୂମି ପରେ ପଡିଲେ ।
ପବନ ଥମିଲା ପୃଥିବୀ
ଧଂସ ହେବାର ଜାଣି
ପବନ ପାଖରେ ପ୍ରବେଶ
ହେଲେ ସେ ପଦ୍ମଯୋନୀ ।
ପବନ ଦେବତା ମାରୁତି
ଦେହେ ପ୍ରବେଶ କଲେ
ପିତାମହ ବ୍ରହ୍ମା ଜୀବନ
ହନୁମାନଙ୍କୁ ଦେଲେ ।
ଶରୀରକୁ ବଜ୍ର କରିଣ
ଦେବ ମୂକୁଟ ଦେଲେ
ସେ ମୁକୁଟ, ଗଦା, କୁଣ୍ଡଳ
ରାମଚନ୍ଦ୍ର ଚିହ୍ନିଲେ ।
ସେଇ ହନୁମାନ ସମୁଦ୍ର
ଲଙ୍ଘି ଲଙ୍କାକୁ ଗଲେ
ସୀତା ଠାବ କରି ସୁବର୍ଣ୍ଣ
ଲଙ୍କା ପୋଡିଣ ଦେଲେ ।
ରାମ ସଙ୍ଗେ ହନୁମାନଙ୍କ
ହେଲା ପୁଣି ସମର
ଗୁରୁଙ୍କ ଶପଥ ରଖିଣ
ରାମ ବିନ୍ଧିଲେ ଶର ।
ବ୍ରହ୍ମ ଶର ଚଳି ଯାଆନ୍ତେ
ହନୁ ଶ୍ରୀରାମ କହି
ଚିରି ଦେଲେ ଛାତି ଶ୍ରୀରାମ
ସୀତା ଗଲେକ ରହି ।
ସେଇ ହନୁମାନ ଏ ବିଶ୍ଵ
ଜଗତକୁ ରଖନ୍ତୁ
ପ୍ରଭୁ ଶ୍ରୀରାମ ସୁରକ୍ଷା
ଦେଇ ରକ୍ଷା କରନ୍ତୁ ।
ରକ୍ଷା କରୁଥାନ୍ତୁ ବିଶ୍ୱକୁ
ପ୍ରଭୁ ଶ୍ରୀଜଗନ୍ନାଥ
କରେ ପ୍ରଣିପାତ ପାଦରେ
ନଇଁ ମୋ ଟିକି ମାଥ ।।