ଜହ୍ନ ଓ ନୀଳକଇଁ
ଜହ୍ନ ଓ ନୀଳକଇଁ
ଚାନ୍ଦ ଯେବେ ଉଏଁ ସନ୍ଧ୍ୟା ଆକାଶରେ
ପ୍ରେମର ବାର୍ତ୍ତା ନେଇ
ତାହାର ପରଶେ ପ୍ରେମାତୁରା ହୁଏ
ପ୍ରଣୟିନୀ ନୀଳ କଇଁ ।
ଜୋଛନା ତାହାରି ବିଛୁରି ପଡ଼ଇ
ସଭିଙ୍କ ଉପରେ ଯାଇ
ହେଲେ ଅଭିମାନୀ ନୀଳ କଇଁ ସତେ
ଥାଏ ମୁହଁକୁ ଫୁଲେଇ ।
ନିଷିଦ୍ଧ ପ୍ରହରେ ପ୍ରେମିକା ରୋଷରେ
ଚାନ୍ଦ ଯେବେ ଭଞ୍ଜୁଥାଏ
ଥୁଣ୍ଟା ପାହାଡ଼ଟା ବଇରୀ ସାଜିଣ
ଜୋଛନାକୁ ରୋକି ଦିଏ !
ନୀଳ କଇଁ ପାଇଁ ପାହାଡ଼ଟା ଶତ୍ରୁ
କ୍ରୋଧ ଜର୍ଜରିତ ହୁଏ
ସିଏ କି ବୁଝଇ ପାହାଡ଼ ଅଟଳ
ଚନ୍ଦ୍ର ସ୍ଥାନ ବଦଳାଏ ?
ଗୋଟିଏ ସ୍ଥାନରେ ରହିବ କିପରି
ଝରାଇ ଚାଲେ ଜୋଛନା
ଆକାଶ ବୁକୁରେ ଖେଲି ବୁଲୁଥାଏ
ଦୂରେଇ ସଭିଙ୍କ ତୃଷ୍ଣା ।

