ଭୋକିଲା ପେଟ
ଭୋକିଲା ପେଟ
ଦିନ ରାତି ସେ କରୁଛି ଶ୍ରମ
ଭରିବା ପାଇଁ ଯେ ପେଟ
ବଡ଼ ରୁ ଛୋଟ ନରରୁ କୀଟ
ଖୋଜନ୍ତି ନିଜର ବାଟ ।
ଆହାର ପାଇଁ ଦଉଡୁ ଥାଏ
ମାନେନା କିଛି ସେ କଣ୍ଟ
ଭୋକର ଛାଟ ମାରିଲେ ଚୋଟ
ରଚଇ ଅନେକ ନାଟ ।
ଚାରି ଦିଗ ତ ଅନ୍ଧାର ଦିଶେ
ଉଦରେ ବାଜିଲେ ଘଣ୍ଟ
ଲାଜ ସରମ ଦେଖେନା କିଛି
ବୁଲଇ ଘାଟରୁ ଘାଟ ।
ଅନ୍ନ ଅଭାବେ ରୋଗ ବ୍ୟାଧିରେ
ପାଉଥାଏ ନାନା କଷ୍ଟ
ମୁର୍ଦାର ପରି ପଡିଛି ଘରେ
ସାଥି ତାର ଭଙ୍ଗା ଖଟ ।
ଦଉଡ଼ି ଦିଏ ବିଷ ବି ପିଏ
ପ୍ରାଣକୁ କରାଏ ନଷ୍ଟ
ଭୋକର ଜ୍ୱାଳା ସହି ନ ପାରି,
ହୋଇଛି ସେ ପଥ ଭ୍ରଷ୍ଟ ।
ମଣିଷ ମାରେ ଚୋରି ବି କରେ
ଦି ମୁଠା ଆହାର ପାଇଁ
ମାନବିକତା ହାରିଛି ସବୁ
ଅପରାଧୀ ହୋଇ ଯାଇ ।
ମା ବିକି ଦିଏ ସନ୍ତାନ ତାର
ବାପ ଖଟୁଛି ଦାଦନ
ଭିକର ଥାଳି ହାତରେ ଧରି
ମାଗୁଛି ମୁଠେ ଭୋଜନ ।
ବାଲ୍ୟ କାଳରୁ ପିଲାଏଁ ଏଠି
ପାଠକୁ ଯାଆନ୍ତି ଭୁଲି
କୁନି ହାତରେ ବାସନ ମାଂଜି
ଜଳାନ୍ତି ଘରର ଚୁଲି ।
ବଞ୍ଚିବା ପାଇଁ ସଂଘର୍ଷ ଚାଲେ
କରନ୍ତି କେତେ ଯେ ପାପ
ଶିଖାଇ ଦିଏ ଜୀବନ ମୂଲ୍ୟ
ଦେଖାଏ ସଂସାର ରୂପ ।
ବଡ଼ ବିଚିତ୍ର ଉଦର ନାଟ
ରହେନା କେବେ ସନ୍ତୁଷ୍ଟ
ସର୍ବ ଗିଳା ଯେ ହୋଇବ ଶାନ୍ତ
ବୁଡ଼ିଲେ ପ୍ରାଣୀର ଘଟ ।