ଧର୍ମ ଆଜି ଅସ୍ତ
ଧର୍ମ ଆଜି ଅସ୍ତ
ଭୋକ ବିକଳରେ ଅଖାଦ୍ୟ ଭୁଞ୍ଜଇ
ଦୁର୍ଲ୍ଲଭ ମୁଠାଏ ଭାତ,
ବାଲ୍ୟ ଅଵସ୍ଥାରୁ ଶ୍ରମ ଶିକୁଳିରେ
ବନ୍ଧା ହୋଇଛି ତା ହାତ ।
କଲମ ଧରିବା ବୟସରେ ଆଜି
ବହୁଛି ଘରର ବୋଝ,
ଚିରା ଫଟା କନା ଶରୀରେ ଘୋଡ଼ାଇ
ପାସୋରିଛି ସଜ ବାଜ ।
ଶୋଇ ଶୋଇ ଘରେ ଚନ୍ଦ୍ର ତାରା ଦେଖେ
ପାଣି କାଦୁଅରେ ସଢ଼େ,
ଉସୁଧ ଟିକକ ଜଣା ନାହିଁ ତାକୁ
ଭାଗ୍ୟକୁ ଆଦରି ପଡ଼େ ।
ମାଆ ଖଟୁଅଛି ପର ଘରେ ମୂଲ
ଦାଦନ ଖଟୁଛି ବାପ,
ଚୁଲୀ ଜାଳି ଜାଳି ଝିଅ ହାତ କଳା
ଦରିଦ୍ରତା ଗୋଟେ ପାପ ।
ଶିକ୍ଷିତ ସମାଜ ଲୁଟୁଛି ସମ୍ବଳ
ଜୀବନ ତାର ଉଜ୍ଜ୍ୱଳ,
ଗରିବ ଦେହରୁ ଶୋଷି ନେଇ ବଳ
କରିଛି ଦାଣ୍ଡେ କାଙ୍ଗାଳ ।
ଅଧିକାର ଶୂନ୍ୟ ହୋଇ ନିର୍ଯାତିତ
ରହିଛି ଅବହେଳିତ,
ବିକାଶରୁ ଦୂର ସେବାରୁ ବଞ୍ଚିତ
ଜୀବନଟି ଅବାଞ୍ଛିତ ।
ଗରୀବର ସାଥି କିଏ ଏଠି ହେବ
ଲୋଭରେ ସଭିଏଁ ଗ୍ରସ୍ତ,
ଶୂଳି ଚଢ଼ି ଲାଣି ମାନବ ପଣିଆ
ଧରମ ଟି ଆଜି ଅସ୍ତ ।