STORYMIRROR

Kabiratna Nutan Kumar Behera

Drama Action Classics

4  

Kabiratna Nutan Kumar Behera

Drama Action Classics

ତୁଳସୀ ରସିଆ ଜଗା କାଳିଆ

ତୁଳସୀ ରସିଆ ଜଗା କାଳିଆ

1 min
336

ତୁଳସୀ ରସିଆ ଜଗା କାଳିଆ

କିଏ ସେ ଅଛି ଆଉ ତା' ଭଳିଆ,

ଭବ ସଂସାରେ ଭାବ ବିନୋଦିଆ

ନାଚି ନଚାଏ ସେ ମହା ନାଟୁଆ,

    ଧନ୍ୟ ତାର ଲୀଳା

ବୁଝି ହୁଏ ନାହିଁ ତ ତାର ମାୟା।


ବଡ଼  ମନ୍ଦିରର  ବଡ଼  ଠାକୁର

ଧରିଛି  ସବୁରି ଜୀବନ ଡ଼ୋର,

ସଂହାରେ ଉଦ୍ଧାରେ ଦୁନିଆଁ ତାର

ସାହା ଭରସାର ସେ ସୂତ୍ରଧର

    କରେ ସବୁ ବିଚାର

ସାରା ବ୍ରହ୍ମାଣ୍ଡରେ ରଖେ ନଜର ।


ଜଳନ୍ଧର  ଥିଲା ମହା  ପ୍ରତାପୀ

ଗର୍ବୀ ଅହଂକାରୀ ସେ ବଡ଼ ପାପୀ,

ତିନିପୁର  ଜୟ  କଲା  ରାକ୍ଷସ

ଭାଙ୍ଗିଲା ଦେବ ମାନବ ବିଶ୍ଵାସ,

    ତା' ଶକ୍ତି ପ୍ରକାଶି

ସତୀ ନାରୀ ତା' ପତ୍ନୀ ଯେ ତୁଳସୀ ।


ସତୀର ମଥାର ସିନ୍ଦୁର ପିନ୍ଧି

ଅଜୟ ରହିଲା ହେଲାନି ବଧି,

ସ୍ଵର୍ଗ ମର୍ତ୍ତ୍ଵରେ ଖେଳିଲା ଆତଙ୍କ

ସୁନ୍ଦର ସୃଷ୍ଟିରେ ହେଲା କଳଙ୍କ,

    ଉପାୟ ତା' ପାଞ୍ଚି

ସ୍ଥିର କଲେ ପ୍ରଭୁ ସୃଷ୍ଟି ରହୁ ବଞ୍ଚି।


ମାୟାଧର ଗୁପତେ ମାୟା କରି 

ତୁଳସୀର ସତୀତ୍ଵ ନେଲେ ହରି,

ଦୈତ୍ୟ ଜଳନ୍ଧର ହେଲା ନିଧନ

ସୃଷ୍ଟି ଉଦ୍ଧାରି ରଖିଲେ ଜୀବନ,

    ଜାଣି ସେ ତୁଳସୀ

ଅଭିଶାପ ଦେଲେ କ୍ରୋଧ ପ୍ରକାଶି।


ଜଗତେ ପ୍ରଭୁ ହେଲେ କଳଙ୍କିତ

ତୁଳସୀ ପାଶେ ହୋଇଲେ ନିନ୍ଦିତ,

ରଖିବାକୁ ସତୀ ନାରୀର ମାନ

କ୍ଷମା ମାଗି ସ୍ଵୟଂ କଲେ ବିଧାନ,

     ଶିର କରି ନତ

ଆଶ୍ରୟଦାତା ହେଲେ ଯେ ଆଶ୍ରିତ।


ତୁଳସୀ ମୂଳେ ହୋଇ ଶାଳଗ୍ରାମ

ପୂଜା ପାଇଲେ ସେଦିନୁ ପରମ,

ତୁଳସୀ ବିନା ପା'ନ୍ତି ନାହିଁ ଶାନ୍ତି

ତୁଳସୀ ମାଳା ହେଲା ଶୋଭାକାନ୍ତି,

     ଭାବେ ସେ ରସିକ

ଉଦ୍ଧାର  କ ର ନ୍ତି ଜଗତ ଯାକ।


କରୁଣାକର  ଦୟାର  ସାଗର

ଭକତଠାରେ ରସିକ  ନାଗର,

ଶରଣେ ତାଙ୍କର ମିଳେ ମୁକତି

ନାହିଁ ତାଙ୍କର ପକ୍ଷପାତ ନୀତି,

    ଭାବର ଠାକୁର

ଭକ୍ତ ଭକ୍ତି କରି ପାଏ ନିସ୍ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama