ବାଣ୍ଟିକି ଖାଇବା ଭଲ
ବାଣ୍ଟିକି ଖାଇବା ଭଲ
ଶିକ୍ଷକ ସେବେଳେ ଥିଲେ ମୋର ବାପା
ଘରଠୁ ରହନ୍ତି ଦୂରେ ,
ସାନ ଥିଲାବେଳେ ନେଇଥିଲେ ମୋତେ
ତାଙ୍କ ପାଶେ ଏକା-ଥରେ ।
ସବୁ ଯତ୍ନ ନେଇ କେଡ଼େ ଆଦରରେ
ରଖିଥା'ନ୍ତି ମୋତେ ବାପା ,
ସେନେହ ଆଦର ଅଜାଡ଼ି ଦିଅନ୍ତି
ହୁଅନ୍ତିନି ଜମା ଖପ୍ପା ।
ମାଆପାଶୁ ଦୂରେ ରହିଅଛି ବୋଲି
ଭାବନା ଆସେନି ତିଳେ ,
ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ସ୍ନେହ,
ଆଦର ବି କେତେ ମିଳେ ।
ଶନିବାର ଦିନ ପାଠପଢ଼ା ପରେ
ବାହୁଡ଼ିବା ଲାଗି ଘର ,
ବାପ ଝିଅ ଦୁହେଁ ବସରେ ଚଢ଼ିଲୁ
ନ ହୋଇକି ତରତର ।
ମୋତେ ବସାଇକି ବସ ଭିତରେ ସେ
ଆଉ କିଛି ଚିଜ ପାଇଁ ,
ଓହ୍ଲାଇ ପଡ଼ିଲେ ଚାଲୁଥିଲା ବସ
ଟିକେ ଧୀର ଧୀର ହୋଇ ।
ଘରକୁ ଆଣିବା ପାଇଁ କିଣିଥିଲେ
ବାପା କିଛି 'ଛେନାଖଇ' ,
ସେଇ ମଉକାରେ ମୁଣି ଖୋଲି ମୁହିଁ
ଯାଉଥିଲି ତାହା ଖାଇ ।
ମୋ ପ୍ରିୟ ଖାଇବା ଜିନିଷ ଭିତରେ
ଭାରି ଭଲ ଲାଗେ ଏହା ,
ତୁନି ତୁନି କରି ଖାଇଦେଉଥିଲି
ମନଭରି ତେଣୁ ତାହା ।
ଗାଡ଼ି ମୋତେ କେଣେ ନେଇଯିବ ଭାବି
ମନରେ ବି ଥିଲା ଡର ,
ବାପାଙ୍କ ଫେରିବା ବାଟକୁ ମୁଁ ତେଣୁ
ଚାହୁଁଥିଲି ଥର-ଥର ।
ବାପା ଆସିଲାରୁ ସେ ଚିନ୍ତାଟି ଗଲା
ଆଶ୍ୱସ୍ତ ହୋଇଲି ପୂରା ,
'ଛେନାଖଇ' କିନ୍ତୁ ଲୁଚାଇ ଖାଇବା
ପଡ଼ିଗଲା ଏବେ ଧରା ।
ନ ରାଗିକି ବାପା ବୁଝାଇ କହିଲେ
"ଘରେ ଅଛି ସାନ ଭାଇ ,
ଆଈମାଆ ଥିବ ବାଟଚାହିଁ ଆମ
ନେବା କିଛି ତାଙ୍କ ପାଇଁ ।"
ବୁଝିଲି ସେଦିନୁ ସାର କଥାଟିକୁ
"ବାଣ୍ଟିକି ଖାଇବା ଭଲ" ,
ସେଥିରେ ମିଳଇ ଅପାର ଆନନ୍ଦ
କରି ହୁଏନା ତା' ମୁଲ ।