Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Drama

4  

DILIP KUMAR SAHOO

Drama

ପ୍ରଭୁ ତୁମ ସ୍ନାନ ଯାତରା

ପ୍ରଭୁ ତୁମ ସ୍ନାନ ଯାତରା

5 mins
249



ପ୍ରଭୁ ତୁମ ସ୍ନାନ ଯାତରା

ପତିତ ଙ୍କ ଦୁଃଖ ପାଶୋରା।

ପତିତ ପାବନ ତାରଣ

ପତିତ ଉଦ୍ଧାର କାରଣ,

ପତିତ ଙ୍କ ଦର୍ଶନ ପାଇଁ

ସିଂହାସନୁ ଆସ ଓହ୍ଲାଇ।

ସ୍ନାନ ବେଦୀରେ ବିଜେ ହୁଅ

ଭକ୍ତ ଙ୍କ ମନ ମୋହି ନିଅ ।

ଚତୁର୍ଦ୍ଧା ମୂରତୀଙ୍କୁ ଦେଖି

ଧନ୍ୟ ହୁଅଇ ଚର୍ମ ଆଖି ।୧।


ସ୍କନ୍ଦ ପୁରାଣରେ ବର୍ଣ୍ଣନ

ଜ୍ୟେଷ୍ଠ ପୂର୍ଣ୍ଣିମା ଶୁଭ ଦିନ।

ଦାରୁବ୍ରହ୍ମ ହେଲେ ପ୍ରକଟ

ଦେଖି ବିଶ୍ଵ ହେଲା ଚକିତ ।

ଅଧା ଗଢା ଅଦ୍ଭୁତ ମୂର୍ତ୍ତି 

ଝଟକିଲା ଉଜ୍ବଳ ଜ୍ୟୋତି।

ସେ ଜ୍ୟୋତି ସୟଂ ଭଗବାନ

ଦାରୁବ୍ରହ୍ମ ସେ ନରାୟଣ ।

ଜନମ ଦିନ କୁ ସ୍ମରିଣ

ପ୍ରଭୁ କରନ୍ତି ଦିବ୍ୟ ସ୍ନାନ।୨।


ସ୍କନ୍ଦ ପୁରାଣେ ଅଛି ପୁଣି

ସ୍ନାନ ଲିଳା ଦିବ୍ୟ କାହାଣୀ।

ଦେବତା ମାନେ ଚାହିଁ ଥାନ୍ତି

ପ୍ରଭୁ ଙ୍କ ସ୍ନାନ ଦେଖିଥାନ୍ତି।

ଦର୍ଶନେ ଧନ୍ୟ ହୋଇଥାନ୍ତି 

ପୁଷ୍ପ ବରଷା କରିଥାନ୍ତି ।

ସ୍ଵର୍ଗରୁ ଧରି ଗଙ୍ଗା ନୀର

ବ୍ରହ୍ମା ଆସିନ୍ତି ଶ୍ରୀରିକ୍ଷେତ୍ର ।

ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସିଞ୍ଚନ

କରନ୍ତି ପିତାମହ ଜାଣ ।୩।



ସ୍ନାନ ରୁ ଗୁଣ୍ଡିଚା ଯାଏଟି

ମହାପ୍ରଭୁଙ୍କର ସେବାଟି,

ଦଇତାପତିଏ କରନ୍ତି

ମାସେ କାଳ ପାଖେ ରୁହନ୍ତି।

ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ରେ

ସେମାନେ ପସନ୍ତି ମନ୍ଦିରେ ।

ସନ୍ଧ୍ୟା ଧୂପ ଶେଷ ପରେଟି 

ବାହୁଟ କଣ୍ଟ ସେ କରନ୍ତି ।

ପର ଦିନ ଚତୁର୍ଦ୍ଧା ମୂର୍ତ୍ତୀ

ସେନାପଟାଲାଗି କରନ୍ତି।୪।


ଚତୁର୍ଦ୍ଦଶୀ ଦିନ ରାତିରେ

ପ୍ରଭୁଙ୍କ ପହଣ୍ଡି ପାଇଁରେ,

କୋଠ ସୁଆଁସିଆ ମାନେଟି

ଚାରମାଳ ସେତ ବାନ୍ଧନ୍ତି ।

ରତ୍ନ ବେଦୀ ରୁ ତଳଯାଏ

ସେ ଚାରମାଳ ବନ୍ଧାଯାଏ।

ସ୍ନାହାନ ପୂର୍ଣ୍ଣିମା ଦିନଟି

ପ୍ରତ୍ୟକ୍ଷ ସ୍ନାହାନ ପାଇଁଟି,

ପ୍ରଭୁ ଯେ ପହଣ୍ଡି କରନ୍ତି

ତଳକୁ ସହଜେ ଆସନ୍ତି।୫।


ସ୍ନାନ ପୂର୍ଣ୍ଣିମାର ପ୍ରତ୍ୟୁଷ

ଦେବ ନୀତି ହୋଇଲେ ଶେଷ,

ମେଳ ହୋଇ ଦଇତାପତି 

ପ୍ରଭୁଙ୍କ ପହଣ୍ଡି କରନ୍ତି ।

ହଲି ଝୁଲି ଚତୁର୍ଦ୍ଧା ମୂର୍ତ୍ତୀ 

ସାତ ପାହାଚ ତଳେ ଯାନ୍ତି।

ଭୋଗ ନୈବେଦ୍ୟ ଲାଗି ହୁଏ

ଦୀପ ଅର୍ପଣ କରାଯାଏ।

ଟାହିଆ ପ୍ରଭୁ ପିନ୍ଧିଥାନ୍ତି

ସ୍ନାନ ବେଦୀକୁ ଚଳିଥାନ୍ତି।୬।


ଧାଡିରେ ପହଣ୍ଡି ହୁଅଇ

ଘଣ୍ଟ କାହାଳୀ ଉଛୁଳଇ ।

ଆଗେ ଯାଆନ୍ତି ସୁଦର୍ଶନ

ତାପରେ ବଳଭଦ୍ର ଜାଣ। 

ତହୁଁ ଶୂନ୍ୟ ପହଣ୍ଡି କରି

ସୁଭଦ୍ରା ଆସନ୍ତି ଯେ ଥିରି ।

ଶେଷରେ କାଳିଆ ଆସନ୍ତି

ସେବକେ ଗହଳି ଲଗାନ୍ତି ।

ବେଦୀରେ ଚତୁର୍ଦ୍ଧା ମୂରତୀ

ଯତନେ ରୁନ୍ଧା ହୋଇଥାନ୍ତି।୭।


ବଡ଼ଦାଣ୍ଡରେ ଭକ୍ତ ରୁଣ୍ଡ

ପ୍ରଭୁଙ୍କ ନାମ ଘୋଷେ ତୁଣ୍ଡ।

ସ୍ନାନ ବେଦୀରେ ଦିଅଁ ବିଜେ

ଭାବ ଭକ୍ତି ରେ ଭକ୍ତ ହଜେ ।

ଜଳାଧିବାସ ସ୍ନାନ ପାଇଁ 

କରିଥାନ୍ତି ସୁନା ଗୋସାଇଁ ।

ଶହେଆଠ ଗରା ଜଳଟି

ସୁନା କୂଅରୁ ‌ଆସିଥାନ୍ତି ।

କେଶର ଚନ୍ଦନ ମିଶ୍ରିତ 

ଜଳ ହୁଏ ଅଭିମନ୍ତ୍ରିତ ।୮।



ଏଣେ ସ୍ନାହାନ ବେଦୀରେ ଟି

ହୁଅଇ ଦୈନଦିନ ନୀତି ।

ମଇଲମ ମଙ୍ଗଳାଳତି

ଶ୍ରୀମୁଖ ଧୋପଖାଳ ନୀତି ।

ତାପରେ ହୁଏ ଅବକାଶ

ପ୍ରଭୁ ଯେ ହୋଇଥାନ୍ତି ବେଶ ।

ସ୍ନାନ ମଣ୍ଡପ ଚତୁର୍ପାଶ୍ବେ 

ଶାଢ଼ୀରେ ଟେରା ବନ୍ଧାଯାଏ।

ଆସିବାକୁ ଜଳ ଛେକଟି 

ମଣ୍ଡପୁ ଡକରା ଯାଏଟି ।୯।


ବାଜେ କାହାଳୀ ଘଣ୍ଟ ଘଣ୍ଟି

ଛେକ ଛେକ ଜଳ ଆସନ୍ତି।

ଶ୍ରୀଜଗନ୍ନାଥଙ୍କ ପାଇଁଟି

ପଇଁତ୍ରିଶ ଗରା ଜଳଟି।

ପ୍ରଭୁ ଶ୍ରୀ ବଳଭଦ୍ରଙ୍କର

ତେତିଶ ଗରା ଆସେ ଜଳ ।

ସୁଭଦ୍ରାଙ୍କ ବାଇଶି ଗରା

ସୁଦର୍ଶନ ଅଠର ପରା ।

ଶହେ ଆଠ ଗରା ଏମିତି

ଜଳ ଆସି ପୂଜା ହୁଅନ୍ତି ।୧୦।


ଷୋଡ଼ଶ ଉପଚାରେ ଜଳ

ପୂଜିତ ହୁଅନ୍ତି ସକଳ ।

ରୁପା ପିଙ୍ଗଣେ ସେହି ଜଳ

ତହୁଁ ଯେ କରାଯାଏ ଠୁଳ।

ଦିଅଁ ମାନଙ୍କପରେ ନେଇ

ସେହି ଜଳ ଢଳା ହୁଅଇ ।

ଘଣ୍ଟ ଘଣ୍ଟା ଭେରୀ କାହାଳୀ

ଚଉଦିଗ ପଡେ ଉଛୁଳି।

ଜୟ ଜୟ ଜଗତନାଥ

ଉଦଣ୍ଡେ ନାଚୁଥାନ୍ତି ଭକ୍ତ।୧୧।


ସ୍ନାନ ପରେ ଚତୁର୍ଦ୍ଧା ମୂର୍ତ୍ତୀ

ପାଟ ପିନ୍ଧି ବେଶ ହୁଅନ୍ତି।

ମସ୍ତକରେ ତୁଳସୀ ଚୂଳ

ଗଳାରେ ଝୁଲେ ଫୁଲ ମାଳ ।

ଗଜପତି ରାଜା ଆସନ୍ତି

ଛେରାପହଁରା ସେ କରନ୍ତି।

କରନ୍ତି ଆଳତୀ ଅର୍ପଣ

ପ୍ରଭୁଙ୍କ ପାଦେ ସମର୍ପଣ।

ବିଶ୍ଵର ମଙ୍ଗଳ ପାଇଁକି

ରାଜା ପ୍ରାର୍ଥନା କରିଥାନ୍ତି।୧୨।


ସ୍ନାନ ପୂର୍ଣ୍ଣିମା ଆକର୍ଷଣ

ପ୍ରଭୁଙ୍କ ହାତୀ ବେଶ ଜାଣ ।

ଏ ବେଶ ବରଷକେ ଥରେ

ପ୍ରଭୁ ଯେ ସ୍ନାହାନ ବେଦୀରେ ।

ଅଛି କିମ୍ବଦନ୍ତୀ କାହାଣୀ

ବେଶ କଥା ଯାଏ ବଖାଣୀ ।

ଭକ୍ତ ଙ୍କୁ କରିବାକୁ ତୋଷ

ପ୍ରଭୁ ହୁଅନ୍ତି ଏହି ବେଶ।

ଭକ୍ତ ବତ୍ସଳ ଭାବଗ୍ରାହୀ

କରନ୍ତି ଲିଳା ଭକ୍ତ ପାଇଁ।୧୩।


ଅନେକ ବରଷ ତଳେ ଟି 

ଆସି ଥିଲେ ଜଣେ ମରାଠୀ ।

ସେ ପରମ ଗଣେଶ ଭକ୍ତ

ନାମ ଯେ ଗଣପତି ଭଟ୍ଟ।

ମହାପ୍ରଭୁଙ୍କ ରୂପ ଦେଖି

ଫେରାଇ ନେଲେ ସେତ ଆଖି ।

ସେ ଜେଣୁ ଗଣେଶ ଙ୍କ ଭକ୍ତ

ଅସନ୍ତୋଷ ହୋଇଲେ ସେତ।

ଶ୍ରୀମନ୍ଦିରୁ ଗଲେ ଲେଉଟି

ମନ ଉଣା କରି ସେହିଟି।୧୪।


ଭକ୍ତ ର କଥା ପ୍ରଭୁ ଜାଣି

ମାୟା ରଚିଲେ ନୀଳମଣି।

ତାପରଦିନ ସ୍ନାନ ଯାତ୍ରା

ଉଛୁଳୁଥିଲା କ୍ଷେତ୍ର ସାରା ।

ସ୍ନାନ ବେଦୀକୁ ପ୍ରଭୁ ଆସି

ପ୍ରତ୍ୟକ୍ଷ ସ୍ନାନ କଲେ ହସି ।

ତାପରେ ହାତୀ ବେଶରେ

ଦରଶନ ଦେଲେ ଠାକୁରେ ।

ଅପୂର୍ବ ସେହି ରୂପ ଦେଖି

ଭକ୍ତ ଙ୍କ ଆଖି ଗଲା ଲାଖି।୧୫।


ଗଣପତି ଯେ ଭୋଳ ହୋଇ

କହିଲେ ଗଣେଶ ମୋ ଏହି।

ପ୍ରଭୁଙ୍କୁ କ୍ଷମା ସେ ମାଗିଲେ 

ପାଦରେ ଶରଣ ପସିଲେ ।

କହିଲେ ତମେ ନାରାୟଣ

ମୋ ପ୍ରିୟ ପ୍ରଭୁ ଗଜାନନ।

ଭକ୍ତ ମନକୁ ବୁଝି ପାର

ନାଥ ତୁମେ ସାରା ବିଶ୍ବର ।

ଅପୂର୍ବ ତୁମ ଏହି ଲିଳା

ଉଣା କରିଲ ଭକ୍ତ ଜ୍ବଳା।୧୬।


ସେହି ଦିନ ଠାରୁ ଠାକୁରେ

ହାତୀ ବେଶ ସ୍ନାନ ବେଦୀରେ।

ରାଘବ ଦାସଙ୍କ ମଠଟି

ବେଶ ସାମଗ୍ରୀ ସେ ପଠାନ୍ତି।

ସ୍ନାନ ପରେ ସେ ହାତୀ ବେଶ

ଚମକି ଉଠେ ଦଶଦିଶ।

ବେଶ ପରେ ପୁଷ୍ପାଳକ ଟି

କର୍ପୂର ଆଳତୀ କରନ୍ତି।

ମଣ୍ଡପେ ଟେରା ବନ୍ଧାଯାଏ

ସକାଳ ଧୂପ ଲାଗି ହୁଏ।୧୭।


ସେତ ତିଳଛ୍ଛ ମହାପାତ୍ର

ପ୍ରଧାନୀ ଆଉଯେ ଛତାର,

ଘଣ୍ଟୁଆ କାହାଳିଆ ମିଶି

ଯାଇଥାନ୍ତି ସେ ଛେକ ଡାକି।

ପାଣି ପଡି ଯେ ଛେକ ଆସେ

ସ୍ନାନ ମଣ୍ଡପେ ଧୂପ ବସେ।

ତାପରେ ଶାହାଣମେଲାଟି

ଭକତେ ଧାଡିରେ ଆସନ୍ତି।

ପ୍ରଭୁ ଙ୍କୁ ପାଖରେ ଦେଖନ୍ତି

ଜୀବନକୁ ଧନ୍ୟ କରନ୍ତି।୧୮।


ଶାସ୍ତ୍ର ରେ ରହିଛି ବର୍ଣ୍ଣନ

ସ୍ନାନ ଲିଳା କଲେ ଦର୍ଶନ,

ଭବ ଯାତନା ଦୂର ହୁଏ 

ପାପରୁ ମୁକ୍ତି ମିଳି ଥାଏ ।

ଦାନ ଧର୍ମ ର ଯାହା ପୂଣ୍ୟ

ସ୍ନାନ ଦର୍ଶନେ ଅରଜନ ।

ଯମଙ୍କୁ ଡର ରହେ ନାହିଁ

ଅଭାବ ଯାଏ ଦୂର ହୋଇ।

ସ୍ନାନ ବେଦୀରେ ଚାରି ମୂର୍ତ୍ତୀ

ଦେଖି ଭରଇ ପ୍ରାଣେ ଶାନ୍ତି।୧୯।


ସ୍କନ୍ଦ ପୁରାଣ ବଖାଣଇ

ପ୍ରଭୁ ଙ୍କ ସ୍ନାନ ଜଳ ନେଇ,

ମଥାରେ କରିଲେ ସିଞ୍ଚନ

ରୋଗ ବ୍ୟାଧି ରୁ ପରିତ୍ରାଣ।

ଅପୁତ୍ରିକ ଯେ ପୁତ୍ରବତୀ

ସେ ଜଳେ ସ୍ନାନ ଯେ କରନ୍ତି।

ମନସ୍କାମନା ହୁଏ ପୂର୍ଣ୍ଣ

ସ୍ନାନ ଜଳକୁ କଲେ ପାନ।

ପ୍ରଭୁ ଙ୍କ କୃପା ବାରି ସେହି

ଧନ୍ୟ ହୁଅନ୍ତି ଭକ୍ତେ ପାଇ।୨୦।


ସାହାଣମେଲା ହେଲେ ଶେଷ

ଉଲାଗି ହୁଏ ହାତୀ ବେଶ।

ସ୍ନାନ ଯୋଗୁ ଚତୁର୍ଦ୍ଧା ମୂର୍ତ୍ତୀ

ଖଇଫୁଟା ଜରେ ପଡନ୍ତି।

ଗୋଟି ପହଣ୍ଡିରେ ଫେରନ୍ତି

ଅଣସର ଘରେ ରୁହନ୍ତି।

ଚନ୍ଦନ ଅର୍ଗଳୀ ପାଖରେ

ତାଟି ପରା ଦିଆଯାଇରେ।

ଅଣସର ଘର ହୁଏଟି

ଦିଅଁ ସେହି ଘରେ ରୁହନ୍ତି।୨୧।


ଅଣସର ଘରେ ଗୁପ୍ତ ରେ

ଦିଅଁ ଙ୍କର ସେବା ହୁଏରେ ।

ତିନି ବାଡ଼ ଦଇତାପତି

କରନ୍ତି ଏ ଗୁପତ ନୀତି ।

ସ୍ନାନ ଯୋଗୁ ଓଦା ବସନ

ଉଲାଗି ହୁଏ ଆଗ ଜାଣ ।

ଶ୍ରୀଅଙ୍ଗ ଫିଟା ନୀତି ସେହି

ଗୁପତରେ ସେତ ହୁଅଇ।

ପ୍ରଭୁଙ୍କର କରାଳ ରୂପ

ଆରମ୍ଭ ଅଣସର ଚାପ । ୨୨।


ଗୁପ୍ତେ ପ୍ରଥମ ଚାରିଦିନ 

ହୁଏ କରାଳ କର୍ମମାନ।

ଅଙ୍ଗରୁ ବସନ ଉତାରି

ଛଡାଯାଏ ଝୁଣା କସ୍ତୁରୀ,

ଚୁଆ ଚନ୍ଦନ ର ଲେପନ

ଛଡ଼ାଇବା ହୁଏ ସମ୍ପର୍ଣ୍ଣ।

ଶ୍ରୀଅଙ୍ଗରୁ ଯାହା ଛାଡଇ

କରାଳ ତାହାକୁ ବୋଲାଇ।

କରାଳ କର୍ମ ତେଣୁ ତାହା

ଗୁପତେ ହୋଇଥାଏ ଏହା।୨୩।



କରାଳ କରମ ପରେଟି

ପଇତା ଲାଗି ଯେ ହୁଏଟି।

ପାଟ କପଡା ଛେଚା ଯାଏ

ଶ୍ରୀଅଙ୍ଗରେ ଯେ ଗୁଡାଯାଏ।

ଛକି ପଡିବାର ପରିଟି

କପଡା କୁ ଗୁଡା ଯାଏଟି।

ପଇତା ଲାଗି ତାହା ଜାଣ

ତା'ପରେ ଚନ୍ଦନ ଲେପନ ।

ମୂର୍ତ୍ତୀ ଙ୍କୁ କରିବାକୁ ଶକ୍ତ

ପ୍ରାଚୀନ କୌଶଳ ଏହାତ ।୨୪।



ଶ୍ରୀଅଙ୍ଗରେ ଲାଗି ହେବାକୁ

ଆସେ ବଡ ଓଡ଼ିଆ ମଠୁ ,

ଚନ୍ଦନ କର୍ପୂର ପିଙ୍ଗଳ

ଚୂଆ ପରଖ ରାଶିତେଲ।

ଫୁଲୁରି ତେଲ ଆସିଥାଏ

ଶ୍ରୀତୈଳ ଭାବେ କ୍ଷାତ ସିଏ ।

ଯତନରେ ପ୍ରସ୍ତୁତ ହୋଇ

ପ୍ରଭୁଙ୍କ ସେବାରେ ଲାଗଇ ।

ଲାଗଇ ଯେ ବରଷେ କାଳ

ପ୍ରସ୍ତୁତ ହେବାକୁ ସେ ତୈଳ ।୨୫।


ଘଣାରେ ପେଡା ରାଶିତେଲ 

ଚଉଦ ପ୍ରକାର ର ଫୁଲ ,

ଚେର ମୂଳ ସାତ ପ୍ରକାର

ଔଷଧୀୟ ଗୁଣରେ ସାର,

ସୁବାସିତ ଦ୍ରବ୍ୟ କେତେତ 

ସେ ତେଲରେ ମିଶିଥାଏତ।

ହେରାପଞ୍ଚମୀ ରେ ତେଲ ଟି

ମାଟି ତଳେ ପୋତାଯାଏଟି।

ବର୍ଷକ ପରେ କଢା ହୁଏ

ପ୍ରଭୁଙ୍କ ଦେହେ ଘଷାଯାଏ।୨୬।



ଶ୍ରୀତୈଳ ହୁଅଇ ଘର୍ଷଣ

ତହୁଁ ଶ୍ରୀକପଡା ବନ୍ଧନ।

କ୍ଷୀର ଚାଉଳ ରନ୍ଧା ହୁଏ

ପ୍ରଭୁଙ୍କ ଦେହେ ଘଷାଯାଏ।

ତାପରେ ଝୁଣା ରାଶିତେଲ

କର୍ପୂର ଚନ୍ଦନ ଲେପନ।

ଶରୀର ହୁଅଇ ମଶୃଣ

ପ୍ରଭୁ ଯେ ଦିଶନ୍ତି ଚିକ୍କଣ।

ଦଇତାପତି ନିଷ୍ଠାରେ ତ

କରନ୍ତି ନୀତି ସମ୍ପାଦିତ।୨୭।


ଆଷାଢ଼ କୃଷ୍ଣ ଦଶମୀ ଟି

ଚକା ବିଜେ ଦିଅଁ ହୁଅନ୍ତି।

ଅଣସର ଘରେ ସେଦିନ

ପ୍ରଭୁଙ୍କ ସ୍ବାସ୍ଥ୍ୟେ ଦେଇ ଧ୍ଯାନ,

ମୁଗୁନି ପଥରେ ନିର୍ମିତ

ତିନିଗୋଟି ଚାକା ଯେ ସେତ,

ଯତନରେ ରଖାଯାଏ ଟି

ଯହିଁ ଦିଅଁ ବିଜେ ହୁଅନ୍ତି ।

ସୁସ୍ଥ ହେବାକୁ ଦିଅଁ ମାନେ

ମୋଦକ ଖାଆନ୍ତି ସେମାନେ ।୨୮।


ରାଜବୈଦ୍ୟଙ୍କର ପ୍ରସ୍ତୁତ

ଦଶମୂଳ ମୋଦକ ସେତ।

ବେଲ ଗମ୍ଭାରୀ ଶାଳପର୍ଣ୍ଣି

ଗୋଖରା ଆଉ କୃଷ୍ଣପର୍ଣ୍ଣି 

ଅଗବଥ ପାଟଳୀ ଆଦି 

ମିଶି ସବୁ ଗୁଣ୍ଡ ହୁଅଇ।

ମିଶେ ତହିଁ ରେ ମହୁ ଘୃତ

ଖୁଆ ଭାଙ୍ଗ ଆଉ ନବାତ।

ମୋଦକ ହୁଅଇ ପ୍ରସ୍ତୁତ

ଦିଅଁ ଖାଇ ହୁଅନ୍ତି ସୁସ୍ଥ।୨୯।


ଆଷାଢ଼ ମାସ କୃଷ୍ଣ ପକ୍ଷ

ଏକାଦଶୀ ର କଥା ମୁଖ୍ୟ।

ଆରୋଗ୍ୟ ହୁଅନ୍ତି ଠାକୁର

ରାଜାଘରେ ଯାଏ ଖବର ।

କସ୍ତୁରୀ କର୍ପୂର ଚନ୍ଦନ 

ପ୍ରଭୁଙ୍କୁ ହୁଅଇ ଲେପନ ।

ଠାକୁରେ ହୋଇବାରୁ ସୁସ୍ଥ

ଭୋଗ ବେଳେ ବାଜଇ ଘଣ୍ଟ ।

ସେହି ଦିନ ରାତିରେ ଜାଣ

ଦିଅଁ ଙ୍କ ଠି ଖଡ଼ି ଲେପନ।୩୦।


ତହୁଁ ଓଷୁଅ ଲାଗି ନୀତି 

ଦ୍ବାଦଶୀ ରେ ହୋଇ ଥାଏ ଟି ।

ଝୁଣା କର୍ପୂର କସ୍ତୁରୀ ରେ

ସୁବାସିତ ଦ୍ରବ୍ୟ ଗୋଳିରେ

ରାଶିତେଲେ ହୁଏ ରନ୍ଧନ

ଦିଅଁ ଙ୍କ ଠି ହୁଏ ଲେପନ ।

ସେ ସମୟେ ଓଷୁଅ ଯାହା

ଝରିପଡେ ନିର୍ମାଲ୍ୟ ତାହା ।

ରାଜ ଉଆସେ ପଠାଯାଏ

ସୁସ୍ଥ ବାରତ୍ତା ଦିଆଯାଏ।୩୧।


ଅଣସର ର ତେର ଦିନ

ଘଣାଲାଗି ହୁଏ ସେଦିନ ।

ପାଟ ଡୋରୀ ଖଡ଼ି ପ୍ରସାଦ

ଲାଗେ ପୁଣି ଖଳି ପ୍ରସାଦ।

ଗହମକୁ ଗୁଣ୍ଡ କରି ତ

କନାରେ ଯେ ଛଣା ଯାଏତ।

ଖଳି ପ୍ରସାଦ ସେତ ହୁଏ

ପ୍ରଭୁଙ୍କୁ ଲାଗି ହୋଇଥାଏ।

ଶଙ୍ଖକୁ ଯତ୍ନେ ପୋଡା ଯାଏ

ତା ପାଉଁଶ ରୁ ଖଡ଼ି ହୁଏ ।୩୨।


ଅଣସର ଚତୁର୍ଦ୍ଦଶୀ ରେ

ବନକ ଲାଗି ଯେ ହୁଏରେ।

ଦତ୍ତ ମହାପାତ୍ର ସେବକ

ଅଟଇ ଏହା ସେବା ତାଙ୍କ।

ଚେର ମୂଳ ଫୁଲ ଫଳଟି

ଭକତିରେ ସେ ବାଟି ବୁଟି,

ଜାତି ଜାତି ରଙ୍ଗ କରନ୍ତି

ଧଳା କଳା ନାଲି ରଙ୍ଗ ଟି ।

ପ୍ରଭୁଙ୍କ ମୁଖ ରଙ୍ଗ ହୁଏ

ତହୁଁ ରୂପ ଝଟକି ଥାଏ ।୩୩।


ଅନବସର ଶେଷ ଦିନ

ଚକା ଅପସର ସେଦିନ।

ନୂଆ କନା ନୂଆ ତୁଳାରେ

ଚକା ତିଆରି ହୁଅଇରେ।

ଦିଅଁ ଙ୍କୁ ଲାଗି ହୁଏ ସେତ

ଅନବସର ହୁଏ ଶେଷ।

ଅମାବାସ୍ୟା ଯେ ପରଦିନ 

ନବଯୌବନ ଦରଶନ ।

ତାପରେ ହୁଏ ରଥ ଯାତ

ଉଛୁଳେ ଜୟ ଜଗନ୍ନାଥ।୩୪।




Rate this content
Log in

Similar oriya poem from Drama