STORYMIRROR

DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ସାରା ରାଇଜର ପ୍ରାଚୀନ ଦେବୀ

ସାରା ରାଇଜର ପ୍ରାଚୀନ ଦେବୀ

5 mins
25


ଦୁର୍ଗତି ନାଶିନୀ ମାଆ ଗୋ ଦୁର୍ଗା ସିଂହ ବାହିନୀ 

ଚରଣରେ କୋଟି ପ୍ରଣାମ ଭବ ଭୟ ହାରିଣୀ।

ଭକତ ବତ୍ସଳା ଦେବୀ ଗୋ ତୁମେ ବିଶ୍ଵ ବନ୍ଦିତା 

ନାନା ରୂପ ନାନା ନାମରେ ନାନା ସ୍ଥାନେ ପୂଜିତା ।

ଦୟା କଲେ ଦୟାମୟୀ ଗୋ ଜଗତର ଜନନୀ 

ସାରା ରାଜ୍ଯ ପୀଠ ଦେବୀଙ୍କ କଥା ଯିବି ବଖାଣି।


ମଙ୍ଗଳମୟୀ ମା ମଙ୍ଗଳା ବିଜେ କାକଟ ପୁରେ

ଚତୁର୍ଭୁଜା ଦେବୀ ଆସିନ ପଦ୍ମ ଫୁଲ ଉପରେ ।

ଶ୍ରୀକ୍ଷେତ୍ର ସହିତ ମାଆଙ୍କ ସମ୍ପର୍କ ଯେ ଅନନ୍ୟ 

ନିତି ନିଶାର୍ଦ୍ଧରେ କରନ୍ତି ସେ ଜଗନ୍ନାଥ ଦର୍ଶନ।

ନବକଳେବର ସମୟେ ଦାରୁଙ୍କର ସନ୍ଧାନ

ଦଇତାପତି ଙ୍କୁ ଦିଅନ୍ତି ଦେଖାଇ ସେ ସପନ।


ଝଙ୍କଡ଼ ବାସିନୀ ସାରଳା ଦୁର୍ଗା ସେ ସରସ୍ବତୀ 

ସିଂହ ବାହିନୀ ସେ ପୁସ୍ତକ ବୀଣା ଧରି ଅଛନ୍ତି।

ଅଭୟ ବରଦା ଦାୟିନୀ ଦୟା କରିଲେ ମାତ

ଜ୍ଞାନ ଆଲୋକର ପ୍ରକାଶେ ମୂର୍ଖ ହୁଏ ପଣ୍ଡିତ।

ମାଆଙ୍କ ଦୟାରୁ ଶିଦ୍ଧିଆ ହେଲେ ସାରଳା ଦାସ

ମହାଭାରତ ସେ ଲେଖିଲେ ଲଭି ମାତୃ ଆଶିଷ।


ସମ୍ବଲପୁର ରେ ବିଜେ ମା ମାଗୋ ସମଲେଶ୍ଵରୀ 

ତୁମରି ଆଶିଷେ ଯାଏ ଗୋ ଦୁଃଖୀ ସଂସାର ଭରି।

ସିନ୍ଦୂର ମୁଖୀ ଗୋ ଜନନୀ ତୁମେ ଜଗତ ରାଣୀ

ମହାନଦୀ ବହି ଯାଉଛି ତୁମ ଗୁଣ ବଖାଣି।

ନୂଆଖାଇ ଦିନ ପୀଠ ଯେ ତୁମ ପଡେ ଉଛୁଳି

ଶହସ୍ର ଶହସ୍ର ଭକ୍ତଙ୍କ ଲାଗିଥାଏ ଗହଳୀ।


କଳାହାଣ୍ଡି ରାଜରାଣୀ ଗୋ ମାତା ମାଣିକେଶ୍ଵରୀ 

ତୁମେ ଛିନ୍ନମସ୍ତା ଦେବୀ ଗୋ ତୁମେ ଖ'ମ୍ବେଶ୍ବରୀ।

ଖମ୍ବ ପରି ତୁମ ରୂପ ଯେ ମାଟି ମୁଣ୍ଡ ଖଞ୍ଜାଟି 

ମୂଳାଷ୍ଟମୀ ଦିନ ବଦଳେ ମୁଣ୍ଡ ପ୍ରତି ବର୍ଷ ଟି।

ତୁମରି ଛତର ଯାତରା ବଳି ଭୋଗ ଉତ୍ସର୍ଗ 

ଘୁମୁରା ନାଦ ରେ ଉଛୁଳୁଥାଏ ମାଟି ରୁ ସ୍ବର୍ଗ ।


ପାଟଣେଶ୍ବରୀ ମା ପାଟଣା ଗଡ଼ ଗଡାଧିଶ୍ବରୀ

ଭକତ ବତ୍ସଳା ମାଆ ଗୋ ଅରୀ ବିନାଶ କାରୀ।

ତୁମେ କଲେ ଦୟା ଯାଏଲୋ ବାଧାବିଘ୍ନ ଦୂରେଇ

ଭୂତ ପିଶାଚ୍ଚ ଙ୍କ ଭୟ ଯେ ଜମା ରହେନି କାହିଁ।

ରୁହେନି ଅଭାବ କଷଣ ତୁମେ କରିଲେ ଦୟା

ଅବାଟରେ ଗଲେ ମାଆ ଗୋ ଦିଅ ବତାଇ ରାହା ।


ଶଙ୍ଖ ଚକ୍ର ଖଣ୍ଡା ଖର୍ପର ଶୂଳ ଡମ୍ବରୁ ଧରି

ବିଜେ କରିଅଛ ମାଆ ଗୋ ତୁମେ ଅସୁର ଅରୀ।

ସୁରେଶ୍ଵରୀ ଭାବେ ମାଆ ଗୋ ତୁମେ ଜଗତେ କ୍ଷାତ

ସୋନପୁର ଅଧିଷ୍ଠାତ୍ରୀ ଗୋ ସିଂହ ପରେ ଶୋଭିତ।

ଅଭୟ ଦାୟିନୀ ଦେବୀ ଗୋ ଶାନ୍ତି ମୁକ୍ତି ଦାୟିନୀ 

ଅସୀମ ମହିମା ତୁମର ଶାସ୍ତ୍ର ଯାଏ ବଖାଣି।


ନାଗାବଳୀ ନଦୀ କୂଳରେ ତୁମେ ବିଜେ କରିଛ

ମଝିଘରିଆଣୀ ନାମରେ ତୁମେ ପୂଜା ପାଉଛ।

ମାଟି ତଳେ ପୋତି ହୋଇଯେ ବହୁବର୍ଷ ରହିଲ

ଦେଖାଦେଇ ରାୟଗଡ଼ା ରେ ତୁମେ ପୂଜା ପାଇଲ।

ତୁମେ ଦୟା କଲେ ହୁଅଇ ଅସାଧ୍ୟ ଯେ ସାଧନ

ସମାଧାନ ହୁଏ ସମସ୍ୟା କଲେ ତୁମକୁ ଧ୍ୟାନ।


ଭଣ୍ଡାର ଘରଣୀ ମାଆ ଗୋ ନବରଙ୍ଗପୁର ରେ

କୈବର୍ତ୍ତ ବ୍ରାହ୍ମଣ ପୂଜିତା ତୁମେ ଦୁର୍ଗା ରୂପରେ।

ଚର୍ମ ନେତ୍ରେ ତୁମ ଦର୍ଶନ ନୁହେଁ ସହଜ ଯେଣୁ 

ଦର୍ପଣ ରେ ପ୍ରତିବିମ୍ବ ଟି ଭକ୍ତ ଦେଖନ୍ତି ତେଣୁ।

ରାଇଜ ରାଇଜ ବାହାରୁ ଭକ୍ତ ଆସନ୍ତି ନିତି

ପୂଜା ଅରଚନା କରିଣ ଭକ୍ତେ ଧନ୍ୟ ହୁଅନ୍ତି।


କୁଳୁକୁଳୁ ବହି ଯାଉଛି ଋଷିକୂଲ୍ୟା ତଟିନୀ 

କୂଳେ ତା ପର୍ବତ ଶିଖରେ ବିଜେ ତାରାତାରିଣୀ।

ଦକ୍ଷ ଯଜ୍ଞେ ହତ ସତୀଙ୍କ ସ୍ତନ ଯୁଗଳ ତହିଁ 

ପଡ଼ିଥିଲା ଯହୁଁ ଜନ୍ମିଲେ ସେହି ଭଉଣୀ ଦୁଇ।

ଜଣେ ତାରା ଜଣେ ତାରିଣୀ ଭାରି ପ୍ରତ୍ୟକ୍ଷ ଦେବୀ 

ଦୂରିତ ନାସନ୍ତି ମାଆଙ୍କୁ ଯିଏ ହୁଅଇ ଭାବି ।


ଫୁଲବାଣୀ କନ୍ଧମାଳ ରେ ମାଆ ବରାଳ ଦେବୀ 

ମନବାଞ୍ଛା କର ପୂରଣ ହେଲେ ତୁମକୁ ଭାବି।

ବନ ଦୁର୍ଗା ଦୟାମୟୀ ଗୋ ତୁମେ ମହିମାମୟୀ 

ଦୟା କଲେ ଦାଉ ଧକ୍କା ଯେ ସବୁ ଯାଏ ଦୂରେଇ।

ବଣ ଜଙ୍ଗଲ ରେ ଭରାଟି ତୁମ ପବିତ୍ର ପୀଠ

ଜଗତ ଉଦ୍ଧାର କାରିଣୀ ବୋଲି ଜଗତ କ୍ଷାତ ।


ମାଆ ବୈଷ୍ଣୋଦେବୀ ରାଉରକେଲା ସହରେ ସେତ

ଦୁର୍ଗାପୁର ନାମେ ପାହାଡ଼ ପରେ ମାଆ ଙ୍କ ପୀଠ।

ପାହାଚ ପାହାଚ ଚଢିଣ ଭକ୍ତ ମାନେ ଯାଆନ୍ତି 

କଣାଏ କରୁଣା ପାଇଁକି ତହିଁ ଠୁଳ ହୁଅନ୍ତି।

ନବରାତ୍ରୀ ନବଦିନ ଯେ ଯାଗ ଯଜ୍ଞ ହୁଅଇ

ଚଣ୍ଡୀ ପାଠ ଦେବୀ ବନ୍ଦନା ପୀଠ ଉଛୁଳୁ ଥାଇ ।


କୋରାପୁଟ ଜିଲ୍ଲା ଦାମନଯୋଡି ସହରେ ବିଜେ

କଣ୍ଟା ବାଉଁଶାଣୀ ଦେବୀ ଯେ ଶୂନ୍ୟ ରୂପରେ ସେ ଯେ।

ଶୂନ୍ୟ ରୂପୀ ଶୂନ୍ୟ ଦେହି ସେ ଶୂନ୍ୟେ ଉଡ଼ଇ ଧ୍ଵଜା

କଣ୍ଟା ବାଉଁଶ ର ଗହଳେ ମାଆ ପାଆନ୍ତି ପୂଜା।

ଭକତି ରେ ଯିଏ ଡାକନ୍ତି ମାଆ ଦେଖା ଦିଅନ୍ତି 

ଭକତ ମାନଙ୍କ ଦୁଃଖ କୁ ସେତ ଦୂର କରନ୍ତି।


ପାଦ କ୍ଷେତ୍ର ଭାବେ ଶ୍ରୀକ୍ଷେତ୍ର ପୁରାଣରେ ବର୍ଣ୍ଣିତ 

କ୍ଷେତ୍ରେଶ୍ବରୀ ତହିଁ ବିମଳା ଶ୍ରୀମନ୍ଦିରେ ପୂଜିତ।

ତନ୍ତ୍ର ରେ ବିମଳା ଭୈରବୀ ଜଗନ୍ନାଥ ଭୈରବ

ବିମଳା ଯେ ଦୁର୍ଗା ରୂପିଣୀ ଜଗନ୍ନାଥ ମାଧବ।

ବଳଭଦ୍ରଙ୍କର କ୍ରିୟା ସେ ଜଗନ୍ନାଥ ଙ୍କ ମାୟା

ସୁଭଦ୍ରାଙ୍କ ଇଛା ଶକତି ଭକତଙ୍କୁ ସେ ସାହା।


କୁଲଡିହା ନାମେ ଅଭୟାରଣ୍ୟ ବାଲେଶ୍ଵରରେ

ମାଆ ବନ ଦେବୀ ବଡମ୍ବା ପୀଠ ଅଛି ସେଠାରେ।

ଜରାସନ୍ଧ ସେହି ଦେବୀ ଙ୍କୁ କରିଥିଲେ ପ୍ରତିଷ୍ଠା 

ଦଶ ଭଉଣୀଙ୍କ ସାଥିରେ ମାଆ ହେଲେ ସ୍ଥାପିତା।

ରାଜ୍ଯ ଆଉ ରାଜ୍ୟ ବାହାରୁ ଭକ୍ତ ମାନେ ନିଇତି

ଘୋର ବନେ ଆସି ଦେବୀଙ୍କୁ ପୀଠେ ପୂଜା କରନ୍ତି।


ଭଦ୍ରକର ଅଧିଷ୍ଠାତ୍ରୀ ଯେ ଭଦ୍ରା କାଳୀ ଅଟନ୍ତି 

ରୁଦ୍ରଙ୍କର ସହଚରୀ ସେ ଭବ ଭୟ ହରନ୍ତି।

ଦକ୍ଷ ଯଜ୍ଞେ ଅପମାନିତ ସତୀଙ୍କର କ୍ରୋଧାଗ୍ନି

ସୃଷ୍ଟି କଲେ ଭଦ୍ରକାଳୀ ଙ୍କୁ ବିଶ୍ବେ ଜଳାଇ ବହ୍ନି।

ଧନ ଧାନ୍ଯେ ଭରି ଦିଅନ୍ତି ମାଆ କରିଲେ ଦୟା।

ସୁଖ ସମୃଦ୍ଧି ତ ମିଳଇ ମାଆ ହୋଇଲେ ସାହା।


ଯଜ୍ଞପୁର ଯାଜପୁର ରେ ବିଜେ ମାଆ ବିରଜା

ଯୁଗ ଆରମ୍ଭରୁ ମାଆ ଯେ ତହିଁ ପାଆନ୍ତି ପୂଜା ।

ପିତାମହଙ୍କର ଯଜ୍ଞରୁ ମାଆ ହେଲେ ଉତ୍ପତ୍ତି

ଦୁଇଭୂଜା ଦେବୀ ଦୁର୍ଗା ସେ ତାଙ୍କ ଅପୂର୍ବ ମୂର୍ତ୍ତୀ।

ମହିଷମର୍ଦ୍ଦିନୀ ଦେବୀ ଗୋ ମାଆ ସିଂହ ବାହିନୀ 

କାନ ଡ଼େରି ଶୁଣି ଥାଅ ଗୋ ଦୀନ ଦୁଃଖ ଦଇନୀ।


 କୁଶଭଦ୍ରା ନଦୀ ମୁହାଣେ ବାସେ ଫୁଲ ଚନ୍ଦନ 

ତହିଁ ରାମଚଣ୍ଡୀ ଚଣ୍ଡୀ ଙ୍କ ଦିବ୍ୟ ମନ୍ଦିର ଜାଣ।

କୋଣାର୍କ ଠୁ ଅଳ୍ପ ଦୂରରେ ମାଆଙ୍କର ଆସ୍ଥାନ 

ରାମଚନ୍ଦ୍ର କରିଥିଲେ ତ ଦେବୀ ଙ୍କୁ ଯେ ସ୍ଥାପନ।

ଦଶଭୁଜା ଦେବୀ ଭବାନୀ ଦୀନ ଦୁଃଖ ହାରିଣୀ 

ସିନ୍ଦୂର ମଣ୍ଡିତା ସୁନ୍ଦର ରୂପ ସିଂହ ବାହିନୀ।


ଗଉରୀ ରୂପରେ ମାଆଗୋ ବିଜେ ଭୁବନେଶ୍ୱରେ

ଦୁଃଖୀ ଦୁଃଖ କର ହରଣ ତୁମ ନାମ ସ୍ମରିଲେ।

ସ୍ନେହ ଶ୍ରଦ୍ଧା ପ୍ରେମ ପ୍ରତୀକ ଏହି ପବିତ୍ର ପୀଠ

ପ୍ରେମ ପରିଣୟ ସଫଳ ଦୟା କରିଲେ ମାତ।

ପୀଠ ର ମରିଚି କୁଣ୍ଡର ପାଣି କରିଲେ ପାନ

ବନ୍ଧ୍ୟା ଦୋଷ ଦୂର ହୁଅଇ କଥା ରହିଛି ଜାଣ ।


ଚିଲିକା କୂଳରେ ଥିଲା ଟି ବାଣାସୁର ରାଇଜ

ବାଣପୁର ବୋଲି ନାମିତ ସେହି ଅଞ୍ଚଳ ଆଜ।

ତହିଁ ଘଣ୍ଟଶିଳା ପାହାଡ଼ ସରତୁଆ ତଟିନୀ 

ବିଜେ ଦେବୀ ଭଗବତୀ ଗୋ ମାତା ସିଂହ ବାହିନୀ।

ଅଷ୍ଟଭୂଜା ଦେବୀ ଦୁର୍ଗା ସେ ଅସ୍ତ୍ରଶସ୍ତ୍ର ଶୋଭିନୀ 

ମହିଷମର୍ଦ୍ଦିନୀ ମାଆଗୋ ଦେବୀ ସିଂହ ବାହିନୀ ।


ବାଙ୍କୀ ରେ ରହିଛି ପର୍ବତ ନାମ ତାର ରୁଚିକା

ସେହି ପରବତ ଶିଖରେ ବିଜେ ମାଆ ଚର୍ଚ୍ଚିକା।

ଭକ୍ତ ତାଙ୍କ ପ୍ରିୟ ବୋଲିତ ମାଆ ସଦା ଚର୍ଚ୍ଚିତ

ନାମ ତେଣୁ ତାଙ୍କ ଚର୍ଚ୍ଚିକା ସେତ ଜଗତେ କ୍ଷତ।

ଅଷ୍ଟଭୂଜା ସେତ ଚାମୁଣ୍ଡା ରଣାସୁର ଉପରେ

ଛିଡ଼ା ହୋଇ ଦୟା ବାଣ୍ଟନ୍ତି ଯିଏ ଡାକେ ଭକ୍ତିରେ ।


ତାଳଚେରେ ବିଜେ ହିଙ୍ଗୁଳା ଅଗ୍ନି ସ୍ବରୂପା ମାତା

ଯୁଗ ଆରମ୍ଭ ରୁ ମାଆ ଯେ ହେଉଛନ୍ତି ପୂଜିତା।

ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ରେ ମାଆ ଉଭା ହୁଅନ୍ତି

ନଅଦିନ ଧରି ଦେହୁରୀ ତାଙ୍କୁ ପୂଜା କରନ୍ତି।

ଭକତ ଙ୍କ ମନ କାମନା ମାଆ କରନ୍ତି ପୂର୍ଣ୍ଣ

ଭାବ ଭକତିରେ ଭକତେ ତାଙ୍କୁ କରନ୍ତି ଧ୍ଯାନ।


ବାରିପଦା ରେ ମା ଅମ୍ବିକା ସେତ ଶିବ ଘରଣୀ

ଶୁମ୍ଭ ନିଶୁମ୍ଭ ଙ୍କୁ ନିଧନ କରିଥିଲେ ଜନନୀ।

ଦୂରୁ ବହୁଦୂରୁ ନିଇତି ଭକ୍ତମାନେ ଆସନ୍ତି 

ଦୀପ ଜାଳି ମାଆଙ୍କର ଯେ ଜୟଗାନ କରନ୍ତି।

ମାଆଙ୍କ ମଙ୍ଗଳ ଗୀତରେ ଚଉଦିଗ ଉଛୁଳେ 

ଭକ୍ତିରେ ଡାକିଲେ ମାଆଙ୍କୁ ତାଙ୍କ ଆଶିଷ ମିଳେ ।


ଚିଲିକା କୂଳରେ ଗାଁଆଟି ନାମ ଭୁଷଣ୍ଡପୁର

ସେ ଗାଁଆରେ ଉଗ୍ରତାରା ଙ୍କ ଅଛି ଭବ୍ୟ ମନ୍ଦିର।

ବିପଦୁ ତାରନ୍ତି ବୋଲି ସେ ନାମ ହୋଇଛି ତାରା

ଉଗ୍ରତାରା ଅବସାଦରୁ ମୁକ୍ତି କରନ୍ତି ପରା ।

ଚତୁର୍ଭୁଜା ଦେବୀ ଭବାନୀ ସେତ ପଦ୍ମ ଆସନୀ

ନୀଳ ସରସ୍ଵତୀ ଭାବରେ ବିଦ୍ୟା ବୁଦ୍ଧି ଦାୟିନୀ ।


କାଳିଜାଇ ବଡ଼ ପ୍ରତ୍ୟକ୍ଷ ଉଡେ ଜଗତେ ଧ୍ବଜା

ଚିଲିକା ମଝିରେ ମାଆତ ପାଉଅଛନ୍ତି ପୂଜା ।

ନଉକାରେ ବସି ଭକତେ ଗାଇ ମାଆଙ୍କ ନାଆଁ

ଯାଆନ୍ତି ମାଆଙ୍କ ପାଖକୁ ମାଆ ହୁଅନ୍ତି ସାହା।

ମାଆଙ୍କ ମକର ଯାତରା ପୀଠ ପଡ଼େ ଉଛୁଳି

ଦିନରାତି ଲାଗିରହେ ତ ଭକତ ଙ୍କ ଗହଳୀ।


କଟକେ କଟକ ଚଣ୍ଡୀ ଲୋ ମାଆ ଦୁଃଖ ପାଶୋରା

ଆଶିଷେ ତୁମର ହୁଅଇ ଆମ ଜୀବନ ତୋରା।

ଖଣ୍ଡା ଖର୍ପର ମା ହାତରେ ତୁମ ଅପୂର୍ବ ମୂର୍ତ୍ତୀ 

ଦୀପ ଜାଳି ତୁମ ପାଖରେ ଭକ୍ତେ ଦୁଃଖ ଜଣାନ୍ତି

ପାଖେ ଥିଲେ ତୁମ ସିନ୍ଦୂର ତୁମ ବେଲ ପତର

ଦାଉ ଧକ୍କା କୁ ତ ମନରେ ଜମା ନଥାଏ ଡର।


ବିପଦ ଆପଦୂ ତାରୁଛ ବୋଲି ନାମ ତାରିଣୀ

ଘଟଗାଁଆରେ ମା ପୂଜିତା ଶାଳ ବଣ ର ରାଣୀ।

ଯେତେବେଳେ ଯିଏ ମାଆଗୋ ଦେଲେ ନଡ଼ିଆ ଯାଚି 

ଦୁଃଖ ଅବସାଦ ଯାଏ ଲୋ ମାଆ ନିମିଷେ ଘୁଞ୍ଚି।

ଅଶରଣ ଜନେ ମାଆଗୋ ଦେଇଥାଅ ଶରଣ

ଅବସାଦ ଯାଏ ଦୂରେଇ କଲେ ନାମ ସ୍ମରଣ।


ଅନେକ ରୂପରେ ମାଆ ଗୋ ବିଜେ ରାଇଜ ସାରା

ଯେଉଁ ନାମେ ଯିଏ ଡାକିଲେ ଶୁଣ ଡାକ ଯେ ପରା

ତୁମରି ଆଶିଷେ ଜଗତ ହେଉ ଆନନ୍ଦ ମୟ

କରୁଣାର ଧାରା ମାଆଗୋ ବାରେ ବୁହାଇ ଦିଅ।

ଦୁର୍ଗତୀ ନାଶିନୀ ମାଆଗୋ ଜୟ ଦୁଃଖ ହାରିଣୀ

ଦୋଶାଦୋଷ କୁ ମୋ କ୍ଷମିବ ଦୟାମୟୀ ଜନନୀ।






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract