ନନ୍ଦ ଉଆସ ରେ କଳା ଗୋବିନ୍ଦ
ନନ୍ଦ ଉଆସ ରେ କଳା ଗୋବିନ୍ଦ
ଚନ୍ଦନ ବାସିଲା ତୁଳସୀ ବାସିଲା
ଚଉଦିଗ ମହକିଲା
ଉଆଁଶ ରାତିରେ ବଉଦ ଉହାଡୁ
ଜହ୍ନ ସତେ ଦେଖା ଦେଲା ।୧।
ସାତଖଣ୍ଡ ମେଘ ଏକ ହୋଇଗଲେ
ଉଛୁଳେ ଯମୁନା ନଈ
ମଥୁରା କଟକ ବହଳ ନିଦରେ
ସତେକି ପଡ଼ିଲା ଶୋଇ ।୨।
ଦେବକୀ ମୂର୍ଛିତା ବସୁଦେବ ଚିନ୍ତା
କ°ଶ ରହିଥିବ ଚାହିଁ
କଅଁଳ ଶିଶୁ ତା ଜନମ ବଇରୀ
ମୁକୁଳିବା ବାଟ ନାହିଁ ।୩।
ଅବସାଦ ଯେବେ ବାଦ କରୁଥିଲା
ଅମୃତ ହୋଇଲା ବୃଷ୍ଟି
ଚକିତ ହୋଇଲେ ବସୁଦେବ ଦେଖି
ଇଏକି ଅପୂର୍ବ ସୃଷ୍ଟି ।୪।
ନୀଳ ମେଘ କାନ୍ତି ମଣି ଝଟକନ୍ତି
ପୀତାମ୍ବର ଦେହ ବାସ
ଶଙ୍ଖ ଚକ୍ର ଗଦା କମଳ ର ଶୋଭା
ଚତୁର୍ଭୁଜ ହସହସ ।୫।
କିରିଟି କୁଣ୍ଡଳ ହସ୍ତରେ କଙ୍କଣ
କଟିରେ ସୁବର୍ଣ୍ଣ ସୁତା
ପାଦରେ ନୁପୁର ରୁଣୁଝୁଣୁ ହୁଏ
ହୃଦେ ପଦକ ପଇତା ।୬।
ଧନ୍ୟ ସେହି ମାୟା ଅପରୂପ କାୟା
ବନ୍ଦୀ ଶାଳେ ପ୍ରକାଶିଲା
ସାରା ବନ୍ଦୀଶାଳା ଝଲସି ଉଠିଲା
ରାତି ଅବା ପାହିଗଲା ।୭।
ସବୁ ଦାସ ଦାସୀ ନିଘୋଡ଼ ନିଦରେ
ପଡ଼ିଥିଲେ ତହିଁ ଶୋଇ
ବନ୍ଦୀଶାଳା ତାଲା ଖୋଲି ଯାଇଥିଲା
ମାୟାଜାଲ ମେଲି ଦେଇ।୮।
ପିତାଙ୍କୁ ପ୍ରଣାମି ଶିଶୁଟି କହିଲା
ନାହିଁ କିଛି ଏବେ ଭୟ
ଟୋକେଇ ରେ ଏକ ଶୁଆଇ ହେ ମୋତେ
ଗୋପପୁରେ ଛାଡ଼ିଦିଅ ।୯।
କଅଁଳ କଳି ର ମଧୁର ବାଣୀ ରେ
ବସୁଦେବ ଚଳିଗଲେ
ବନ୍ଦୀଶାଳାରୁ ତ ପୁତ୍ରକୁ ନେଇ ସେ
ଯମୁନା କୂଳକୁ ଗଲେ ।୧୦।
ମାୟାଧରଙ୍କର ଅଦଭୁତ ମାୟା
ନଥିଲେ ଜଣେକେ ଚେଇଁ
ଚେଇଁ ଥିଲେ ଏକା ଉଗ୍ରସେନ ଦେଲେ
ବସୁଦେବେ ଅଟକାଇ।୧୧।
ଟୋକେଇ ଭିତରୁ କଅଁଳ କୃଷ୍ଣ ଯେ
ଶଙ୍ଖ ଚକ୍ର ଦେଖାଇଲେ
ଉଗ୍ରସେନ ତହୁଁ ଦୁଇ ହାତ ଯୋଡ଼ି
ବାଟ ତାଙ୍କୁ ଛାଡି ଦେଲେ ।୧୨।
ଯମୁନା ନଈରେ ବସୁଦେବଙ୍କୁ ତ
ପାଣି ବତାଇଲା ବାଟ
ମୁଷଳ ବରଷା ହୋଉଥିଲା ହେଲେ
ଶେଷନାଗ ହେଲେ ଛତ୍ର ।୧୩।
ରାଣୀ ଯଶୋମତୀ ପଡ଼ିଥିଲେ ଶୋଇ
କନ୍ୟା ଟିଏ ଜନ୍ମ ଦେଇ
ନନ୍ଦ ଘରେ ପୁତ୍ର ଛାଡି ବସୁଦେବ
ଆସିଲେ କନ୍ୟାକୁ ନେଇ।୧୪।
ହଟିଗଲା ମାୟା ଶୁଣି କୁଆଁ କୁଆଁ
କ°ସ ପୁରେ ବାର୍ତ୍ତା ଗଲା
ପୁତ୍ର ନୁହେଁ କନ୍ୟା ଜନମ ହୋଇଛି
ରାଗେ କ°ସ ଗରଜିଲା ।୧୫।
କଚାଡି ମାରନ୍ତେ ହାତୁ ଖସି କନ୍ୟା
ଶୂନ୍ୟେ ଯାଇ ସେ କହିଲା
ମାରିବାକୁ ତୋତେ ଗୋପରେ ବଢୁଛି
ମୋତେ ମାରୁ କିଆଁ ଭଲା ?୧୬।
ନବଜାତ କନ୍ୟା ବାଣୀ ର ଚମକ
ଥରହର କଂସାଷୁର
ଉତ୍ସବ ମୁଖର ଗୋପପୁର ତେଣେ
ଉଛୁଳିଲା ନନ୍ଦଘର।୧୭।
ଗୋପ ରାଇଜତ କଂସ ପାଇଁ ମନା
ଅଭିଶାପ ପାଇଥିଲା
କଅଁଳ କଳିକୁ ଦଳିବାକୁ ସେତ
କେତେ ବୁଦ୍ଧି ବାଟ କଲା ।୧୮।
ଏନ୍ତୁଡ଼ିଶାଳ ରୁ ଶତୃ ନାଶିବାକୁ
ପୁତନା ରାକ୍ଷସୀ ଗଲା
କ୍ଷୀର ପେଇବା ର ବାହାନା କରି ସେ
ଛଟପଟ ହୋଇ ମଲା ।୧୯।
ଶକଟା ବକଟା ପ୍ରାଣ ଯେବେ ଗଲା
କଂସ ପ୍ରମାଦ ଗଣିଲା
ମରଣ ଜୟୀ ସେ ମରଣ କି ସତେ
ଆଖିରେ ତା ନାଚକଲା ।୨୦।
ନନ୍ଦ ଉଆସ ରେ କଳା ଗୋବିନ୍ଦ ଲୋ
ଯଶୋଦା କୋଳରେ କାହ୍ନୁ
କଦମ୍ବ ମୂଳରେ କିଏସେ ଶୂନ୍ୟ ରେ
ବଜାଉ ଥାଏଲୋ ବେନୁ।୨୧।
ବାଜୁଥାଏ ଭେରି ବାଜୁଥାଏ ତୁରୀ
ବାଜୁଥାଏ ଖୋଳ ତାଳ
ଆହାକି ଆନନ୍ଦ ପରମାନନ୍ଦ ହେ
ଧନ୍ୟ ତୁମ ଲୀଳା ଖେଳ ।୨୨।
