ଆହେ ଗଜାନନ
ଆହେ ଗଜାନନ
ଆହେ ଗଜାନନ ହେ ଗଣ ବନ୍ଦନ
ଗଣନାଥ ଗଣପୂଜ୍ଯ ଗଉରୀ ନନ୍ଦନ
ପ୍ରଭୁ ହେ ପ୍ରଭୁ
ବିଘ୍ନରାଜ ବିଘ୍ନେଶ୍ୱର ଗଜ ବଦନ
ହେ ବିଘ୍ନରାଜ ବିଘ୍ନେଶ୍ୱର ଗଜ ବଦନ
ଆହେ ଲମ୍ବୋଦର ପ୍ରଭୁ ଲମ୍ବ କର୍ଣ୍ଣ
ଶୁଭ୍ର କାନ୍ତି ଶୁଭ୍ର ଜ୍ୟୋତି ଗୈାର ବର୍ଣ୍ଣ
ପ୍ରଭୁ ହେ ପ୍ରଭୁ
ଗଗନ ପବନେ ତୁମ ଗୁଣ କିରିତନ
ପ୍ରଭୁ ଗଗନ ପବନେ ତୁମ ଗୁଣ କିରିତନ
ହେ ଗଣ ବନ୍ଦନ...୦..
ବୁଦ୍ଧିନାଥ ବୁଦ୍ଧି ପ୍ରିୟ ହେ ଭୁବନ ପତି
ମୁକ୍ତି ଦାତା ରୁଦ୍ର ପ୍ରିୟ ହେ ମଙ୍ଗଳ ମୂର୍ତ୍ତି
କପିଳ କୃପାଳୁ କ୍ଷିପ୍ର ଆହେ ଗଣ ଈଶ
ମୂଷିକ ବାହନ ହସ୍ତେ ପାଶ ଓ ଅଙ୍କୁଶ
ଆହେ ଶିଦ୍ଧି ଦାତା ଆହେ ଜ୍ଞାନ ଧାତା
ପ୍ରଭୁ ହେ ପ୍ରଭୁ
ଗଣପତି ଗଣପ୍ରିୟ ଗିରିଜା ନନ୍ଦନ
ହେ ଗଣ ବନ୍ଦନ ।
ଗଣେଶ ପୁରାଣେ ତୁମ ମହିମା ବର୍ଣ୍ଣନା
ତୁମରି ମହିମା ତୁମ ଲିଳା ଯେ ରଚନା
ଅବତାରେ ଅବତରୀ ଦୁଷ୍ଟ ଙ୍କୁ ଦଳିଲ
ଧରାଧାମେ ସତ୍ଯ ଶାନ୍ତି ଧର୍ମ ସଂସ୍ଥାପିଲ
ସୂର୍ଯ୍ୟ କୋଟି ସମ ପ୍ରଭା ଧୁମ୍ର ବର୍ଣ୍ଣ
ପ୍ରଭୁ ହେ ପ୍ରଭୁ
ଗଜାନନ ଗଜ ତୁଣ୍ଡ ଦରପ ଦଳନ
ହେ ଗଣ ବନ୍ଦନ ।
ମହୋତ୍କତ ବିନାୟକ ରୂପେ ପ୍ରଭୁ ତୁମେ
ସତ୍ୟ ଯୁଗେ ଅବତାର ନେଲ ଧରା ଧାମେ
ଦଶଭୂଜେ ଦିବ୍ୟ ଅସ୍ତ୍ର କରିଣ ଧାରଣ
ସିଂହ ପରେ ବିଜେ କଲ ଅସୁର ନିଧନ
ନାଶି ଦେବାନ୍ତକ ନରାନ୍ତକ ଦୈତ୍ୟ
ପ୍ରଭୁ ହେ ପ୍ରଭୁ
ଉଡାଇଲ ସରଗ ରେ ବିଜୟ କେତନ
ହେ ଗଣ ବନ୍ଦନ ।
ତ୍ରେତୟା ଯୁଗରେ ତୁମେ ଶ୍ରୀ ମୟୂରେଶ୍ବର
ଷଡଭୂଜ ରୂପ ତୁମ ଦିଶଇ ସୁନ୍ଦର
ତୁମର ସେ ଦିବ୍ୟ କାନ୍ତି ରୂପ ରେ ମୋହିତ
ବରିଲେ ଯେ ରିଦ୍ଧି ସିଦ୍ଧି ପତି ରୂପରେତ
ସିନ୍ଧୁ ଅସୁର କୁ ବଧିଲେ ଆପଣ
ପ୍ରଭୁ ହେ ପ୍ରଭୁ
ଚଉଦିଗେ ହେଲା ତୁମ ଜୟ ଜୟଗାନ
ହେ ଗଣ ବନ୍ଦନ ।
ଦ୍ବାପର ଯୁଗରେ ପ୍ରଭୁ ହେଲ ଗଜାନନ
ଚତୃଭୂଜ ରୂପ ତୁମ ଦିଶେ ଶୋଭାବନ
ଲଲାଟେ ତିଳକ ଶୋଭା ଝଟକଇ ଜ୍ୟୋତି
କର୍ଣ୍ଣ ରେ କର୍ଣ୍ଣ କୁଣ୍ଡଳ କଣ୍ଠେ ହୀରା ମୋତି
ସିନ୍ଦୂର ଅସୁରେ କରିଲେ ନିଧନ
ପ୍ରଭୁ ହେ ପ୍ରଭୁ
ମୂଷିକ ବାହନେ କଲ ବ୍ରହ୍ମାଣ୍ଡ ଭ୍ରମଣ
ହେ ଗଣ ବନ୍ଦନ ।
କଳି ଯୁଗେ ଧୂମ୍ରକେତୁ ଅବତାର ତୁମ
ଦୁଇ ଭୂଜ ରୂପେ ଦୂର କର ମନୁ ଭ୍ରମ
ନାଶିବାକୁ ଧରଣୀରୁ କଳି ଓ କଳୁଷ
ତୁମର ଏ ଅବତାର ଆହେ ଗଣ ଈଶ
ଭକ୍ତଙ୍କ କାନରେ ତୁମେ ଯେ ବଖାଣ
ପ୍ରଭୁ ହେ ପ୍ରଭୁ
ଲୋଭ ମୋହ କାମ କ୍ରୋଧ ଦୁଃଖ ର କାରଣ
ହେ ଗଣ ବନ୍ଦନ ।
ଅଷ୍ଟ ବିନାୟକ ଅଷ୍ଟ ଅବତାର ନେଇ
ମଣିଷ ମନରୁ ଦିଅ ପାପ ତାପ ଧୋଇ
କାମ କ୍ରୋଧ ଅହଙ୍କାର ଗର୍ବ ଆଉ ଇର୍ଷା
ମଣିଷ କୁ ଦେଇଥାଏ ସର୍ବଦା ଦୁର୍ଦ୍ଦଶା
ମଦ ମାଂସ ନିଶା ଉଡିଯାଏ ହଂସା
କୁହ ହେ କୁହ
ନିଶା କୁ ଦୂରେଇ ଦେଲେ ହସଇ ଜୀବନ
.ହେ ଗଣ ବନ୍ଦନ ।
ଭୋଦେଇ ଆକାଶେ ବୋଳେ କଳା ମେଘ ରଙ୍ଗ
ନଦୀ ନାଳେ କାଚ କେନ୍ଦୁ ଜଳ ର ତରଙ୍ଗ
ସବୁଜ ସୁନ୍ଦର ଶୋଭା ହସଇ ପ୍ରକୃତି
ସବୁରି ଓଠରେ ତୁମ ଜୟଜୟ ଗୀତି
ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ
ପ୍ରଭୁ ହେ ପ୍ରଭୁ
ଜଗତ ପାଳନ କରେ ତୁମ ଜନ୍ମ ଦିନ
ହେ ଗଣ ବନ୍ଦନ ।
ମାଟି ପାଣି ପାଇ ପ୍ରଭୁ ତୁମରି ପରଷ
ପାର୍ବଣ ମୁଖର ଧରା ହସେ ଦଶଦିଶ
ଶିକ୍ଷା ଆଉ ସାଂସ୍କୃତିକ ପୀଠରେ ଚହଳ
ତୁମ ପୂଜା ଅରଚନା ଭକତି ବହଳ
ଦେଇ ପୁଷ୍ପାଞ୍ଜଳି କରୁ ଆମେ ଅଳି
ପ୍ରଭୁ ହେ ପ୍ରଭୁ
ଆଶିଷ ଦିଅ ହେ ଢାଳି ଭକତ ଜୀବନ
ହେ ଗଣ ବନ୍ଦନ ।
ତୁମେ ଦୟାକଲେ ଦୂର ହୋଇଯାଏ ଦୁଃଖ
ଅମାରାତି ପାହିଯାଏ ମିଳେ ସଦା ସୁଖ
ବିଦ୍ୟାଦାତା ବୁଦ୍ଧି ଦାତା ଆହେ ଦୟାବନ୍ତ
ତୁମେ ଦୟାକଲେ ମୂର୍ଖ ହୁଅଇ ପଣ୍ଡିତ
ଦେଇ ବିଦ୍ୟା ଦାନ ବିଦ୍ୟାର୍ଥୀଙ୍କୁ ଧନ୍ୟ
କର ହେ ପ୍ରଭୁ
ଦୟାକର ଦୟାମୟ ଆହେ ଦୟାବାନ
ହେ ଗଣ ବନ୍ଦନ ।