DILIP KUMAR SAHOO

Abstract

4  

DILIP KUMAR SAHOO

Abstract

ଶରତ ଋତୁ ର କଥା

ଶରତ ଋତୁ ର କଥା

3 mins
21



ଶରତ ଋତୁ ଲୋ ପାର୍ବଣ ର ଋତୁ

ଭାଦ୍ରବ ଆଶ୍ୱିନ ମାସେ 

ସୁଷମା ରେ ଭରା ମାଟି ରୁ ଆକାଶ 

ଦିଗ ଚଉଦିଗ ହସେ।୧!


କୂଅ ପୋଖରୀ ରେ କାଚ କେନ୍ଦୁ ପାଣି

ଉଛୁଳଇ ନଈ ନାଳ 

ମନ ମୋହି ନିଏ ଆକାଶ ର ଶୋଭା

ଧଳା ମେଘ ମାଳ ମାଳ ।୨!


ସବୁଜ କେଦାରେ ହସେ ବିଲ ବାଡି

ସବୁଜିମା ଭରା କ୍ଷେତ

ବଛା ବେଉଷଣ ସରିଯାଇଥାଏ 

ଧାନ ଫୁଲ କରେ ହାଟ।୩!


ଛୋଟ ଧାନ ସବୁ ଭୋଦୁଅ ମାସରେ 

ଚଷା ଯେ ଅମଳ କରେ

ନୂଆ ଚୁଡ଼ା ନୂଆ ଚାଉଳ କ୍ଷୀରି ରେ

ନୂଆ ଖିଆ ଘରେ ଘରେ।୪!


ନଈପଠା ନାଳ ବନ୍ଧ ବାଡ ହିଡେ 

କାଶତଣ୍ଡୀ ଢେଉ ଖେଳେ

ଶୁଭ ଶରତ କୁ ସ୍ବାଗତ ପାଇଁକି

ସତେକି ଚାମର ଢାଳେ।୫!


ଗଡିଆ ପୋଖରୀ କଇଁ ଫୁଲେ ଭରା

ଭରିଯାଏ ପଦ୍ମ ଫୁଲ 

ମହୁ ଶୋଷିବାକୁ ଉଡି ବୁଲୁଥାନ୍ତି 

ମହୁମାଛି ଦଳଦଳ।୬!


ଫୁଟଇ ସେବତୀ ରଙ୍ଗଣୀ ମାଳତୀ

ଫୁଟଇ ହରଗଉରା

ରଙ୍ଗ ବେରଙ୍ଗର ଗେଣ୍ଡୁଫୁଲ ଫୁଟି

ବଗିଚା ଦିଶଇ ତୋରା।୭!


ଜୁଇ ଜାଇ ହେନା କୁନ୍ଦ ଛୁରୀଅନା 

ସେଫାଳୀ ର ବାସ ଛୁଟେ

ଫୁଟଇ କଦମ୍ବ ଫୁଟେ ମୁଚୁକୁନ୍ଦ

ରଜନୀଗନ୍ଧା ବି ଫୁଟେ ।୮!


ଶରତ ଋତୁରେ ବେଳେବେଳେ ବର୍ଷା

ଚାଷ ପାଇଁ ଭଲ ଭାରି

ଭୋଦେଇ ଖରା ତ ଭାରି ଟାଣ ହୁଏ

ଧାନ ପୋକ ଯାନ୍ତି ମରି ।୯!


ରାତିରେ ଦିଶଇ ଆକାଶ ସୁନ୍ଦର 

ଫୁଟେ ଯେବେ ତାରା ଫୁଲ 

ଧଳା ବଉଦ ରେ ଜହ୍ନ ର ଜୋଛନା

ପଡି ହୁଏ ଝଲମଲ ।୧୦!


ଶରତ ଋତୁରେ ପରବ ପର୍ବାଣୀ 

ସବୁଦିନ ଓଷା ବ୍ରତ

ଖୁଦୁରୁକୁଣୀ ରୁ କୁଆଁର ପୁନେଇଁ 

ଗାଆଁ ଗାଆଁ ଯାନିଯାତ।୧୧!


ଭାଦ୍ରବ ମାସର ସବୁ ରବିବାର

ଖୁଦୁରୁକୁଣୀ ଙ୍କ ଓଷା

କୁଆଁରୀ ଆଖିରେ ହଜାରେ ସପନ 

ଢେଉ ଖେଳେ କେତେ ଆଶା !୧୨।


ଭାଇ ମାନଙ୍କର ମଙ୍ଗଳ ମନାସି 

ଭଉଣୀ ରଖନ୍ତି ବ୍ରତ 

ସାତ ସାଧବାଣୀ ତଅପୋଇ କଥା

ଉଛୁଳଇ ବହି ଗୀତ ।୧୩!


ଭାଦ୍ରବ ର ପ୍ରତି ବୁଧବାର ଦିନ 

ବୁଧେଇ ଓଷା ହୁଅଇ

ବୁଦ୍ଧି ବାମନ ଙ୍କ ପୂଜା ହୋଇଥାଏ 

ଘର ର ମଙ୍ଗଳ ପାଇଁ।୧୪!


ଭାଦ୍ରବ ର କୃଷ୍ଣ ଅଷ୍ଟମୀ ଅନ୍ଧାରେ

କୃଷ୍ଣ ହୋଇଥିଲେ ଜନ୍ମ

ମଠରୁ ମନ୍ଦିର ଉତ୍ସବ ମୁଖର 

ଗାଇ ପ୍ରଭୁଙ୍କର ନାମ।୧୫!


କାଳୀୟଦଳନ ଏକାଦଶୀ ସେତ

ଭାଦ୍ରବ ର କୃଷ୍ଣ ପକ୍ଷେ

କାଳୀ ନାଗ ଦର୍ପ ଚୁନା କରିଥାନ୍ତି 

ପ୍ରଭୁ ତାଙ୍କ ପଦାଘାତେ।୧୬!


ଭାଦ୍ରବ ମାସ ର ଅମାବାସ୍ୟା କ୍ଷାତ 

ସପ୍ତପୁରୀ ଅମାବାସ୍ୟା 

ସପ୍ତପୁରୀ ଭୋଗ ମହାପ୍ରଭୁ ଙ୍କୁ ତ

ସେଦିନ ହୁଏ ପରସା।୧୭!


ବାଲି ତୃତୀୟା ଲୋ ଭାଦ୍ର ଶୁକ୍ଳ ପକ୍ଷେ 

ସଧବା ବ୍ରତ ରଖନ୍ତି 

ସ୍ବାମୀଙ୍କର ଶୁଭ ମନାସି ଥାନ୍ତି ସେ

ପୂଜା କରି ପଶୁପତି।୧୮!


ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀରେ 

ଗଜାନନ ଙ୍କର ପୂଜା

ଗାଆଁ ରୁ ସହର ପ୍ରଭୁଙ୍କର ପୂଜା 

ମଣ୍ଡପ ହୁଅଇ ସଜ୍ଜା।୧୯!


ଶିକ୍ଷା ଅନୁଷ୍ଠାନେ ପରବ ପାଳନ

ପାଠ ଠାକୁର ଙ୍କ ପାଇଁ 

ବିଦ୍ୟାର୍ଥୀ ମାନେ ତ ପ୍ରଭୁ ଙ୍କୁ ପୂଜନ୍ତି

ପାଦେ ପୁଷ୍ପାଞ୍ଜଳି ଦେଇ ।୨୦!


ଗଣେଶ ଚତୁର୍ଥୀ ବାସୀ ନୂଆଖାଇ

ନୂଆଖାଇ ଭେଟଘାଟ 

ଦେବାଦେବୀଙ୍କୁ ତ ନବାନ୍ନ ଅର୍ପଣ

ଗାଇ ମିଳନ ର ଗୀତ ।୨୧!


ଭାଦ୍ରବ ମାସର ଶୁକ୍ଳ ଏକାଦଶୀ 

ବଡ ଏକାଦଶୀ ସେତ

କଡ ଲେଉଟାନ୍ତି ଶୟନ ଠାକୁର 

ଶ୍ରୀମନ୍ଦିରେ ହୁଏ ଯାତ ।୨୨!


ଭାଦ୍ରବ ମାସରେ ଇନ୍ଦୁ ପୁହ୍ନେଇ ଲୋ

ଇନ୍ଦ୍ର ଙ୍କ ଜନମ ତିଥି 

ଭଲ ବର୍ଷା ପାଇଁ ସରଗ ରାଜା ଙ୍କୁ

ଚାଷୀ କୂଳ ପୂଜି ଥାନ୍ତି।୨୩!


ଭାଦ୍ରବ ପରକୁ ଆସଇ ଆଶ୍ଵିନ 

ଦଶରା ପାଖେଇ ଆସେ

ପୂଜା ମଣ୍ଡପରେ ପ୍ରସ୍ତୁତି ପରବ 

ଦେବୀ ପୀଠ ନୂଆ ଦିଶେ ।୨୪!


ଆଶ୍ୱିନ ମାସର କୃଷ୍ଣ ପକ୍ଷ ରେ ତ

ମୂଳାଷ୍ଟମୀ ପଡ଼ିଥାଏ 

ପୀଠ ଦେବୀଙ୍କର ଷୋଳପୂଜା ନୀତି

ସେଦିନୁ ଆରମ୍ଭ ହୁଏ।୨୫!


ଷୋଡଶପଚାରେ ଦେବୀ ମାନଙ୍କ ର

ହୁଅଇ ପୂଜା ଅର୍ଚ୍ଚନା 

ହୋମ ଯଜ୍ଞ ଆଉ ଚଣ୍ଡୀ ପାଠ ତୋଳେ

ଦେବୀ ପୀଠେ ମୂରୁଛନା।୨୬!


ମୂଳା ଅଷ୍ଟମୀ ରେ ଦ୍ବିତୀୟା ଓଷା ଲୋ

ବାସୀ ଦିନ ହୁଏ ଘାଣ୍ଟ 

ଘାଣ୍ଟ ତରକାରୀ ଭାରି ସୁଆଦିଆ 

ଖାଉଥିବ ଚାଟି ହାତ।୨୭!


ଆଶ୍ୱିନ ମାସରେ ଶାକ୍ତ ଗୁଣ୍ଡିଚା ଲୋ

ଶ୍ରୀମନ୍ଦିରେ ହୁଏ ଯାତ

ରାଧା ମାଧବଙ୍କୁ ଚର୍ମ ନେତ୍ରେ ଦେଖି

ଧନ୍ୟ ହୋଇଥାନ୍ତି ଭକ୍ତ।୨୮!


ଆଶ୍ୱିନରେ ମହାଳୟା ଅମାବାସ୍ୟା 

ପୂର୍ବଜଙ୍କୁ ପୀଣ୍ଡ ଦାନ

ଶ୍ରୀମନ୍ଦିର ଆଉ ବୀରଜା ପୀଠରେ 

ଭାରି ଗହଳୀ ସେଦିନ।୨୯!


ଆଶ୍ୱିନର ଶୁକ୍ଳ ପ୍ରତିପଦ ଠାରୁ 

ଆରମ୍ଭଇ ନବରାତ୍ରି 

ନବଦୁର୍ଗା ଙ୍କର ପୂଜା ଅରଚନା 

ବ୍ରତ ରଖିଥାନ୍ତି ବ୍ରତୀ।୩୦!


ନଅଦିନ ଧରି ନିଇତି ରାତିରେ

ହୁଅଇ ଦାଣ୍ଡିଆ ନୃତ୍ୟ 

ଦେବୀ ଦୁର୍ଗାଙ୍କର ଭକ୍ତି ସଙ୍ଗୀତ ରେ

ଚଉଦିଗ ମୁଖରିତ ।୩୧!


ଶୁକ୍ଳ ଷଷ୍ଠୀଠାରୁ ମୃଣ୍ମୟୀ ଦେବୀ ଙ୍କ 

ଆରମ୍ଭ ହୁଅଇ ପୂଜା

ବେଲ ବରଣ ରେ ମାତୃ ଆବାହନ 

ବିରାଜନ୍ତି ଦଶଭୁଜା।୩୨!


ସପ୍ତମୀ ପ୍ରଭାତେ ମାଆ ଦେବୀ ଦୁର୍ଗା 

ପାଇଥାନ୍ତି ଚକ୍ଷୁ ଦାନ

ଅଷ୍ଟମୀ ନିଶାର୍ଦ୍ଧେ ସନ୍ଧି ପୂଜା ବିଧି

ଅସୁର ଦର୍ପ ଦଳନ।୩୩!


ମହା ନବମୀରେ କୁମାରୀ ପୂଜାଲୋ

କନ୍ୟା ରତ୍ନେ ସମର୍ପିତ

ଦଶହରା ଦିନ ଘଟ ବିସର୍ଜନ 

ପୂଜା ର ହୁଅଇ ଅନ୍ତ।୩୪!


ଆଶ୍ୱିନ ର ଶେଷ ସପ୍ତାହ ଟା ସାରା 

କୁଆଁରୀମାନେ ତ ମିଶି

ଜହ୍ନି ଓଷା ସବୁ ଭକ୍ତି ରେ କରନ୍ତି 

ବୃନ୍ଦାବତୀ ମୂଳେ ବସି।୩୫!


ଶରତ ଶେଷ ରେ କୁମାର ପୂର୍ଣ୍ଣିମା 

ପୂଜା ହୋଇଥାନ୍ତି ଜହ୍ନ 

ମନ ଲାଖି ସାଥୀ ପାଇବା ପାଇଁକି

ପୂଜନ୍ତି କୁଆଁରୀ ମାନ ।୩୬!


କୁମାର ପୂର୍ଣ୍ଣିମା ରାତିରେ ଆରମ୍ଭ 

ଗଜଲକ୍ଷ୍ମୀ ଙ୍କର ପୂଜା

ପୂଜା ମଣ୍ଡପରେ ମାଆଙ୍କ ବନ୍ଦନା 

ବାଜଇ ମହୁରୀ ବାଜା।୩୭!


ଖୁସି ଆନନ୍ଦ ରେ ପୂଜା ପାର୍ବଣରେ

ଶରତ ହୁଅଇ ଶେଷ

ଆସଇ ହେମନ୍ତ ମାଟିରେ ମାଖି ସେ

ଶିଶିର ଟୋପାର ସ୍ପର୍ଶ।୩୮!



Rate this content
Log in

Similar oriya poem from Abstract