ଶ୍ରୀମନ୍ଦିରେ ଶ୍ରୀଗଣେଶ
ଶ୍ରୀମନ୍ଦିରେ ଶ୍ରୀଗଣେଶ
ଚକାଆଖି ଚକାଡୋଳା ଚକାନୟନ
ଗିରିଜା ନନ୍ଦନ ତୁମେ ଗଜ ବଦନ ।
ବକ୍ରତୁଣ୍ଡ ଗଣାଧୀପ ଗଣନାୟକ
ଗଉରୀ ତନୟ ହେ ଶିଦ୍ଧି ବିନାୟକ।
କୃଷ୍ଣ ରୂପମୟ କୃଷ୍ଣ ଶିବ ସ୍ଵରୂପ
ଜଗନ୍ନାଥ ଜଗବନ୍ଧୁ ବିଘ୍ନନାଶକ।
ତୁମେ ପ୍ରଭୁ ଗଣନାଥ ଗଜ ଆନନ
ଗଣେଶ ଭକ୍ତ ମାନଙ୍କ ହୃଦ ଚନ୍ଦନ।
ସ୍ନାହାନ ବେଦୀରେ ପ୍ରଭୁ କରି ସ୍ନାହାନ
ଗଜ ବେଶେ ଭକତଙ୍କୁ ଦିଅ ଦର୍ଶନ।
ଗଣପତି ଭଟ୍ଟଙ୍କ ମନକଥା ଜାଣି
ଗଜବେଶ ହେଲ ପ୍ରଭୁ ଶ୍ରୀକ୍ଷେତ୍ର ମଣି।
ଶ୍ରୀଗଣେଶ ବୋଲି ପ୍ରଭୁ ଶ୍ରୀମନ୍ଦିରେଟି
ଚତୁର୍ଦ୍ଦିଗେ ଗଜାନନ ପୂଜା ହୁଅନ୍ତି।
କୁରୁମ ବେଢ଼ା ବାହାର ବେଢା ଭିତରେ
ସବୁ ଦ୍ବାର ଗୁମୁଟର କାନ୍ଥ ଠଣାରେ,
ବେଢ଼ା ମଧ୍ୟେ ଛୋଟ ବଡ଼ ଯେତେ ମନ୍ଦିର
ସବୁଠି ଶ୍ରୀଗଣେଶଙ୍କ ମୂର୍ତ୍ତି ସୁନ୍ଦର।
ଷଡଭୂଜ ଚତୁର୍ଭୁଜ ରୂପ ଅନେକ
ଦର୍ଶନ କଲେ ମନରେ ଜାଗେ ପୁଲକ ।
ଆଦ୍ୟ ପୂଜ୍ୟ ହେ ଗଣେଶ ହେ ବିଘ୍ନେଶ୍ୱର
ସବୁ କାର୍ଯ୍ୟ ଆରମ୍ଭରେ ପୂଜା ତୁମର ।
ତୁମେ ଦୟା କଲେ ପ୍ରଭୁ ହେ ଗଣନାଥ
ବିନା ବାଧା ବିଘ୍ନେ ହୁଏ କାର୍ଯ୍ୟ ସମାପ୍ତ ।
ଯୁଗ ଆରମ୍ଭରୁ ହୁଏ ଏ ନୀତି କ୍ରାନ୍ତି
ଝରିପଡେ ପ୍ରଭୁଙ୍କର ଅମୃତ ଦୃଷ୍ଟି।
ଶ୍ରୀମନ୍ଦିର ପାଇଁ ଯେବେ ପଡିଲା ଶୁଭ
ଗଣେଶ ଙ୍କ ଅରଚନା ହୋଇଲା ଆଗ।
ମହାରାଜା ଇନ୍ଦ୍ରଦ୍ୟୁମ୍ନ ଭାବ ଭକ୍ତିରେ
ଗଣେଶ ଙ୍କ ମୂର୍ତ୍ତି ରାଜା ଆଗ ସ୍ଥାପିଲେ।
ଆଦ୍ୟ ଗଣେଶ ଭାବରେ ସେହି ମୂରତୀ
ଶ୍ରୀମନ୍ଦିର ବେଢା ମଧ୍ଯେ ପୂଜା ହୁଅନ୍ତି।
ବେଢାରେ ରହିଛି ଅଷ୍ଟ ଶମ୍ଭୁଙ୍କ ପୀଠ
କପାଳ ମୋଚନ ଯେ ତହିଁ ବିରାଜିତ।
କପାଳ ମୋଚନ ଙ୍କ ମନ୍ଦିର ରେ ଆଜି
ଆଦ୍ୟ ଗଣେଶ ପ୍ରଭୁ ଅଛନ୍ତି ବିରାଜି ।
ଏମିତି ପଇଁଚାଳିଶ ଗଣେଶ ମୂରତୀ
ଶ୍ରୀମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ।
ଭକତଙ୍କୁ ବକ୍ର ତୁଣ୍ଡ ବାଣ୍ଟନ୍ତି ଆଶିଷ
ପ୍ରଭୁ ଙ୍କ ଆଶିଷେ ଧନ୍ୟ ହୁଅଇ ମଣିଷ ।
ସିଂହଦ୍ୱାର ଗୁମୁଟ ମନ୍ଦିର କାନ୍ଥରେ
ଶୋଭିତ ଗଣେଶ ତହିଁ ପଟ୍ଟ ଚିତ୍ରରେ।
ବାଇଶି ପାହାଚ ବାମ ପାର୍ଶ୍ଵେ ପୂଜିତ
କାଶି ବିଶ୍ୱନାଥ ଙ୍କର ମନ୍ଦିର ସେତ।
ସେହି ମନ୍ଦିର ପାର୍ଶ୍ଵ ଦେବତା ଭାବରେ
ଦୁଇ ମୂର୍ତ୍ତି ଗଣେଶ ଅଛନ୍ତି ସେଠାରେ।
ବାଇଶି ପାହାଚେ ଛନ୍ତି ନୃସିଂହ ଯହିଁ
ଅଛନ୍ତି ଗଣେଶ ତାଙ୍କ ସହିତ ତହିଁ।
ବାଇଶି ପାହାଚ ଶେଷେ କୁରୁମ ବେଢ଼ା
କୁରୁମ ବେଢ଼ା ଗୁମୁଟେ ଗଣେଶ ଛିଡ଼ା।
ଘଣ୍ଟ ମୁଣ୍ଡେଇ ଠାକୁରାଣୀଙ୍କ ପାଖରେ
ବିରାଜିତ ଗଣେଶ ଚିତ୍ର ପ୍ରତିମା ରେ।
ଆନନ୍ଦ ବଜାର ବସେ ଅବଢ଼ା ହାଟ
ଗଣେଶଙ୍କ ଶିଳା ମୂର୍ତ୍ତି ତହିଁ ପୂଜିତ ।
ମନ୍ଦିର ଦକ୍ଷିଣ ଦ୍ଵାର ଗୁମୁଟ ଘରେ
ଗଣେଶ ବିରାଜିଛନ୍ତି ଠଣା ଭିତରେ ।
ଛୋଟ ସିନା ସେହି ମୂର୍ତ୍ତି ସୁନ୍ଦର ଭାରି
ମୁଗୁନି ପଥରେ ହୋଇଛନ୍ତି ତିଆରି।
ଦକ୍ଷିଣ ଦ୍ଵାର ପାଖ ବୁଢ଼ିମା ମନ୍ଦିରେ
ଗଣେଶ ରହିଛନ୍ତି ମନ୍ଦିର କାନ୍ଥରେ ।
ବେଢ଼ା ମଧ୍ୟେ ଶ୍ରୀରାମଙ୍କ ମନ୍ଦିର ସେତ
ମନ୍ଦିର ବାମ କାନ୍ଥେ ଗଣେଶ ଶୋଭିତ।
ଦକ୍ଷିଣ ଦ୍ଵାରେ ଦକ୍ଷିଣେଶ୍ୱର ମନ୍ଦିର
ମନ୍ଦିର ପାର୍ଶ୍ଵ ଦେବତା ଶ୍ରୀ ଗଣେଶ୍ୱର।
ମନ୍ଦିର ଭିତରେ ପୁଣି ପାର୍ବତୀ ସୂତ
ପିତା ଙ୍କ ସହିତ ପ୍ରଭୁ ତହିଁ ପୂଜିତ ।
ଶ୍ରୀମନ୍ଦିର ରୋଷ ଘରେ ରୋଷ ଗଣେଶ
ରୋଷ ଶାଳ ବିଘ୍ନ ସବୁ କରନ୍ତି ନାଶ ।
ଗଙ୍ଗା ଯମୁନା କୂଅ ଜଳରେ ରୋଷେଇ
ମହାପ୍ରଭୁ କରନ୍ତି ନିଇତି ମଣୋହୀ।
ସେ କୂଅ ନିକଟରେ ଅଛନ୍ତି ଗଣେଶ
ସର ଘରେ ବିଜେ ପୁଣି ବୁଣି ଆଶିଷ ।
ପଶ୍ଚିମ ଦ୍ଵାର କୁ ଯେବେ ଭକ୍ତେ ଯାଆନ୍ତି
ଦ୍ଵାର ବନ୍ଧେ ଗଣେଶଙ୍କୁ ତହିଁ ଦେଖନ୍ତି।
ଷଡଭୂଜ ଗଣେଶଙ୍କ ସୁନ୍ଦର ମୂର୍ତ୍ତି
ନର୍ତ୍ତକ ଭଙ୍ଗୀରେ ପ୍ରଭୁ ବିରାଜି ଛନ୍ତି।
ଶ୍ରୀମନ୍ଦିର ନୀଳାଚଳ ଉପବନରେ
ଚକ୍ରନାରାୟଣ ପ୍ରଭୁ ଛନ୍ତି ସେଠାରେ।
ପ୍ରଭୁ ଙ୍କର ମଣ୍ଡପରେ ଶ୍ରୀଗଜାନନ
ଉତ୍ତର କୁ ଚାହିଁଛନ୍ତି ମେଲି ନୟନ ।
ଦକ୍ଷିଣ ଦ୍ଵାରେ ଅଛି ନୀଳାଦ୍ରି ବିହାର
ତା ମଧ୍ଯରେ ବିଦ୍ୟମାନ ଧବଳେଶ୍ଵର।
ଧବଳେଶ୍ଵର ଙ୍କର ପାର୍ଶ୍ଵ ଦେବ ସେତ
ପାର୍ବତୀ ସୂତ ଗଣେଶ ଶ୍ରୀଗଣନାଥ।
ଉତ୍ତର ଦ୍ଵାରେ ଅଛନ୍ତି ଶ୍ରୀ ଲୋକନାଥ
ଛନ୍ତି ପୁଣି ମହାଦେବ ଶ୍ରୀ ପାର୍ଶ୍ଵନାଥ।
ସୁନା କୂଅ ଅଛି ସେହି ଉତ୍ତର ଦ୍ଵାରେ
ଶୀତଳା ଦେବୀ ମନ୍ଦିର ଅଛି ସେଠାରେ।
ଏହି ସବୁ ମନ୍ଦିରେ ଗଣେଶ ପୂଜିତ
ଗଣେଶ ଭକ୍ତଙ୍କୁ ସେ କରନ୍ତି ମୋହିତ।
କୋଇଲି ବୈକୁଣ୍ଠରେ ଶିବ ପୂଜା ଯହିଁ
ଷଡଭୂଜ ଗଣେଶ ରହିଛନ୍ତି ତହିଁ।
ପୁରୁଷୋତ୍ତମଙ୍କର କାଞ୍ଚି ବିଜୟର
ଶାଖି ଅଛନ୍ତି ଭଣ୍ଡ ଗଣେଶ ଠାକୁର।
କାଞ୍ଚି ରାଜ୍ୟ ଜୟ କରି ଠାକୁର ରାଜା
ଉଡାଇଲେ ଉତ୍କଳ ର ବିଜୟ ଧ୍ବଜା।
ସେ ଯୁଦ୍ଧରେ ମହାପ୍ରଭୁ ସାଜି ସଈନ
ରଖିଥିଲେ ଏଜାତିର ଗୌରବ ମାନ ।
କାଞ୍ଚି ରୁ ପୁରୁଷୋତ୍ତମ ଫେରିବାବେଳେ
ଭଣ୍ଡ ଗଣେଶଙ୍କୁ ସାଥେ ସେ ଆଣିଥିଲେ।
ଶ୍ରୀମନ୍ଦିର ବେଢାର ପଶ୍ଚିମ ପାର୍ଶ୍ବରେ
ଭଣ୍ଡ ଗଣେଶ ବିଜେ ସୁନ୍ଦର ମନ୍ଦିରେ।
ଭଣ୍ଡ ଗଣେଶଙ୍କ ଅଛି ନାମ ଅନେକ
କାଞ୍ଚି, କାମଦ, ଉଚିଷ୍ଟ ,ଶକ୍ତି,ତାନ୍ତ୍ରିକ।
ଏମିତି ଅନେକ ନାମେ ଭକ୍ତେ ପୁଜନ୍ତି
ଭକ୍ତ ଙ୍କ ମନବାଞ୍ଛା ସେ ପୂର୍ଣ୍ଣ କରନ୍ତି।
ମୁଗୁନି ପଥରେ ଗଢା ପ୍ରଭୁଙ୍କ ମୂର୍ତ୍ତି
କୋଳେ ଶିଦ୍ଧି ଦେବୀଙ୍କୁ ସେ ଧରିଅଛନ୍ତି ।
ମସ୍ତକରେ ସୁନ୍ଦର ମୁକୁଟ ଶୋଭନ
ସର୍ପକୁ ଉପବିତ ଭାବରେ ଧାରଣ।
ଜପାମାଳ ଅକ୍ଷମାଳ ଅଙ୍କୁଶ ଧରି
ଭକ୍ତଙ୍କୁ ବିତରନ୍ତି କରୁଣା ବାରି ।
ଭିତର ବେଢାରେ ଜଳ କ୍ରୀଡାମଣ୍ଡପ
ହୋଇଥାଏ ଯେଉଁଠାରେ ଭିତର ଚାପ,
ନଟ ଗଣେଶ ଯେ ସେହିଠାରେ ଅଛନ୍ତି
ଦକ୍ଷିଣ ଦିଗକୁ ସେ ମୁହଁ କରିଛନ୍ତି।
ମୁଗୁନି ପଥରେ ଗଢା ସେହି ମୂରତୀ
ଷଡଭୂଜେ ଅସ୍ତ୍ରଶସ୍ତ୍ର ସେ ଧରିଛନ୍ତି।
ପଞ୍ଚ ମହାଦେବ ଛନ୍ତି ବେଢ଼ା ମଧ୍ୟରେ
ଗଣେଶ ଅଛନ୍ତି ସେମାନଙ୍କ ମନ୍ଦିରେ।
ମୁକ୍ତିମଣ୍ଡପ ର ଯେଉଁ ଶିଳା ଖମ୍ବମାନ
ଖୋଦିତ ହୋଇଛନ୍ତି ତହିଁ ଗଜାନନ।
ଶ୍ରୀମନ୍ଦିର ଦକ୍ଷିଣ ଘରର କାନ୍ଥରେ
ତିନି ମୂର୍ତ୍ତି ଗଜାନନ ଅଛନ୍ତି ସେଠାରେ।
ମା ବିମଳା ଦେବୀ ଙ୍କ ମନ୍ଦିର ଆଗରେ
ନାଟୁଆ ଗଣେଶ ପୀଠ ଅଛି ସେଠାରେ।
ପଇଁତ୍ରିଶ ଫୁଟ ଉଚ୍ଚ ଭବ୍ୟ ମନ୍ଦିର
ନୃତ୍ୟ ରତ ଶ୍ରୀଗଣେଶ ତହିଁ ସୁନ୍ଦର।
ଛଅ ଫୁଟ ଉଚ୍ଚ ର ଏ ସୁନ୍ଦର ମୂର୍ତ୍ତି
ଷଡଭୂଜ ବିଜେ ପ୍ରଭୁ ଅପୂର୍ବ କାନ୍ତି ।
ଭଣ୍ଡ ଗଣେଶଙ୍କ ସାଥେ କାଞ୍ଚି ରାଜ୍ୟରୁ
ପୁରୁଷୋତ୍ତମ ଦେବ ଆଣିଥିଲେ ତାଙ୍କୁ ।
କେତେ ଭକ୍ତ ବେଢ଼ା ପରିକ୍ରମା କରନ୍ତି
ସେମାନଙ୍କର ହିସାବ ସେତ ରଖନ୍ତି।
ମହାପ୍ରଭୁ ଙ୍କୁ ହିସାବ ରାତିରେ ନିତି
ସେହି ନାଟୁଆ ଗଣେଶ ଯାଇ ଦିଅନ୍ତି।
ସେଲାଗି ବେଢ଼ା ପରିକ୍ରମା ବେଳେ ସେତ
ନାଟୁଆ ଗଣେଶଙ୍କ ଦର୍ଶନ ନିଶ୍ଚିତ।
ଏହି ମନ୍ଦିରେ ଗଣେଶ ଚତୁର୍ଥୀ ଦିନ
ବିଦ୍ୟାର୍ଥୀ ଙ୍କ ଭିଡ଼ ଲାଗେ ସେ ସାରା ଦିନ।
ଶ୍ରୀମନ୍ଦିର ବେଢାରେ ଦିବ୍ୟ କଳ୍ପ ବଟ
ସେ ବଟ ମୂଳେ ବଟ ଗଣେଶ ପୂଜିତ ।
ଯୁଗ ଆରମ୍ଭୁ ପ୍ରଭୁ ଢାଳନ୍ତି ଆଶିଷ
ବଟ ମୂଳେ ଛନ୍ତି ବୋଲି ବଟ ଗଣେଶ ।
ଧଳା ମୁଗୁନି ପଥରେ ଗଢା ମୂରତୀ
ଆସିନ ମୁଦ୍ରାରେ ପ୍ରଭୁ ବିରାଜିଛନ୍ତି।
ପ୍ରଭୁଙ୍କର ଚତୁର୍ଭୁଜ ହସ୍ତରେ ସେତ
ଧରିଛନ୍ତି ଲଡୁ ପାଶ ଅଙ୍କୁଶ ଦାନ୍ତ ।
ଦକ୍ଷିଣ ଦିଗେ ପ୍ରଭୁ କରିଛନ୍ତି ମୁଖ
ବୁଝନ୍ତି ସେ ଭକ୍ତଙ୍କ ସବୁ ଦୁଃଖ ସୁଖ।
ସେ ଲାଗି ଏ ମନ୍ଦିରେ ନିଇତି ଗହଳି
ଭକ୍ତେ କରନ୍ତି ଅଳି ଘିଅ ଦୀପ ଜାଳି।
ମନବାଞ୍ଛା ପ୍ରଭୁ ଯେଣୁ କରନ୍ତି ପୂର୍ଣ୍ଣ
କଳ୍ପ ଗଣେଶ ଭାବେ କ୍ଷାତି ତାଙ୍କ ଜାଣ।
ବଟ ଗଣେଶ ସେତ ଦୟାର ବାରିଧି
ଦୟାକଲେ ପ୍ରଭୁ ହୁଏ ସାଧନା ସିଦ୍ଧି।
ସେଲାଗି ପ୍ରଭୁଙ୍କ ନାମ ସିଦ୍ଧ ଗଣେଶ
ଭକ୍ତଙ୍କୁ ଦିଅନ୍ତି ଢାଳି ସଦା ଆଶିଷ ।
ଚିନ୍ତା ଅବସାଦ ପ୍ରଭୁ କରନ୍ତି ଦୂର
ତେଣୁ ସେତ ଚିନ୍ତାମଣି ଗଣ ଈଶ୍ୱର।
ଗଣେଶ ଚତୁର୍ଥୀ ଦିନ ଶ୍ରୀମନ୍ଦିରରେ
ଗଣେଶ ଙ୍କ ପୂଜାର୍ଚ୍ଚନା ମହାନନ୍ଦରେ।
ବଟ ଗଣେଶ ମନ୍ଦିରେ ବିଶେଷ ନୀତି
ମହାବିନାୟକ ବ୍ରତ ରଖନ୍ତି ବ୍ରତୀ ।
ଦିନ ସାରା ବିଦ୍ୟାର୍ଥୀ ଙ୍କ ହୁଏ ଗହଳି
ଗଣେଶ ଙ୍କ ବନ୍ଦନା ପଡେ ଉଛୁଳି।
ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ହେଲେ ଶେଷ
ସେଦିନ ବଟ ଗଣେଶ ନୃତ୍ୟ ଗଣେଶ,
ଭଣ୍ଡ ଗଣେଶଙ୍କ ପାଖେ ଭୋଗ ଲାଗଇ
ଭୋଗ ପରେ ବନ୍ଦାପନା ତହିଁ ହୁଅଇ।
ତାପରେ ସରସ୍ଵତୀ ମନ୍ଦିରେ ସେବକ
ଭଦ୍ରାସନ ଆଣି ରଖନ୍ତି ଯତ୍ନେ ସେତ।
ବେହରଣ କରଣ ଯେ ମାଦଳା ପାଞ୍ଜି
ଭଦ୍ରାସନ ପରେ ଆଣି ରଖନ୍ତି ଖଞ୍ଜି।
ପୁଷ୍ପାଞ୍ଜଳି ଦେଇ ପାଞ୍ଜି ପୂଜା କରନ୍ତି
ଶୀତଳ ଭୋଗ ତାପରେ ଲାଗି ହୁଅନ୍ତି।
ବାଇଶି ଗୋଟି ନଡ଼ିଆ ଭଙ୍ଗା ହୁଅଇ
ଭକ୍ତ ଆହ୍ଲାଦିତ ସେହି ପ୍ରସାଦ ପାଇ।
ଗଣେଶଙ୍କ ପାଖରେ ପ୍ରାର୍ଥନା କରନ୍ତି
ଦିଅ ବିଦ୍ୟା ଦିଅ ବୁଦ୍ଧି ହେ ଗଣପତି।
