DILIP KUMAR SAHOO

Abstract

4  

DILIP KUMAR SAHOO

Abstract

କାଳୀୟଦଳନ

କାଳୀୟଦଳନ

2 mins
18



ଦ୍ବାପର ଯୁଗର କାହାଣୀ ବଖାଣୁ

କୃଷ୍ଣ ପାଦେ ରଖି ମଥା 

କାଳିନ୍ଦୀ ହ୍ରଦରେ କାଳୀୟ ନାଗ ର

ଦରପ ଦଳନ କଥା ।


ଗୋପ ରାଇଜ ର କାଳିନ୍ଦୀ ହ୍ରଦ ଲୋ

ଉଛୁଳେ ଯମୁନା ପାଣି

ପଦ୍ମ ଫୁଲେ ଭରା କାଳିନ୍ଦୀ ର ଶୋଭା

ଆଖିକୁ ନିଅଇ ଟାଣି।


ରଙ୍ଗ ବେରଙ୍ଗର ମାଛଙ୍କର ଘର

ନିର୍ମଳ କାଳିନ୍ଦୀ ଜଳ

ଦିନ ସାରା ମାଛ ପାଣିରେ ଖେଳନ୍ତି

ହୋଇ ସେତ ଦଳଦଳ।


ସୌଭରି ଋଷି ତ ନିତି ପ୍ରଭାତ ରୁ ଆସି

କାଳିନ୍ଦୀ ହ୍ରଦ କୂଳରେ ରୁହନ୍ତି ସେ ବସି

ମାଛଙ୍କ ର ଖେଳ 

ମାଛଙ୍କ ର ଖେଳ 

ମାଛଙ୍କ ର ଖେଳ ଦେଖି ହୋଇଥାନ୍ତି ଖୁସି ‌।


ମାଛ ମାନଙ୍କର ରାଜା ଯେ ରୋହିତ

ଭାରି ସୁନ୍ଦର ଅଟଇ

କାଳିନ୍ଦୀ ହ୍ରଦରେ ତାର ପାଣି ଖେଳ

ନିଏ ଋଷି ମନ ମୋହି।୧!


ଦିନେକ ଗରୁଡ଼ ଗୋପପୁର ଆସି

କାଳିନ୍ଦୀ କୂଳକୁ ଗଲା

ମାଛ ମାନଙ୍କୁ ସେ ଦେଖୁଦେଖୁ ତାର

ପାଟିରୁ ଲାଳ ବୋହିଲା।


ରୋହିତ ମାଛକୁ ଦେଖି ପକ୍ଷୀରାଜ

ଖାଇବାକୁ ମନ କଲା

ଋଷି ସୌଭରି ଙ୍କ ବିରଣ ନମାନି

ରୋହିତ କୁ ଝାମ୍ପିନେଲା ।


ଗରୁଡ଼ ଉପରେ ତହିଁ ରାଗିଗଲେ ଜତି

ରାଗରେ ଆଖିରୁ ହେଲା ନିର୍ଗତ ଯେ ଜ୍ଯୋତି

ବିଷ୍ଣୁଙ୍କ ବାହନ

ବିଷ୍ଣୁଙ୍କ ବାହନ

ବିଷ୍ଣୁଙ୍କ ବାହନ ଯେଣୁ ନାହଁ ତାର ଭିତି।


ହେଲେ ଯେ ସୌଭରି ଋଷି ଦେଲେ ଶାପ

କାଳିନ୍ଦୀ ହ୍ରଦେ ଗରୁଡ଼ 

ପସି ପାରିବନି , ପସିବତ ଯଦି

ନିଶ୍ଚେ ହେବ ମୃତ୍ଯୁ ଯୋଗ।୨!


ସମୁଦ୍ର ମଧ୍ୟରେ ରମ୍ଯକ ଦ୍ବିପରେ

ଗରୁଡ଼ ଙ୍କ ବାସ ସ୍ଥଳ

ସେ ଦ୍ବାରରେ ପୁଣି ବାସ କରୁଥାନ୍ତି

ନାଗ ମାନେ ଦଳଦଳ।


ବଳିଭୋଜ ଦେଇ ନାଗ ନାଗୁଣୀ ତ

ଗରୁଡେ କରନ୍ତି ତୋଷ

ସେଇଥିପାଇଁ କି ନାଗଙ୍କ ଉପରେ

ଗରୁଡ଼ କରେନି ରୋଷ।


ନାଗଙ୍କ ମଧ୍ୟରେ ଭାରି ଦୁଷ୍ଟ ଯେ କାଳୀୟ

ଗରୁଡ଼ କୁ କଲାନାହିଁ ସେତ ଜମା ଭୟ

ନିଜ ପାଳି ଦିନ

ନିଜ ପାଳି ଦିନ

ନିଜ ପାଳି ଦିନ ତେଣୁ ହେଲାନାହିଁ ଭୋଜ୍ଯ


ଭୋକରେ ଗରୁଡ଼  କାଳୀୟ ପଛରେ

 ଧାଇଁଲା ଯେବେ ରାଗରେ

ଚତୁର କାଳୀୟ ଲୁଚି ଗଲା ଯାଇ

କାଳିନ୍ଦୀ ହ୍ରଦ ଜଳରେ।୩।


କାଳିନ୍ଦୀ ହ୍ରଦରେ ଗରୁଡ଼ ପକ୍ଷୀକୁ

ଭୟ ଯେ ନଥିଲା ଯେଣୁ

କାଳୀୟ ନାଗ ଯେ ପରିବାର ନେଇ

ସେ ହ୍ରଦେ ରହିଲା ତେଣୁ।


ନାଗ ନାଗୁଣୀ ଙ୍କ ହଳାହଳ ବିଷେ

ଜଳ ହେଲା ବିଷମୟ

କାଳିନ୍ଦୀ ହ୍ରଦରେ ପସିବାକୁ ଲୋକେ

କରିଲେ ତ ସବୁ ଭୟ।


ପାଣି ପିଇବାକୁ ଗୋପ ନଗ୍ର ଗୋରୁଗାଈ

ପାରିଲେନି ଆଉ ସେହି କାଳିନ୍ଦୀ କୁଯାଇ

ପଦ୍ମ ଫୁଲ ସବୁ

ପଦ୍ମ ଫୁଲ ସବୁ

ପଦ୍ମ ଫୁଲ ସବୁ ଶୁଖି ମଉଳିଲା ତହିଁ।


କାଳୀୟ ପାଇଁକି କାଳିନ୍ଦୀ ର କୂଳ

ହେଲା ବିପଦ ସଂକୁଳ

ଅଲୋଡା ହୋଇଲା ସମସ୍ତଙ୍କ ପାଇଁ 

କାଳିନ୍ଦୀ ହ୍ରଦର ଜଳ।୪!


କାଳୀୟ ନାଗ ର ବିଷ ଜହରରେ

କାଳିନ୍ଦୀ ଅଲୋଡା ହେଲା

କାଳୀୟ ର ଦର୍ପ ଦଳନ ପାଇଁକି

କହ୍ନେଇ ହ୍ରଦେ ପସିଲା।


ଶହଶହ ନାଗ ଖେଳୁଥିଲେ ଜଳେ

କହ୍ନେଇ କୁ ଗଲେ ଘେରି

ନାଗ ମାନଙ୍କୁ ତ ମୁଷ୍ଟି ଘାତେ କାହ୍ନୁ

ଦେଲା କଲବଲ କରି।


ଫେରିଯାଇ ନାଗ ମାନେ କାଳୀୟ କୁ ଯାଇ

ସମସ୍ତେ କଲେ ଗୁହାରି ଲୁହଯେ ଝରାଇ 

ମଣିଷ ଶିଶୁ ସେ

ମଣିଷ ଶିଶୁ ସେ

ମଣିଷ ଶିଶୁ ସେ ଆସି ଆମକୁ ମାରଇ ।


କିଏ ସେହି ଶିଶୁ କାଳିନ୍ଦୀ ରେ ପସି

ଛୁଆଙ୍କୁ ମୋର ମାରିଲା

ରାଗରେ ଗରଜି କାଳୀୟନାଗଯେ

ଉପରକୁ ବାହାରିଲା।୫।


କାଳୀୟ ନାଗ ଯେ ଦେଖିଲା ଶିଶୁଟି

ଖୁସିରେ ତୋଳୁଛି ପଦ୍ମ

ଗରଜନ କରି କହିଲା କାଳୀୟ

ଆସିଛି ମୁଁ ତୋର ଯମ।


କାହ୍ନୁ ର ଦେହରେ ଗୁଡେ଼ଇ ହୋଇ ସେ

ବନ୍ଧନରେ ପକାଇଲା

କାଳୀୟ କାହିଁକି ବୁଝି ପାରିବ ଯେ

କାହାକୁ ସେ ବାନ୍ଧି ଦେଲା !


ହସିହସି କଳାକାହ୍ନୁ ତାଙ୍କ ଶରୀରକୁ

ନିମିଷକେ ଛୁଆଁଇଲେ ସେତ ଆକାଶକୁ

ଥରହର ହେଲା

ଥରହର ହେଲା

ଥରହର ହେଲା କାଳୀ ଦେଖିସେ ରୂପକୁ।


କାଳୀୟ ନାଗର ଫଣା ପରେ ଚଢି

କାହ୍ନୁ କଲେ ନୃତ୍ୟ ଲୀଳା 

ବିଶାଳ ବପୁ ର ପଦାଘାତ ତହିଁ 

କାଳୀ କୁ ଅସହ୍ୟ ହେଲା ।୬!


ମରିଗଲି ବୋଲି କାଳୀୟ ନାଗର

ବିକଳ ଗର୍ଜନ ଶୁଣି

ପାଣି ଉପରକୁ ଉଠି ଆସିଲେତ

ନାଗ ର ଶତ ନାଗୁଣୀ।


ଚର୍ମ ନୟନରେ ଅପୂର୍ବ ଦୃଶ୍ୟ ସେ

ଦେଖିଣ ଚକିତ ହେଲେ

ସପ୍ତଫଣା ପରେ ନିଜେ ନାରାୟଣ

ବିଜେ ସେତ କରିଥିଲେ।


ତ୍ରିଭଙ୍ଗୀ ଠାଣିରେ ପ୍ରଭୁ ନାଚ କରୁଥିଲେ

ଦେଖିଣ ନାଗୁଣୀ ମାନେ ଅଭିଭୁତ ହେଲେ

ପ୍ରଭୁଙ୍କ ପାଦରେ

ପ୍ରଭୁଙ୍କ ପାଦରେ

ପ୍ରଭୁଙ୍କ ପାଦରେ ସବୁ ପ୍ରଣିପାତ କଲେ।


ବିକଳେ କହିଲେ କୃଷ୍ଣ ଙ୍କୁ ତ ଚାହିଁ

ସ୍ବାମୀ ଙ୍କୁ କ୍ଷମ ହେ ସାଇଁ

ତୁମ୍ଭକୁ ନଚିହ୍ନି ତୁମ୍ଭ ସାଥେ ପ୍ରଭୁ 

ଯୁଦ୍ଧ କଲେ ପରା ସେହି!୭!


ନାଗୁଣୀ ମାନଙ୍କ କ୍ରନ୍ଦନ ଶୁଣିତ

କଳାକହ୍ନୁ ତୋଷ ହେଲେ

କାଳୀୟ ଫଣାରୁ ତଳକୁ ଓହ୍ଲାଇ

ତାକୁ ପରା କ୍ଷମା କଲେ।


କହିଲେ ଏକ୍ଷଣି କାଳିନ୍ଦୀ କୁ ଛାଡି

ରମ୍ଯକ ଦ୍ବୀପ କୁ ଯାଅ

ଜ୍ଞାତି କୁଟୁମ୍ବ ଙ୍କ ସାଥେ ମିଳିମିଶି

ସେହି ଠାରେ ଯାଇ ରୁହ।


ମଥାରେ ତୁମର ମୋର କଠାଉର ଚିହ୍ନ

ଆଜିଠାରୁ ରହିବ ଯେ ନାଗ ମାନେ ଜାଣ

ସେ ଚିହ୍ନକୁ ଦେଖି

ସେ ଚିହ୍ନକୁ ଦେଖି

ମୋ ଗରୁଡ଼ ପକ୍ଷୀ ଯିବ ଦୂରେ ଦୂରେଇଣ ।


କୃଷ୍ଣ ଙ୍କୁ ପ୍ରଣାମି କାଳୀୟ ଚଳିଲା

ରମ୍ଯକ ଦ୍ଵୀପେ ରହିଲା 

ହସିଲା କାଳିନ୍ଦୀ କାଳୀୟ ନାଗର

ଦର୍ପ ସେତ ଚୁନା ହେଲା !





Rate this content
Log in

Similar oriya poem from Abstract