ସୃଷ୍ଟି ଓ ବିଲୟ
ସୃଷ୍ଟି ଓ ବିଲୟ


ମିଛ ଏକ ମାୟା ପୁରେ ଜନମ ଏ ପ୍ରାଣ
କେମିତି କହିବି ସର୍ଜନର ଅଙ୍କୋରଦ୍ଗମ ।
ବିନା ଖାଦ୍ୟେ ବିନା ଜଳେ ଜନନୀ ଉଦରେ
କର ଯୋଡ଼ି ମୁକ୍ତି ପାଇଁ ପ୍ରଭୁ ନାମ ଧରେ ।
ଦଶମାସ ଦଶ ଦିନେ କୁଆଁ କୁଆଁ ରାବେ
ଧରଣୀ କମ୍ପାଇ ଆସେ ଆନନ୍ଦେ ଗରବେ ।
ଶଶିକଳା ପରି ପ୍ରଭା ଧୀରେ ଧୀରେ ବଢେ
ଧୂଳି ବାଲି ମାଟି ଘାଣ୍ଟି କେବେ ଉଠେ ପଡେ ।
ମାତାଙ୍କ ମମତା ଦାନ ଅତ୍ୟନ୍ତ ସରଳ
ବିନା ପ୍ରଭୁ ଧ୍ୟାନେ ଯାଏ ସୁଖେ ବାଲ୍ୟକାଳ ।
ସେହି ସ୍ନେହ ମନେ ହୃଦେ ଗୁରୁ ଠାରୁ ଭାରି
ଯେବେ ନାରୀ ହସ୍ତ ଧରି ଭୋଗେ ସୁଖ ଶିରୀ ।
ସୁଖ ଦୁଃଖ ବାଣ୍ଟିବାକୁ ଯେବେ ଆସେ ସାଥୀ
ଗୃହ ଜଞ୍ଜାଳ ରଥରେ କରାଏ ସାରଥୀ ।
କେତେବେଳେ ଚାଲି ଗଲା ଭରା ଯଉବନ
ବିବାହ କରିବେ ଏବେ ଜନ୍ମିତ ସନ୍ତାନ ।
କ୍ଷୀଣ ହୁଏ ବଳ ବୀର୍ଯ୍ୟ ଧୁଡୁ ଧୁଡୁ ଚର୍ମ
ତଥାପି ବଞ
୍ଚିବା ନିଶା ଛାଡେନା ଅଧମ ।
ଉଡିଲାଣି ପକ୍ୱ କେଶ ଯେହ୍ନେ ଶୁଭ୍ର ଢାଗା
ତଥାପି ପ୍ରଭୁଙ୍କ ନାମ ନଚିନ୍ତେ ଅଭାଗା ।
ଲୋହିତ ରଙ୍ଗରେ ଅସ୍ତାଚଳେ ଭାନୁ ଛବି
ଘର ବାହୁଡ଼ା ହେଲେଣି ଖଗମାନେ ରାବି ।
ଘର ଚାଳପରେ ବସି ଡାକିଲାଣି ପେଚା
ନୟନେ ସପନ ଲତା ଦିଶେ ଏବେ କଞ୍ଚା ।
ବୁଝେନା ଅବୋଧ ମନ କ୍ଷଣିକ ଏ ଦେହ
କାହିଁକି ଲଗାଇ ଅଛି ଏତେ ମାୟା ମୋହ ।
ଭବ ରଙ୍ଗ ଭୂମି କୋଳେ ଆଶା ଚିର କାଳ
ଜାଣେନା ନାଟକ ଶେଷେ ଫୁଟିବ ସକାଳ ।
ପୁଣି ଏକ ଚରିତ୍ରର ହୁଏ ଉନ୍ମୋଚନ
କାହାର ରହିବ ନାହିଁ ଅଙ୍କୁଶ ଶାସନ ।
ପତିଆରା ଯେତେ କର ସମୟର ଆଗେ
କ୍ଷୀରକୁ ଅନଳ ଯେହ୍ନେ ଉତୁରାଏ ବେଗେ ।
ହାଟ ସରି ଗଲେ ଆଉ ହୁଏ ନାହିଁ ବିକା
ସଂସାର ବୋଝକୁ ଧରି ଫେରି ଯିବୁ ଏକା ।
ଲାଭ କ୍ଷତି ବିଚାରକୁ ନେଲେ ନାରାୟଣ
ଯେତେ ଗର୍ବ ଥିବ ତୋର ଯିବରେ ଶ୍ମଶାନ ।