ସମୟର ସ୍ବର
ସମୟର ସ୍ବର
ଶ୍ୟାମଳିମା ଭରା କେଦାର ,କାନନ
ପାରୁଶେ ବହୁଛି ପ୍ରାଚୀ ନଈ
ମଧୁର ମୂର୍ଚ୍ଛନା କଳନିନାଦିନୀ
ନିଦରେ ପଡ଼ିଚୁ କିବା ଶୋଇ।1।
ରଙ୍ଗର ହୋଲିରେ ବୋଳି ହୋଇଥିଲା
ପରଜା ପତିର ଦୁଇଡେଣା
ସମୟ ସଙ୍କୋଳି ପିନ୍ଧି ବାର ଦିନୁ
ଏବେ ଦିଶିଲାଣି ସେ ପୁରୁଣା।2।
ପୂରୁବ ଅରୁଣ କିରଣକୁ ଦେଖି
ଗହୀର ପାଟରୁ କାଶତଣ୍ଡି
କହୁନାହିଁ ଆଉ ପଙ୍କଜିନୀ ବଧୂ
ସଅଳ ଦିଅ ତୋ ଗଭାମଣ୍ଡି।3।
ଗାଁ ସେ ମୁଣ୍ଡର ବଉଳ ମୂଳଟି
ତୋଫା ଆଲୁଅରେ ଝିଲିମିଲି
ଅଗଣି ବୁଢ଼ୀର ପାଚେରୀ ଉହାଡୁ
ଚାନ୍ଦ ହସୁନାହିଁ ଖିଲି ଖିଲି।4।
ମଝି ଅଗଣାରେ ନୁଆଁଣ ଚାଳରେ
ସଜନା ଗଛଟି ଗଲାଣି ଶୋଇ
ଚଉରା ମୂଳରେ ଶିରାଳ ଛାତିରେ
ଗୋଲାପ ରହିଛି ଆକାଶେ ଚାହିଁ।5।
ଦେଉଳ ଭିତର ପାଟ ଅଗଣାରୁ
ଧରୁନି ପୂଜକ ଫୁଲ ଚାଙ୍ଗୁଡ଼ି
କୁଆଁ ତାରା ଦେଖି ନିଦୁଆ ଆଖିରେ
ତୋଳୁନି ସେ ପରା ମାଳତୀ କଢି।6।
ଗାଁ ମକଦମ ଚଉଧୁରି ବୁଢା
ରଣ ହୁଙ୍କାର ଭୈରବ ରଡି
ଶୁଣାଯାଇ ନାହିଁ କାହିଁ କେତେ କାଳୁ
ଯେବେ ଧରିଲେଣି ସେ ବେତ ବାଡି।7।
ପରଦେଶୀ ପାଠ ବଡକଟମଟ
ବୁଝି ନ ପାରନ୍ତି ଅଂଗ୍ରେଜୀ ବୋଲି
ଓଡ଼ାଙ୍କ,ଫେଡ଼ାଙ୍କ ପଣିକିଆ ଖନ୍ଦା
ମିଶ୍ର ଅବଧାନେ ଗଲେଣି ଭୁଲି।8।
ଦିଅଙ୍କ ବେଢ଼ାର ପାରୁଶକୁ ଲାଗି
ମୁକ ସାକ୍ଷୀ ଭାଗବତ ଘର
ରହିନାହିଁ ସିଏ ସାକ୍ଷୀ ହୋଇବାକୁ
ନ୍ୟାୟ ଅନ୍ୟାୟର ହକଦାର।9।
ଚଇତ ପୂନେଇଁ ଚଇତାଳି ବାଆ
ମନ୍ଦମନ୍ଦ ଗନ୍ଧ ବହିନେଇ
ଝାଞ୍ଜି ବୈଶାଖୀ ଝଞ୍ଜାପବନକୁ
ଚୁପିଚୁପି କଥା କହୁନାହିଁ।10।
ଶ୍ରାବଣର ସେଇ ଶ୍ରାବଣୀ ଆଖିରେ
ଲୁହର ବନ୍ୟା ଆଉ ନାହିଁ
କାଗଜ ଡଙ୍ଗାର ହୃଦୟ ର ଭାଷା
ପଢିବାକୁ ଥରେ ପାଉ ନାହିଁ।11।
ଶୀତ ଥୁରୁଥୁରୁ ପଉଷ ସକାଳୁ
କୃଷକ ଯାଉନି ଦାଆ ଧରି
ଅକାଳ ଝଡରେ ଉଜୁଡା କ୍ଷେତକୁ
ଦେଖିତା ପିଞ୍ଜରା ଯାଏ ଥରି।12।
ସଜ ହେଉନାହିଁ ନବ କୂଳବଧୂ
ନଦୀ ଜଳେ ସ୍ନାନ ସାରିବାକୁ
ଡାକୁନି ଝଅଟ କୁନିନଣନ୍ଦକୁ
ଦେଖି ପାହାନ୍ତିଆ ତାରାଟକୁ।13।
ଓଦାପଣତରେ ରୂପକୁ ଘୋଡାର
କାଖେ ପୂର୍ଣ୍ଣ କୁମ୍ଭଜଳ ଧରି
ଓଢଣା ଫାଙ୍କରେ କଣେଇ କଣେଇ
ଚାଲୁନାହିଁ ବାଟ ଥିରି ଥିରି।14।
ଦୂର ଝାଉଁବଣେ ପବନ ତାଳରେ
ବାହୁନା ଶୁଭୁନି କପୋତୀର
ସେର ପୁରିଗଲା ମାଣ ପୁରିଗଲା
ଉଠୁରେ ଉଠୁ ପୁତ ମୋର।15।
ତା ପାଣି ପବନ ପଞ୍ଚମହାଭୂତେ
ଗଢ଼ା ମୋ ହେଇଚି ଏ ଜୀବନ
ମଧୁର ଆବେଗ ଆଦର ସୋହାଗେ
ପୁଲକିତ ସଦା କ୍ଷୁଦ୍ର ପାଣ।16।
ଧୂଳି ମାଟିଗଢା ଧୂଳିସରଗଟି
ମମତା ମନ୍ଦିର ମୋ ପାଇଁ
କର୍ମର ଆହ୍ୱାନେ ଦୂର ବାସେ ଝୁରେ
ଘେନ ମୋ ପ୍ରଣାମ ମାତା ତୁହି।17।
ସମୟର ସେହିକାଳ କରାଳସ୍ରୋତରେ
କାନ୍ତିରେ ପଡିଛି ମଳିନତା
ତଥାପି ଏକ୍ଷଣ ଭଙ୍ଗୁର ଜୀବନେ
ଲେପିଛୁ ଚନ୍ଦନ ଶୀତଳତା।18।
