ରଜନୀ ଗୋ !
ରଜନୀ ଗୋ !
ରଜନୀ ଗୋ ! ତୁମେ ଅପସରି ଯାଅ
ଅରୁଣ ଅପେକ୍ଷାରତ ,
ପୂରୁବ ଆକାଶ ସୂଚାଇ ଦେଲାଣି
ମଣ୍ଡିବେ ସେ ଅର୍କତୀର୍ଥ !
ଆସିବେ ଅରୁଣ ବାଣ୍ଟିବେ କିରଣ
ଧରା ହେବ ଆଲୋକିତ,
ତରୁଲତାସବୁ ନବ ଆଲୋକରେ
ହେବେ ଆଶା ବିମଣ୍ଡିତ ।
ପଦ୍ମ ପାଖୁଡ଼ାରେ ଉଙ୍କି ମାରିଲାଣି
ଶିରି ଶିରି ଶିହରଣ,
ସରସୀର ଜଳ ରଙ୍ଗେ ଘନ ନୀଳ
ମୃଦୁ ମଧୁ ଆସ୍ତରଣ ।
ସୁନୀଳ ସାଗର ଊର୍ମି-ଉତ୍ସବରେ
ନାଚୁଛି ହୋଇ ଉନ୍ମତ୍ତ,
ଶୀତଳ ସମୀର ଆନନ୍ଦ ବିଭୋର
ଗାଏ ସୁଗମ ସଙ୍ଗୀତ !
ଅର୍କତୀର୍ଥେ ତାଙ୍କ ଶୁଭ୍ର ସିଂହାସନେ
ହେବେ ସିଏ ଅଭିଷିକ୍ତ,
ବସୁଧା ବକ୍ଷରେ ଆଲୋକର ଧାରା
ବିଂଛିବେ ହୋଇ ଆଶ୍ୱସ୍ତ ।
ଆସିବେ ଅରୁଣ କଅଁଳ କଅଁଳ
କିରଣ ଚାଦର ନେଇ,
ଦୂର ଦିକ୍-ବଳୟେ ଆସିବା ପଥକୁ
ସାଗର ଅଛି ଅନେଇ ।
ଶାରଦୀୟ ସନ୍ଧ୍ୟା ରକ୍ତିମ ରଙ୍ଗକୁ
କବରୀର ଆଢୁଆଳେ,
ବିଂଛି ଦେଇଥିଲ ଘନ ଅନ୍ଧକାର
ନୀରବ ବସୁଧା କୋଳେ ।
କିଛି କ୍ଷଣ ପାଇଁ ବିସ୍ତାରିଥିଲ ଗୋ'
ଅନ୍ଧକାରର ସାମ୍ରାଜ୍ୟ,
ଚିରସ୍ଥାୟୀ କେବେ ରହିଛି,ରହିବ
କାହାରି ନାହିଁ ସେ ଭାଗ୍ୟ ।
ପ୍ରତିଟି ପ୍ରାଣରେ ଆଲୋକ,ଅନ୍ଧାର
ଅବଶ୍ୟ ଅନୁପୂରକ,
ଅନୁକ୍ରମଣିକା ନୁହେଁ ଆବଶ୍ୟକ
ନିଜେ ତୁମେ ପ୍ରବନ୍ଧକ !
ଅନ୍ଧାର ନ ଥିଲେ ଆଲୋକର ସତ୍ତା
ଅନୁଭବରେ ଅଭାବ,
ଜନମ ନ ଥାଇ ମୃତ୍ୟୁର କଳ୍ପନା
କେବେ କ'ଣ କରିହେବ !
ପ୍ରଭାତ ଓଠରେ ଉଙ୍କି ମାରିଲାଣି
ସ୍ମିତ ହସର ଲହରୀ,
ଯାଅ ଗୋ' ରଜନୀ,ରଜନୀଗନ୍ଧାର
ସୁରଭିକୁ ବକ୍ଷେ ଧରି ।
ପ୍ରଭାତ ପ୍ରଦୋଷ ତୁମ ଜୀବନର
ଦୁଇଟି ପ୍ରମୁଖ ଅଙ୍ଗ,
ଜଣେ ତ ରକ୍ତିମ ଅନ୍ୟଟି କୁଂକୁମ
ସରାଗ ଓ ଅନୁରାଗ !
ରଜନୀ ଗୋ ! ତୁମେ ବସୁଧା ମାଆର
ନିଶୀଥ ଉର୍ବଶୀ କନ୍ୟା,
ଅରୁଣ ଯେ ତାଙ୍କ ମମତା ପଣତ
ଆଲୋକ ଉତ୍ସର ବନ୍ୟା !
ଜଣେ ରାଗ ଜଣେ ନିସ୍ତବ୍ଧ ରାଗିଣୀ
ଉଭୟେ ପ୍ରିୟ ସନ୍ତାନ,
ଉଭୟଙ୍କୁ ନେଇ ବସୁଧା ହସିବ
ଈଶ୍ୱରଙ୍କ ବରଦାନ ।
ରଜନୀ ଗୋ ! ତୁମେ ସୁଗନ୍ଧା- ଶ୍ୟାମଳୀ
ପ୍ରୀତି,ତୃପ୍ତି,ଅନୁପମା,
ବିଦାୟ ଦେଉଛୁ ସ୍ୱାଗତିକା ଗାଇ
ରହିବ ହୋଇ ଉପମା !