ଦିବ୍ୟ କସ୍ତୁରୀ ସନ୍ଧାନେ
ଦିବ୍ୟ କସ୍ତୁରୀ ସନ୍ଧାନେ
ଜୀବନର ସତ୍ୟ
ଆଉ ଦିବ୍ୟଜ୍ଞାନ ଅନୁସନ୍ଧାନରେ,
ଇତସ୍ତତଃ ଘୂରୁଥାଏ ମନମୃଗ,
ସୁଖ କସ୍ତୁରୀ ସୁଗନ୍ଧେ
ହୋଇ କେତେ ଅଧିର ବିଭୋର !
ଅଦୂରରୁ ଶୁଭିଯାଏ ପାଞ୍ଚଟି ଇନ୍ଦ୍ରିୟଙ୍କର
ଆପଣାର ଗୁଣଗାନମାନ।
ଯେତେସବୁ ଗାଥାବଳୀ ଗୌରବାନ୍ବିତର ।
ଏକରୁ ବଳି ଆରେକ ଭାବୁଥାନ୍ତି,
ସେହିଁତ ପ୍ରକୃତରେ ଅଧିପତି, ସାରା ଶରୀରର !
ତା ପାଇଁକି ଜୀବନର ମୂଲ୍ୟ ସିନା ଏତେ ଉଚ୍ଚତର ।
ଚାଲିଥାଏ ପରସ୍ପର ଗାରିମାର ଶକ୍ତି ପ୍ରଦର୍ଶନ ।
ସୁମଧୁର ସୁଲଳିତ ଭାବପୂର୍ଣ୍ଣ ସଂଗୀତରେ,
ଶରୀରକୁ ରୋମାଂଚିତ କରୁଥିଲା ଶ୍ରବଣ ଇନ୍ଦ୍ରିୟ ।
ଆଖିରେ ଭରି କେତେଯେ ଚମତ୍କାର ରଙ୍ଗ-ରୂପ,
ମନୋହର ସ୍ବର୍ଗୀୟ ସୁଷମା,
ଖୁସି କରୁଥିଲା କେତେ ଦର୍ଶନ ଇନ୍ଦ୍ରିୟ।
ତାଜା ତାଜା ସୁଗନ୍ଧରେ ମହକାଇ ଦେଉଥିଲା
ଆଘ୍ରାଣ ଇନ୍ଦ୍ରିୟ ।
ଅପୂର୍ବ ସେ ସ୍ୱାଦଯୁକ୍ତ ବ୍ୟଞ୍ଜନରେ
ଜିହ୍ୱା ମୋର ଭରି ଦେଉଥିଲା କେତେ
ରସନା ଇନ୍ଦ୍ରିୟ ।
କେତେବେଳେ ଅପୂର୍ବ ଉଷ୍ମତା, ପୁଣି
ଆଉ କେବେ ସ୍ବର୍ଗୀୟ ଶୀତଳତାର ଅନୁଭବ
ଭରି ଦେଉଥିଲା ସେହି
ଚର୍ମ ଇନ୍ଦ୍ରିୟଟି, ଶରୀରର କୋଷ ପାଶେ ରହି I
ଅନତି ଦୂରରେ ରହି ଅନ୍ତର ଚେତନା,
ଚୁପଚାପ ଶୁଣୁଥିଲା ଇନ୍ଦ୍ରିୟଙ୍କ ଅହଂକାର ସ୍ୱର।
ବିନୟେ କହିଲା ଶୁଣ !
"ତୁମେମାନେ କେହିବିତ ଶରୀରର ଅଧିପତି ନୁହଁ,
ନିଜ ଆତ୍ମ ବଡିମାର କିମ୍ପା ମିଛ ଇସ୍ତାହାର ଦିଅ ?
'ପ୍ରାଣ' ଭରି ଅଛି ବୋଲି ଶରୀରେ ଜୀବନ,
ତହିଁ ଅନୁଭୂତ ସିନା ପଚିଶ ପ୍ରକୃତି ସହ ଇନ୍ଦ୍ରିୟ ପଞ୍ଚମ !
ଘଟ ଛାଡି ପ୍ରାଣପକ୍ଷୀ ଚାଲିଗଲା ପରେ,
ତୁମେତ ଅଦରକାରୀ ନିହାତି ଭାବରେ" !
ଆଉ ତା ସହିତ ସାବଧାନ କରିଦେଲା ମନଟିକୁ,
ପ୍ରାଣଶକ୍ତି ବିକାଶର ମାର୍ଗେ !
ହେଲେ !
ଚେତନାର ଚୈତନ୍ୟକୁ,
ତାତ୍ସଲ୍ୟରେ ଏଡିଦେଇ ମନ,
ପୁଣି ଥରେ ମାତିଗଲା ଇନ୍ଦ୍ରିୟ ସେବାରେ।
ଆଉ; ଅପମାନ ପ୍ରତିଶୋଧ ଲାଗି
ଘଟ ଛାଡି ପ୍ରାଣପକ୍ଷୀ ଧାଇଁଲା ସତ୍ୱର ।
ସେହି ପଳାୟନ ସନ୍ଧିକ୍ଷଣେ;
ମନ ମୃଗ ପାଇଗଲା କସ୍ତୁରୀ ସନ୍ଧାନ।
ଜୀବତ୍ମା ପରମାତ୍ମାରେ ହୋଇଗଲା ଲୀନ।