ଲେଖନୀ ଭାଙ୍ଗିଛି
ଲେଖନୀ ଭାଙ୍ଗିଛି
ଲେଖନୀ ଭାଙ୍ଗିଛି ଅଯୁଗ୍ମ ଲଗ୍ନରେ
ଦୁଆତ ସରିଛି ଅପରାଧ ଲେଖି,
କାବ୍ୟ ସୃଷ୍ଟି ଆଜି ଶେଷ ସୀମାନ୍ତରେ
ଗଳ୍ପ, ପ୍ରବନ୍ଧର ମୃତ୍ୟୁକୁ ଦେଖି ।
ଭାବନା ଆଦିତ୍ୟ ପଶ୍ଚିମ ଦିଗରେ
ଧିରେ ଧିରେ ବୁଡ଼େ କ୍ଷିତିଯ ଅନ୍ତରେ,
ଅନୁଭବର ସେ ଚିରା କପଡାଟି
ପ୍ରୟାସ, ଗୁନ୍ଥିବି ଏହି ଚାନ୍ଦିନୀରେ ।
ଚୋରିକରେ କିଛି ଶାଳଫୁଲ ବାସ୍ନା
କିମ୍ବା ବସନ୍ତର ମୃଦୁ ମଳୟକୁ,
କାହା ଜୀବନର ସ୍ୱର୍ଣ୍ଣିମ ଗାଥାରୁ
ପ୍ରତାରିତ କେଉଁ ପ୍ରେମିକ କଷ୍ଟକୁ ।
ଚୋରିକରି କାହା ଜୀବନ ଭାବକୁ
କିମ୍ବା ଫଗୁଣର ହଜାରେ ପ୍ରେମକୁ,
କେମିତି ଲେଖିବି ଲେଖନୀ ଭାଙ୍ଗିଛି
ରାଣଦେଇ ଡାକେ ବେଳାଭୂମିକୁ ।
ବେଳାଭୂମି ହୃଦେ ଗାର କାଟେ ନଖେ
ଲେଖେ ଆଣିଥିବା ଚୋରି ଫଗୁଣକୁ,
ଯେତେ ଲେଖୁଥାଏ ସେତେ ଲିଭୁଥାଏ
କଲ୍ଲୋଳ ଦର୍ଶାଏ ନିଜ ଆଦର୍ଶକୁ ।
ଚେଷ୍ଟା ଶେଷହୁଏ ଅସଂଖ୍ୟ କଷ୍ଟରେ
ଅଜ୍ଞାନତାର ସେ କୋମଳ କଢିରେ,
ଶୋଇବାକୁ ଯାଏ ଦୁଃଖ ସବୁ ନେଇ
ବିଭାବରୀର ସେ ଦ୍ବିପ୍ରହରରେ ।
ହାଏ ! ଆଜି ଏ ନିଦ ସବୁ ମିଛ
ସ୍ବପ୍ନ ଭାଙ୍ଗେ କେଉଁ ଅଭିପ୍ରାୟରେ,
ବହୁବର୍ଷ ପୂର୍ବେ ହୋଇଥିଲା ନିଦ
ଶୋଇଥିଲି ଯେବେ ମାଆ କୋଳରେ ।
ଭଳିଲେ କି ଯୋଡି ହୁଏ ସେ ଲେଖନୀ
କିମ୍ବା ବୁଡିହୁଏ ମାତୃପ୍ରେମରେ,
ଉଚ୍ଚ ମିଛ କିଛି ଅଭିଳାଷ ନେଇ
ଛାଡ଼ିଛି ସୃଷ୍ଟିକୁ ଅନେକ ଦୂରରେ ।
ଅସହ୍ୟ ହୁଏ ଏ ଉଜ୍ଜଳ ଆଲୋକ
ଫେରିଯିବି ସେଇ ମାତୃଭୂମିକୁ,
ମାତୃଭାଷାର ସେ ନୂଆ ଲେଖନୀରେ
ଅଙ୍କିବି ବର୍ଷାର ମାଟିଗନ୍ଧକୁ ।
ତୋଳିବି ବସନ୍ତ ପଳାଶ ରଙ୍ଗରେ
ସନ୍ଧ୍ୟା ଗୋଧୂଳିର ଶେଷ ମୟୂଖରେ,
କୃଷ୍ଣଚୂଡ଼ାର ସେ ଫୁଲତୋଡ଼ା ଦେବି
ଅଭିସାରିକାର ନରମ ହାତରେ ।
ଭିଜିବି ଶ୍ରାବଣ ବର୍ଷାବିନ୍ଦୁ ତାଳେ
ଲୁଚାଇ ଖୁସିର ଲୁହ ଠୋପା ଧାରେ,
ଶୀତ କୁହୁଡିର କାକର ସକାଳେ
ନିଆଁ ଜାଳିବସି ସାଙ୍ଗଙ୍କ ମେଳରେ ।
ଧରିବି ଲେଖନୀ ଶେଷଥର ପାଇଁ
ଜୀବନର ଶେଷ ଅଭିଳାଷ ନେଇ,
ଲେଖିବି ଅସଂଖ୍ୟ ନିଦ ମା' କୋଳରେ
ଦୁଆତର ଶେଷ କାଳିବୁନ୍ଦା ନେଇ ।
ଲେଖନୀ ଭାଙ୍ଗିଛି ଗତ ଶ୍ରାବଣର
ଯୋଡ଼ିଦେବି ତାକୁ ଏଇ ଫଗୁଣରେ,
ଇନ୍ଦ୍ରଧନୁ ଠାରୁ ରଙ୍ଗ ଚୋରିକରି
ଭରିବି ସମସ୍ତ ଦୁଆତ ପେଟିରେ ।