ପଥଭ୍ରଷ୍ଟ ମେଘଖଣ୍ଡ
ପଥଭ୍ରଷ୍ଟ ମେଘଖଣ୍ଡ
ମେଘଖଣ୍ଡ ହେ
ଦାରୁଣ ନିଦାଘେ କିବା
ଆସ ବାଟ ଭୁଲି,
ଠାବେ ଠାବେ ବର୍ଷିଯାଅ
ଠାବେ ଠାବେ ଖାଲି
ଆସିଲ ଏ ପ୍ରାନ୍ତେ ତୁମ
କି ଭାଳି ଯେ ମନେ,
ବିଗତ ଦିବସେ ମନେ
ପଡିଲାନି ଦିନେ ।
ମେଘଖଣ୍ଡ ହେ
ଅନୁସନ୍ଧିତ୍ସାଟେ କିବା
ତୁମେ କରିଥିଲ,
ସେଦିନର ଘଟଣାକୁ
କିଏ ବୁଝିଥିଲ
ଯକ୍ଷ୍ୟରାଜଙ୍କର ଘରେ
ସବୁ ଦେବାଦେବୀ,
ମିଳିଥିଲେ ବଣଭୋଜି
କରିବେ ଯେ ଭାବି ।
ମେଘଖଣ୍ଡ ହେ
ବଣଭୋଜି ଶେଷେ ଯେବେ
ନର୍ତ୍ତକୀ ନାଚିଲେ,
ଦେବତା ଦଳେ ମଦିରା
ପାନେ ବ୍ୟସ୍ତ ଥିଲେ
ଏ ବିକଟ ସ୍ଥିତି ଦେଖି
ତପନ ରାଗିଲେ,
ଇନ୍ଦ୍ରଦେବଙ୍କୁ ଦେଖିଣ
ରାଗ ବର୍ଷାଇଲେ ।
ମେଘଖଣ୍ଡ ହେ
କହିଲେ ତପନ ରାଗି
ଦେବରାଜ ଶୁଣ,
ଭୋଜିଭାତେ ନର୍ତ୍ତକୀଙ୍କ
କିବା ପ୍ରୟୋଜନ
ମଦିରା ନହେଲେ ଭୋଜି
ନଥାନ୍ତା କି ହୋଇ,
ଅଭଦ୍ରାମି ସ୍ଥିତି ସବୁ
ଦେଖୁଅଛ ଶୋଇ ।
ମେଘଖଣ୍ଡ ହେ
ଇନ୍ଦ୍ରଦେବ ରାଗିଯାଇ
କୁହନ୍ତି ରବିଙ୍କୁ
ସମସ୍ତଙ୍କ ଖୁସି ପାଇଁ
ଆଣିଥିଲି ତାଙ୍କୁ
ଯଦି ତୁମ ଇଚ୍ଛା ଅଛି
ରୁହ ଏହିଠାବେ,
ଅବା ତୁମେ ଯାଇପାର
ଚାଳି ତୁମ ନାବେ ।
ମେଘଖଣ୍ଡ ହେ
ଏହା ଶୁଣି ଦିବାକର
ଅତୀବ କ୍ରୋଧରେ
ଶୀଘ୍ର ଯାଇ ବସିଗଲେ
ଆପଣା ନାବରେ,
ଗଲାବେଳେ ହାତଝାଡ଼ି
ଦେବେନ୍ଦ୍ର ସମୀପେ
କହିଲେ ଜଳିବ ଏଥର
ଧରଣୀ ମୋ କୋପେ ।
ମେଘଖଣ୍ଡ ହେ
ବାହୁନି ବାହୁନି କାନ୍ଦେ
ଧରଣୀଟା ଆଜି,
ତପନ ରାଗ ସୁଝାଏ
କିରଣକୁ ତେଜି
କାହା ଭୁଲ୍ ପାଇଁ କିଏ
କଷ୍ଟ ପାଏ ଆଜି
ତୁମେ କି ଆସିଛ ଆଜ
ଇନ୍ଦ୍ରଦୂତ ସାଜି ।
ମେଘଖଣ୍ଡ ହେ
ଆସିଛ ଯଦି ବର୍ଷାଟେ
ସିଞ୍ଚିଦେଇ ଯାଅ,
ଉତ୍ତପ୍ତରେ ଶୀତଳଟେ
ଢାଳିଦେଇ ଯାଅ
କିଛି କ୍ଷଣ ପାଇଁ ହେଲେ
ଶାନ୍ତି ଟିକେ ଦିଅ,
ପ୍ରତାରଣା ଛାଡି ପ୍ରେମ
ସଙ୍ଗୀତଟେ ଗାଅ ।
ମେଘଖଣ୍ଡ ହେ
ଗଲାବେଳେ ସନ୍ଦେଶଟେ
ନେଇ ଚାଲିଯିବ
ପିତାଙ୍କୁ ତୁମର ଯାଇ
ସନ୍ଦେଶଟି ଦେବ
ସପରିବାର ଆଷାଢ଼
ଆଗରୁ ଆସିବ
ଦିବାକରଙ୍କ ରାଗକୁ
ଶାନ୍ତ ଯେ କରିବ ।
