ଫେରିଛି ମୌସୁମୀ
ଫେରିଛି ମୌସୁମୀ
ପ୍ରୀତିର କିରଣ ଯେଉଁ ଦିଗରୁ
ମୁନ୍ଦା ଆଖି ଚାହେଁ ସେଇ ଦିଗକୁ,
ଆଖିପତା କିମ୍ବା କଜଳ ଗାରରୁ
ଲମ୍ବିଯାଏ ଲୁହ ଅଧର ଶେଷକୁ ।
ନିଦାଘର କିଛି କରୁଣ ଦୁଃଖରୁ
ବସନ୍ତର ସେଇ ଚୋରା ପୀରତିକୁ,
ପଳାଶ ଫୁଲରୁ କିମ୍ବା ମାଳତୀରୁ
କୃଷ୍ଣଚୂଡ଼ା ପୋଛେ ଆଖିର ଲୁହକୁ ।
ବିରହର କିଛି ଅଧୈର୍ଯ୍ୟ ଦୁଃଖରୁ
ଅପେକ୍ଷାର ସେଇ କୁଞ୍ଜବନକୁ,
କଦମ୍ବ ଝୁରୁଛି କାହା ପ୍ରୀତିରୁ
ଅସଂଖ୍ୟ ପ୍ରେମର ଶେଷ ସୀମାକୁ ।
କିନ୍ତୁ....
ଫେରିଛି ମୌସୁମୀ ଅବସରରୁ
ଲୁଚେଇ ଦେବାକୁ ସବୁ ଦୁଃଖକୁ,
କରୁଣତାର ସେ ଲୁହ ଠୋପାରୁ
ମିଶାଇ ଦେଇଛି ବର୍ଷା ବିନ୍ଦୁକୁ ।
ହୃଦୟର ସବୁ ମରୁଭୂମିରୁ
ନିଦାଘର ସେଇ ଝାଞ୍ଜି ଝଡକୁ,
ଲିଭାଇ ଦେଇଛି ବଣ ଅଗ୍ନିରୁ
ମରୀଚିକାର ମିଛ ମାୟାକୁ ।
ମୌସୁମୀ ଆଣିଛି ସ୍ନେହର ପ୍ରଲେପ
ନିଦାଘ ଶେଷରୁ କିମ୍ବା ବର୍ଷାକୁ
ହୃଦୟେ ଆଙ୍କିଛି ନୂତନ ପୁଷ୍ପରୁ
ପ୍ରେମର ଅନେକ ସ୍ୱତନ୍ତ୍ର ବୃକ୍ଷକୁ ।
ମୌସୁମୀ....
ମିଶାଇ ଦେଇଛ ଅପବାଦରୁ
ଆଖି ଲୁହ ଆଉ ବର୍ଷା ବିନ୍ଦୁକୁ,
ଅପେକ୍ଷାରେ ଥିଲା ବିରହୀ ଏ ମନ
ମୌସୁମୀ ତୁମ ଆଗମନକୁ ।

