ମୁଁ ନୁହେଁ ମୁଁ
ମୁଁ ନୁହେଁ ମୁଁ


ତୁମ ସେ ସହର ଲାଗଇ ଜହର
ରାତେ ବଇଶାଖୀ ମୋତେ
ମୋ ଗାଁକୁ ଦେଖି ଅସ୍ରlକୁ ଅସ୍ରl
ବର୍ଷା ଢ଼ାଳଇ କେତେ l
ତୁମ ସହରୁ ଆସେ ଅତର ଗନ୍ଧ
ସଞ୍ଜ ଢ଼ଳିଲା ପରେ
ମୋ ଗାଁକୁ ଛୁଏଁ କଦମ୍ବ ମହକ
ଡିବିରିର ଆଲୁଅରେ l
କଂକ୍ରିଟ ଘରେ ବିଦେଶୀ ଝଙ୍କାର
ଯେବେ ଖେଳୁଥାଏ ତୁମ
ଭାଗବତ ଟୁଙ୍ଗୀ ଖଞ୍ଜଣୀରେ ଥାଏ
ଗାଁ ସର ସର ଆମ l
ରୂପ ସହରର ରଙ୍ଗିନ୍ ପକ୍ଷୀ ଗୋ
ରଙ୍ଗ ଡ଼େଣାକୁ ଝାଡି
ଦେଖିନିଅ ଥରୁଟେ ଗାଁକୁ ଆସି ମୋ
ଗାଉଁଲି ଛାତିଟା ପଢ଼ି l
କଥା ଦେଇଥିଲ ମଥାକୁ ଛୁଇଁ ମୋ
କିପରି ରହିଛ ଭୁଲି ?
ବୟସ ଜାଳୁଛି ହୃଦୟ ପଠାରେ
ଆଖି ଦୁଇ ଖେଳେ ହୋଲି l
ତୁମ ଅପେକ୍ଷାରେ ରାତି ସରିଗଲା
ଜହ୍ନ ବି ଗଲା ବୁଡି
ସାଇତା ଗଜରା ବାସି ହୋଇଗଲା
ଅତର ବି ଗଲା ଉଡ଼ି l
ଫୁଟି ଝରୁଥିଲେ ଅଗଣା ଶେଫାଳି
ଦୀପ ଆସୁଥିଲା ଲିଭି
ରହିଗଲି ଯାହା ସ୍ମୃତି ଚାରଣରେ
ତୁମ ପାଇଁ ଭାବି ଭାବି l
ମୁଁ ଯେଉଁଦିନ ମୁଁ ରହିବିନି
ଭାବି ଭାବି କଥା ତୁମ
ପବନେ ଲାଗିବ ପୂବେଇ ଛୁଆଁଟା
ଋତୁ ଥିବ ବଦନାମ