ହଜିଲାଦିନ
ହଜିଲାଦିନ
ସ୍ୱପ୍ନିଳ କୈଶୋରେ ମନ ମୋ ଅଥୟ,
ଦାୟିତ୍ୱରୁ ମୁକ୍ତ ବୟସ ଅଠର ପ୍ରାୟ ,
ପରୀକ୍ଷା, ଫଳାଫଳର ମଝାମଝି ସମୟ।
ସଜାଡୁ ସଜାଡ଼ୁ ମୋ ସବୁ ଅଲୋଡା ଜିନିଷ,
ମିଳେ ପୁରାତନ ଏକ ଚିରା ଚମଡା ବାକ୍ସ ।
ପାଏ କେତେ ଜାମା ଅଲିଭା ସ୍ମୃତିରେ ସାଉଁଟା ,
ସତେ କି ସେମାନେ କହୁଥିଲେ କେତେ କଥା ।
ଛୋଟ ଛୋଟ ନୀଳ ସ୍କଟ ଦ୍ଵୟ ଆସିଲେ ବାହାରି,
ଗପି ଗଲେ ,କିଛି ମନେ ନାହିଁ କି ତୋହରି ?
ଆମକୁ ପିିିନ୍ଧି ଦିଶୁଥିଲୁ କେଡେ ସୁନ୍ଦର ସରଳ,
ସ୍କୁଲରେ ବୋଳୁଥିଲୁ ଏଦେହେ ତୋ ପେନର ଗରଳ।
ନାଚିକୁଦି ଆମ ଦେହ କରୁ କେତେ ଅସନା ,
ମାନୁନା ମାଁ ଙ୍କ କଥା "ତଳେ ଜମା ବସନା"।
କରୁଥିଲୁ ଯେ ଆଦର ସାଥି ଧଳା ସାର୍ଟକୁ ,
ପୋଛୁ ତ ନ ଥିଲୁ କାଇଁ ତାରେ କଲମର ମୁହଁକୁ ?
ଆସିଲା ବାହାରି କୁନି ହଳଦିଆ ଫ୍ରକଟି ,
କହିଲା, "ମୋତେ ପୁରା ଭୁଲି ଗଲୁଟି "?
ମୋତେ ପିନ୍ଧି ଖାଉ ଆମ୍ବ ପିଜୁଳି ତୋଳି ,
ସାଙ୍ଗ ମେଳେ ଖେଳୁ ,ଚଟା ,ପୁଚି ଲୁଚକାଳି।
ମୁଁ ଆଉ ମୁଁ ,କହେ ନାଲି ମ୍ୟାକ୍ସି ପାଟିକରି ,
ଥିଲି ତ ମୁଁ ଜାମା ସବୁଠୁ ପ୍ରିୟ ତୋହରି ।
ବୁଲୁଥିଲୁ ମୋତେ ପିନ୍ଧି ନାଚୁ ଘିରିଘିରି ,
ରଜରେ ଆଣିଥିଲୁ ପରା କଟକରୁ ନୂଆ କରି !
ପାଉଁଝି ଅଳତା ନାଇ ମୋ ସାଥେ ଝୁଲୁ ଦୋଳି ।
ଅଣଦେଖା କଲୁ କାଇଁ ଏତେ ସବୁ ରଙ୍ଗ ବୋଳି ?
ପୁରୁଣା ହେଲାରୁ ଆଉ ଭଲ ପାଇଲୁନି ବୋଲି,
ପିନ୍ଧି ମୋତେ ଖେଳୁ ରଙ୍ଗୀନ ଉନ୍ମାଦର ହୋଲି ।
ଗୋଲାପି ଟୋପି ଲଗା ଟିକି ସ୍ୱେଟର ଟିଏ ,
ଆମୋଦେ ପାଟିକଲା କୋଉଠି ଥିଲା ସିଏ ।
ପୁରୁଣା ପୁରୁଣା ସବୁଠୁ ପୁରୁଣା ଯିଏ,
ଶୁଣ୍ ଆଜି କଣ ମନେ ପକେଇ ଦିଏ ।
ବୁଲିଚୁ ମୋତେ ପିନ୍ଧି କେଡେ ଶୀତ ରାତିରେ,
ମାଁଙ୍କ କୋଳ ଆଉ ବାପାଙ୍କ ହାତରେ ,
କେଡେ ସରଳ ,ନୀରିହ ଜୀବନ ଥିଲା ସେଇ,
ପୁରା ଯାତରା ବୁଲି ଆସୁ ବାପାଙ୍କ କାନ୍ଧେ ଶୋଇ।
ଉଠ୍ ଲୋ ମା ,ଡାକେ ସକାଳେ ନିଦ୍ରା ଭାଜଇ ,
ଶୋଇବା ଘର ରେଜେଇ ଭିତରେ ଥାଇ ,
କି ମନ ଲୋଭା ସେ ହଜିଲା ଶୈଶବ !
ଆଉ କି ସେ କାଳ ଫେରି ଚାହିଁବ ?