ଆଶିଷ
ଆଶିଷ
ନାଥ ହେ , କି ନାଟ ଭିଆଇଛ ଏ ଜଗତେ ,
ଠକି ଦେଲ କି ମଝି ଦରିଆରେ ମୋତେ ,
ବାକିଆ ଜୀବନ କାଳ ବିତାଇବି କା ସାଥେ ?
ବୁଝାଇବ କି ଭକତିରେ ଉଣା ରହିଲା କେତେ !
ସାଥୀ ମୋର ଅଜାଣତେ କା ଡାକ ଶୁଣି ଥରୁଟେ ,
ହାତ ଛାଡି ଚାଲିଗଲ ଆଖି ପିଛୁଳାକେ କେଉଁ ବାଟେ?
ଭାବିଛ କି ଥରେ ସଂସାରେ ଦିନ ମୁଁ କେମିତି କାଟେ ?
ପଥର ପରି କାହିଁକି କେଜାଣି ଲାଗେ ପଡିଲେ ଟେକାଟେ।
ପାଇଲିନି ସମୟ ଟିକେହେଲେ ଜାଣିବାକୁ ଭାବିବାକୁ ,
ଦରାଣ୍ଡି ,ଅଣ୍ଡାଳି ,ସାଉଁଟି ରହିଗଲି ବିରାଟ ଶୂନ୍ୟତାକୁ ।
ଚେଷ୍ଟିତ ହେଲି ସ୍ତବ୍ଧ ,ପାଷାଣ ମନକୁ ବୁଝେଇବାକୁ,
ମନୋସ୍ଥିତିକୁ ଚାପି ମନବଳ କିଛି ଗୋଟେଇବାକୁ ।
ତୁମ ଛବିର ଆଭାରୁ କରୁଛି ଶରୀର, ଆତ୍ମାକୁ ସବଳ,
ଶକ୍ତି କିଛି ଦେଉଥିବ ଚଲାଇବାକୁ ତୁମ ସଂସାର କଳ,
ଜଣାଇବ ତୁମ ବିନା ମୋ କଷଣ ପ୍ରଭୁଙ୍କୁ ସକଳ ,
ତୁମେ କାଳେ ରହିଛ ଚାଲିଯାଇ ଦେବତାଙ୍କ ଅଞ୍ଚଳ !
ଝାପସା ଲାଗେ ପ୍ରତିବିମ୍ବ ସୁଦୀର୍ଘ ପଥ ଯେ ଜୀବନର ,
ତେବେ ବି ଆଶ୍ରା ମିଞ୍ଜିମିଞ୍ଜି ଆଲୁଅ ତୁମପରି ତାରାର ,
ଭାବୁଛି ଚାଲିପାରିବି ଦି ହାତ ଧରି ଅନିଶ ଆଉ ଅନନ୍ୟାର।
ପାର୍ଥିବ ନହେଲା ନାଇଁ, ଧରିଥିବ ସଦା ଆତ୍ମିକ ରଜ୍ଜୁକୁ ମୋର।
ଅଟେ ଯେ ଧାମ ତାଙ୍କର ନିଳାଚଳ ,
ବସିଛନ୍ତି ସିଂହାସନେ ଚିତ୍ତେ ନିଶ୍ଚଳ ,
ଢାଳିବେ ଆଶିଷରେ ମନର ବଳ ,
ବିତି ଯାଉ ମୋ ସଂଘର୍ଷ ଦିନସବୁ ଚଞ୍ଚଳ।
