STORYMIRROR

PRIYANKA PRIYADARSHANI DAS

Abstract Others

3  

PRIYANKA PRIYADARSHANI DAS

Abstract Others

ମୁଁ ସେଇଠି ଥାଏ

ମୁଁ ସେଇଠି ଥାଏ

1 min
190


ମୁଁ ସେଇଠି ଥାଏ

ଯୋଉଠି ମାଟି ଫାଟି କଅଁଳେ ପିଲାଦିନ,

ପ୍ରଜାପତି ପରି ଏ ଫୁଲରୁ ସେ ଫୁଲକୁ

ଉଡ଼ି ବୁଲୁଥାଏ ମନ।

ଯୋଉଠି ଏବର ଏଲ୍.ଇ.ଡି ଷ୍ଟ୍ରିଟ୍ ଲାଇଟ୍

ସ୍ୱପ୍ନ ପରି ଦିଶେ,

ଲଣ୍ଠନର ଛାଈ ଆଲୁଅରେ ପଢ଼ା ହୁଏ

ବୁଢ଼ା ଶଙ୍ଖାରୀର ଗପ।


ମୁଁ ତ ସେଇମିତି ଠିଆ ହେଇଥାଏ

ଗାଁ ମୁଣ୍ଡ ବୁଢ଼ା ବରଗଛ ଭଳି

ସ୍ଥିର ନିଶ୍ଚଳ ହେଇ,

ରେଳଗାଡ଼ି ପରି 

ଅହର୍ନିଶ ଧାଉଁଥିବା ସହରର

ହାନି ଲାଭ କଥାରେ 

ମୋର ବା କଣ୍ ଯାଏ ।


ମୁଁ ସେଇଠି ଥାଏ ଯୋଉଠି

ସମୟର ପ୍ରତିକୂଳତାକୁ

ବେଖାତିର୍ କରି

ନିଜ ଢ଼ଙ୍ଗରେ

ବୋହିଯାଏ ନଈ,

ସମ୍ଭାବନାର ଗୀତ ଗାଇ ଗାଇ।


ମୁଁ ସେଇଠି ଥାଏ ଯୋଉଠି

ପବନର ପାନିଆରେ ବେଣୀ ବାନ୍ଧେ

ମେଘ ରଙ୍ଗର ଆକାଶ।

ଅଋତୁରେ ବି 

ବିଞ୍ଚି ହେଇଯାଏ

ବାସ୍ନାୟିତ ଫୁଲର ମହକ,


ଟେକ୍ନୋଲୋଜିରେ

ଖୁନ୍ଦି ହେଇଥିବା

ଏଇ କଂକ୍ରିଟ ସହର ସହ 

ମୋର ବା କି ସମ୍ପର୍କ?


କାର୍ତ୍ତିକେ ମୁରୁଜ

ମଗୁଶୁରେ ଚିତା,

ପୂରି ଉଠେ ଗାଆଁ ମୋର

ପିଠାରେ ପଣାରେ,


ଥାଏ କି ସୁଆଦ

ସହରିଆ ସେଇ

ପିଜ୍ଜା ଆଉ ପେଷ୍ଟ୍ରି

ସଭ୍ୟତାରେ?


ମୁଁ ସେଇଠି ଗୋଟାପଣେ ଲାଖିଥାଏ,

ଯେଉଁଠି ଫି' ଥର ଜହ୍ନ ରାତିରେ ରେଡିଓରୁ ଶୁଭୁଥାଏ 

ଖୋକା ଭାଇର ଗୀତ।

ଯେଉଁ ଶୀତ ରାତିରୁ ଭାସି ଆସେ

ନିଆଁ ପୁଉଁଥିବା ପଲ୍ଲୀର ଦୃଶ୍ୟ

ମିଛ କନିଆରେ ବୋହୂ ଚୋରି ଖେଳିବାର ମଜା,

ସେଇଠି ହିଁ ମୁଁ ଯତ୍ନ କରି ବାନ୍ଧୁଥାଏ ବସା।


ଦେଖିଯାଅ ଆସି ଥରେ

ସେ ଜୀବନଟା ପାଇଁ ମୁଁ କେତେ ଝୁରି ମରେ !

ଦେହ ସିନା ଥାଇପାରେ !

ମୁଁ କିନ୍ତୁ ନଥାଏ ଏଇ ମନୁଷ୍ୟକୃତ ସହରେ,

ମୁଁ ଥାଏ ସେ ପୁରୁଣା ଦିନର ମାଟିରେ,

ପାଣିରେ ଆଉ ପବନରେ।


Rate this content
Log in

Similar oriya poem from Abstract