ସ୍ବପ୍ନ
ସ୍ବପ୍ନ
ବାସ୍ତବ ଚିତ୍ରକୁ
ନବ ରୂପ କଳ୍ପେ
ନୟନରେ ଦିଅ ଆଙ୍କି;
ସେହି ରଙ୍ଗ ଭରା
ଆଲୋକ ପସରା
ଦେଖନ୍ତି ସର୍ବେ ତନଖି।
ଅଭେଦ୍ୟ ଅନ୍ଧାର
ଅତିଥି! ତୁମର
ଦେଖି ଛାୟା ଚିତ୍ର ମାନ;
ପ୍ରଶୁପ୍ତ ଜଗତ
କେ କରେ ସ୍ବାଗତ
କିଏ ହୁଏ ଉଦାସୀନ।
ତୁମ ତୂଳୀତଳ୍ପେ
ମଧୁର ଆଳାପେ
କିଏ ହୁଏ ନିମଗନ;
କଳ୍ପନା ବିଳାସୀ
ଲୋଡ଼େ ତା ପ୍ରେୟସୀ
ବିରାଗୀ ନୀରସ ମନ।
ପ୍ରେମ ସିନ୍ଧୁସ୍ନାତ
ସ୍ୱଚ୍ଛ ଭେଦାତୀତ
କରେ ତୁମ ଅଭିସାର;
ଅପ୍ରଶସ୍ତ ଚିତ୍ତ
ତୁମଠୁଁ ନିବୃତ୍ତ
ଭେଦରେ ତାର ବିହାର।
ନାହିଁ ଜାତି ଭିତ୍ତି
ଉଚ୍ଚ ନୀଚ ନୀତି
ତୁମଠି ସବୁ ସମାନ;
ନର ହାତେ ଅଙ୍କା
ଲକ୍ଷ୍ମଣ ର ରେଖା
ତୁମ ହାତେ ଖିନ୍ନ ଭିନ୍ନ।
ରାତ୍ରୀ ଗଲେ ଥକି
ଖୋଲିବାକୁ ଆଖି
ତତ୍ପର ହୁଅନ୍ତେ ଜନ;
ଅଜଣା ପ୍ରଦେଶେ
ଯାଅ ଏବେ ରୋଷେ
ଲାଗେ ସବୁ ଏଠି ଶୂନ୍ୟ।
