ମୁଁ ସେଇଠି ଥାଏ
ମୁଁ ସେଇଠି ଥାଏ
ମୁଁ ସେଇଠି ଥାଏ
ଯୋଉଠି ମାଟି ଫାଟି କଅଁଳେ ପିଲାଦିନ,
ପ୍ରଜାପତି ପରି ଏ ଫୁଲରୁ ସେ ଫୁଲକୁ
ଉଡ଼ି ବୁଲୁଥାଏ ମନ।
ଯୋଉଠି ଏବର ଏଲ୍.ଇ.ଡି ଷ୍ଟ୍ରିଟ୍ ଲାଇଟ୍
ସ୍ୱପ୍ନ ପରି ଦିଶେ,
ଲଣ୍ଠନ ର ଛାଈ ଆଲୁଅ ରେ ପଢ଼ା ହୁଏ
ଜହ୍ନମାମୁଁ ଗପ।
ମୁଁ ତ ସେଇମିତି ଠିଆ ହେଇଥାଏ
ଗାଁ ମୁଣ୍ଡ ବୁଢ଼ା ବରଗଛ ଭଳି
ସ୍ଥିର ନିଶ୍ଚଳ ହେଇ,
ରେଳଗାଡ଼ି ପରି
ଅହର୍ନିଶ ଧାଉଁଥିବା ସହରର
ହାନି ଲାଭ କଥାରେ
ମୋର ବା କଣ୍ ଯାଏ?
ମୁଁ ସେଇଠି ଥାଏ ଯୋଉଠି
ସମୟର ପ୍ରତିକୂଳତାକୁ
ବେଖାତିର୍ କରି
ତା ନିଜ ଢ଼ଙ୍ଗରେ
ବୋହିଯାଏ ନଈ,
ସମ୍ଭାବନାର ଗୀତ ଗାଇ ଗାଇ।
ମୁଁ ସେଇଠି ଥାଏ ଯୋଉଠି
ପବନର ପାନିଆରେ ବେଣୀ ବାନ୍ଧେ
କାଶତଣ୍ଡି ଫୁଲର ବହର,
ଅଋତୁରେ ବି
ବିଞ୍ଚି ହେଇଯାଏ ବାସ୍ନାୟିତ
ଫୁଲର ମହକ,
କୃତ୍ରିମତାରେ ଖୁନ୍ଦି ହେଇଥିବା
ଏଇ
କଂକ୍ରିଟ ସହର ସହ
ମୋର ନଥାଏ ସମ୍ପର୍କ।
ମୁଁ ସେଇଠି ଗୋଟାପଣେ ଲାଖିଥାଏ,
ଯେଉଁଠି
ଫି' ଥର ଜହ୍ନ ରାତିରେ ରେଡିଓରୁ ଶୁଭୁଥାଏ
ଖୋକା ଭାଇର ଗୀତ।
ଯେଉଁ ଶୀତ ରାତିରୁ ଭାସି ଆସେ
ନିଆଁ ପୁଉଁଥିବା ପଲ୍ଲୀର ଦୃଶ୍ୟ।
ମିଛ କନିଆରେ ବୋହୂ ଚୋରି ଖେଳିବାର ମଜା,
ସେଇଠି ହିଁ ମୁଁ ଯତ୍ନ କରି ବାନ୍ଧୁଥାଏ ବସା।
ଦେଖିଯାଅ ଆସି ନିରୋଳାରେ
ସେ ଜୀବନଟା ପାଇଁ ମୁଁ କେତେ ଝୁରି ମରେ!
ଦେହ ସିନା ଥାଇପାରେ!
ମୁଁ କିନ୍ତୁ ନଥାଏ ଏଇ ମନୁଷ୍ୟକୃତ ସହରେ,
ମୁଁ ଥାଏ ସେ ପୁରୁଣା ଦିନର ମାଟିରେ, ପାଣିରେ ଆଉ ପବନରେ।
