ଉଡ଼ିଯାଅ ସାଜି ପକ୍ଷୀ
ଉଡ଼ିଯାଅ ସାଜି ପକ୍ଷୀ
ଶାନ୍ତ ଶୀତଳ କାନ୍ତ କୋମଳ
ପ୍ରାଣୁଁ ବଳି ଯିଏ ପ୍ରିୟ ;
ବିଧୁରିତ ଗାନେ ମଧୁର ଲଗନେ
କହେ ସେ ବିଦାୟ ଦିଅ।୧।।
ଚାଲିଯାଏ ସାଥୀ ନିରିମମେ କାଟି
ଏଇ ବୁକୁତଳ ମାୟା;
ନିରିଦୟ ରାତି ଥରାଇଣ ଛାତି
ଶିହରିତ କରେ କାୟା।୨।
ବିଶାଳ ବିଭବ ଦିନେ ତ ହେଜିବ
ତିଳେ ହେଲେ ଦ୍ୱିଧା ନାହିଁ ;
ବେଢିଦିଅ କିଆଁ ମିଠା ମୋହ ମାୟା
ନବ ସ୍ୱରୂପ ଟେ ନେଇ।୩।
ଦେଖିନ ଦେଖିବ କକ୍ଷ ନଥିବ
ଘନ ଉପବନ ଭୂମେ;
ତଳପ ଅଭାବେ କୁହ କେଉଁଭାବେ
ଶୟନ କରିବ ତୁମେ?୪।
ନରମ ଚରମ ବ୍ୟଥିତ ମରମ
ବୁଝିବକି ଧୈର୍ଯ୍ୟ ଧରି;
ଅମ୍ବୁଧିର କୋଳେ ପବନ ହିଲ୍ଲୋଳେ
ମାଡିଯିବ ଝଡ ପରି।୫।
ଅଳୀକ ସେନେହ ପାଇବ ତ ରୁହ
ଆଉ କିଛି ଦିନ ପାଇଁ;
ଭରମେ ଭରମି ବାତୁଳ ପରାୟେ
କିଆଁ ଯାଉଅଛ ଧାଇଁ ?୬।
କହୁଛି ସ୍ୱ-ମୁଖେ ନଶ୍ୱର ସୁଖେ
ବଳାଅନା ଆଉ ମନ;
ଚାଲିଯାଅ ଧୀରେ ଉତ୍ତୁଙ୍ଗ ଶିଖରେ
ଛାଡିଣ ମିଛ ରୋଦନ।୭।
ସ୍ମିତହାସ୍ୟେ ସାଥି ବଢାଇଣ ଗତି
ହୁଅ ନିରିବାଣ ମୁଖୀ;
ଅନନ୍ତ ଆକାଶେ ମୁକତି ସକାଶେ
ଉଡିଯାଅ ସାଜି ପକ୍ଷୀ।୮।