ସୁକୁମାରୀ ପ୍ରିୟା ତମେ
ସୁକୁମାରୀ ପ୍ରିୟା ତମେ
ଶିଉଳି ଘାଟର ସୁକୁମାରୀ ତମେ
ପ୍ରୀତି ସର୍ଜନାର ସାକ୍ଷୀ,
ତୁମ ଆଶେ ତପ୍ତ ଲୁହ ମୋ ସଂଶିତ
ହେଲାଣି, ପାରୁନ ଦେଖି?
ଭରି ପର୍ଣ୍ଣ ହୀନ ପ୍ରାଣେ ତୁମ ଚିହ୍ନ
ଗଢ଼ିଲି ସ୍ୱପ୍ନ ବନାନୀ,
ତଥାପି ତ ତୁମ
ହୃଦେ ତା ସ୍ପନ୍ଦନ
ଦିନେ ହେଲେ ଶୁଭିଲାନି!
ଆକୁଳ ହୃଦ ମୋ
ଦେଖିଲା ତୁମର
ଦୁରନ୍ତ ମୌନ ଦୁର୍ଭିକ୍ଷ;
ଆର୍ତ୍ତ କୋଳାହଳେ
ଭରା ଅଶ୍ରୁ ଛଳେ
ମୋ ହୃଦୟ ଅନ୍ତରୀକ୍ଷ।
ତୁମ ପଥ ଚାହିଁ
ଯାଏ ଏକା ଗାଇ
ଅଶ୍ରୁଳ ବିରହ ଗୀତ;
ବିଧୁରା ବୀଣା ରେ
ମୋ ଶିରା ପ୍ରଶିରା
ସବୁ ହୁଏ ଝଙ୍କାରିତ।
ଜହ୍ନ ଆଉ କଇଁ
ବିରହ ବେଦନା
କାନେ ଦିନେ ଶୁଣିଥିଲି;
ଆଜି ତୁମ ବିନେ
ଭାବେ ମୋ ଜୀବନେ
ସତ ହେଇଗଲା ବୋଲି।
ତୁମ ସାଥେ ମୋର
ମିଳନ କାଳର
କୋଳେ ସଂକ୍ଷିପ୍ତ ଭଗ୍ନାଂଶ;
ଚିରସ୍ରୋତା କାଳ
ଗର୍ଭେ ଯିବ ଲୀନ
ବୃଥା ଆମ ହାଡ଼ମାଂସ।
