ଜହ୍ନର ଠିକଣା
ଜହ୍ନର ଠିକଣା


ତୁମେ ଆଉ ମୁଁ ମିଶି ଚାଲୁଥିବା ପାଖାପାଖି
ଜୀବନର ଅସରନ୍ତି ରାସ୍ତାରେ,
କେବେ ଯଦି ଥକି ଯିବା, ମୁଣ୍ଡ ରଖି ଶୋଇଯିବା
କିଛି କ୍ଷଣ ପରସ୍ପର ଛାତିରେ।
ଆକାଶକୁ ଚାହିଁ ଚାହିଁ ସ୍ବପ୍ନ ଆମେ ଦେଖୁଥିବା
ଜହ୍ନକୁ ତୋଳିବା ପାଇଁ ହାତରେ,
ପୁଣି କେବେ ହଜୁଥିବା ଦେଖି ସେଇ ଆକାଶକୁ
କଳା ବଉଦର ଅତଳ ଗର୍ଭରେ।
ସାଗର ତୀରରେ ବସି ଦିନରାତି ଗଣୁଥିବା
ନୀଳ ନୀଳ ସାଗରର ଲହରୀ ମାଳକୁ,
ପଡୁଥିବା ଉଠୁଥିବା ଝୁଣ୍ଟି ପୁଣି ଚାଲୁଥିବା
ସାଥି ହୋଇ ଜୀବନର ଅଜଣା ବାଟକୁ।
ଚାଲୁ ଚାଲୁ ସରିଗଲେ ଜୀବନର ବାଟ ସବୁ
ଫେରି କେବେ ଚାହିଁବାନି ପଛକୁ,
ସାଥି ହୋଇ ରହିଥିଲେ, ସାଥି ହୋଇ ଚାଲିଯିବା
ପ୍ରେମ ମୁକ୍ତା ବିଞ୍ଛିଦେଇ ଜହ୍ନକୁ।