ନୀରବତା
ନୀରବତା
ବିଶାଳ ଜନସମୁଦ୍ରର କୋଳାହଳ ମଧ୍ୟରେ
ନୀରବତା ଛାଇଥିଲା କେବଳ
ତୁମ ଆଉ ମୋ ଭିତରେ,
ଠିକ୍ ପ୍ରକୃତି କୋଳରେ
କ୍ଲାନ୍ତ ହୋଇ ଶୋଇପଡିଥିବା
ଶୂନ୍ ଶାନ୍ ରାତିଟି ପରି ।
ଅୟୁତ ଅୟୁତ ପ୍ରଶ୍ନ,ଭାବନା
ଉଙ୍କି ମାରୁଥିଲା ଆମ ମଧ୍ୟରେ
କିନ୍ତୁ ଅଭିମାନର ବିରାଟ ପାଚେରୀଟା
ଠିଆ ହୋଇଥିଲା ମନ ଭିତରେ ,
ଠିକ୍ ହିମାଳୟରେ
ଖଣ୍ଡ ଖଣ୍ଡ ବରଫ ଆଚ୍ଛାଦିତ
ନିଶ୍ଚଳ ପାହାଡ଼ପରି ।
କୋହ ସବୁ ଜମାଟ ବାନ୍ଧୁଥିଲା
ହୃଦୟ ଭିତରେ
ଅମାନିଆ ଲୁହ ଆସ୍ଥାନ ଜମାଉଥିଲା
ଆଖିର କୋଣରେ,
ଠିକ୍ ଅନନ୍ତ ଅସୀମ ଆକାଶ ବୁକୁରେ
ଅସମୟରେ ପ୍ରତୀୟମାନ
ମେଘମାଳା ପରି ।
ଆଶା ସବୁ ଖତେଇ ହେଉଥିଲେ
ସ୍ୱପ୍ନର ସୁନ୍ଦର କାନଭାସରେ,
ମୁଁ କିନ୍ତୁ ସେମିତି ଠିଆ ହୋଇଥିଲି
ବିସ୍ତୀର୍ଣ୍ଣ ମରୁବାଲିରେ
ଠିକ୍ ତୃଷାର୍ତ୍ତ ପଥିକଟିଏ ପରି ।
ଶବ୍ଦ ବୋଧହୁଏ ସୁପ୍ତ ହୋଇଯାଉଥିଲା
ନୀରବତାର ରୁଦ୍ଧ କୋଠରୀରେ,
ସମୟଟା ସ୍ଥାଣୁ ପାଲଟିଯାଉଥିଲା
କର୍ତ୍ତବ୍ୟ ଓ ବିବଶତା ଭିତରେ ,
ଠିକ୍ କାଚ ଆଲମାରୀରେ ସଜ୍ଜିତ
ବହୁମୂଲ୍ୟରେ କିଣାଯାଇଥିବା
କଣ୍ଢେଇଟିଏ ପରି ।