ନିଦୁଆ ଆଖି
ନିଦୁଆ ଆଖି
ନିଦୁଆ ଆଖିର ପଲକ ଯେବେ ଥକିଯାଏ
ଚେତନା ଓ ଅବଚେତନାର ଘଟେ ମିଳନ
ସୃଷ୍ଟି ହୁଏ ମୃଦୁ କମ୍ପନ
ଥରେ ଦେହ ଥରେ ମନ ଥରେ ଯୌବନ ।
କର୍କଶ କଣ୍ଠ ସ୍ୱର ହୋଇ ଆସେ କ୍ଷୀଣ
ସମୟର ନିର୍ଦ୍ଦେଶରେ ଭରିଯାଏ ନିଦ
ଦେଖେ କିଛି ସତ ଆଉ କିଛି ସ୍ବପ୍ନ ।
କହିବାକୁ ଚାହେଁ
ଲେଖିବାକୁ ଚାହେଁ
ହାତ ଥରି ଉଠେ, ଖୋଜି ବୁଲେ ।
ଗୋଟେ ମୁହୂର୍ତ୍ତରେ ପାଖରେ ପାଏ
ପର ମୁହୂର୍ତ୍ତରେ ହରେଇ ଦିଏ ।
ବ୍ୟାକୁଳ ହୋଇ ଉଠେ ସ୍ପର୍ଶିବା ପାଇଁ
ଚିତ୍କାର କରି ଉଠେ ସେ କେବଳ ମୋର
ତାର ଦେହ ତାର ମନ ତାର ସ୍ଵନ
ସବୁ ମୋର ସବୁ ମୋର ।
ନିଦୁଆ ଆଖିରେ ଯେବେ ଆସେ ଥକ୍କାପଣ
ମନେ ପଡେ ତା ଆଲିଙ୍ଗନ
ପ୍ରୀତିଭରା ଚୁମ୍ବନ
ଡାକି ଡାକି ଦେଖାଏ ନିଜ ବିବର୍ଣ୍ଣ ମୁଖ
ଲେଖନୀର କାଳି ଭଳି ଦିଶେ ବିବର୍ଣ୍ଣ ।
ନିଦୁଆ ଆଖିରେ ଯେବେ ନିଦ ଘୋଟିଆସେ ସେତେବେଳେ ହୃଦୟ ଝରକା ବାଟେ ଦେଖାଯାଏ ଗୋଟେ ପ୍ରତିଛବି । ଯାହାକୁ ଆମେ ସବୁବେଳେ ନିଜ ଗହନ ମନର ଗୋପନ କୋଣରେ ଲୁଚେଇ ରଖିଥାଉ । ନିଦ ଘୋଟି ଆସିବାବେଳେ ଯେଉଁ ଚେତନା ଓ ଅବଚେତନାର ସଙ୍ଗମରେ ଦେଖୁ ପ୍ରତିଛବି ତାହା ଏହି କବିତା ନିଦୁଆ ଆଖିରେ ବର୍ଣ୍ଣିତ ।