ସର୍ବଦା ସ୍ୱତନ୍ତ୍ର
ସର୍ବଦା ସ୍ୱତନ୍ତ୍ର
ବିଭବ ମଣ୍ଡିତ ସର୍ବଦା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ମୋର
ଗଙ୍ଗାନଦୀଠାରୁ ଗୋଦାବରୀଯାଏଁ ସୀମା ପରିବ୍ୟାପ୍ତ ଯା'ର
ନଦୀ,ଗିରି,ବନ,ପାହାଡ଼,ପ୍ରାନ୍ତର ଲାଗେ ଭାରି ଆପଣାର
ଜନ୍ମ ନେଇଛନ୍ତି ଯାହାର ବକ୍ଷରେ ଶତ ଶତ ଶୂରବୀର ।
ସବୁଠୁ ନିଆରା ସବୁଠୁ ମଧୁର ପ୍ରଥା ପରମ୍ପରା ତା'ର
ନୃତ୍ୟ,ଗୀତ,କଳା ସଂସ୍କୃତି ସମ୍ପନ୍ନ ସାରା ଜଗତରେ ସାର
ମୋ'ଓଡ଼ିଆ ଭାଷା ପ୍ରୀତି ପରିପୂର୍ଣ୍ଣା ଆହା କେଡେ ସୁମଧୁର
ଗୁଣ ଗଉରବ ଗାଉଛି ନିଇତି ସାହିତ୍ୟର ଅଳଙ୍କାର ।
କୋଣେ ଅନୁକୋଣେ କାରୁକାର୍ଯ୍ୟପୂର୍ଣ୍ଣ କୀର୍ତ୍ତିରାଜି ଭରପୂର
କୋଣାର୍କର କଳା ବିଶ୍ୱ ଦରବାରେ ଅଦ୍ୱିତୀୟ ନିରନ୍ତର
ଶ୍ରୀକ୍ଷେତ୍ର ଧାମରେ ଅତି ଗଉରବେ ନେତ ଉଡେ ଫରଫର
ଉତ୍କଳ ଗାରିମା ମହାନତା ଗାଥା କରୁଅଛି ସୁପ୍ରଚାର ।
ପବିତ୍ର ଭୂମିର ମିଠା ପରଶରେ ଗଢା ଏ ଶରୀର ମୋର
ସ୍ମରି ସ୍ୱାଭିମାନ ଉତ୍କଳ ମା ପଦେ କରୁଅଛି ନମସ୍କାର ।
