ପ୍ରିୟତମା
ପ୍ରିୟତମା
ତୁମକୁ ମୁଁ' ଆଗୋ ପ୍ରିୟତମା
ଭୁଲିବାକୁ ଚାହିଁଲେ ବି'
ଭୁଲି ପାରୁନାହିଁ,
ତୁମେ କିନ୍ତୁ ଭୁଲିଗଲ ମୋତେ
ସିନ୍ଥିରେ ସିନ୍ଦୁର ନାଇ
ଆଉ କାହାପାଇଁ ।
ତୁମେ ସିନା ଗଢ଼ିବ ସଂସାର
ଅତୀତର ସ୍ମୃତି ପରେ
କରି ଅଭିନୟ,
ମୋତେ କିନ୍ତୁ ନେବାକୁ ପଡିବ
ତୁମପଥେ ଫୁଲବିଞ୍ଚି
ଦୁଃଖଦ ବିଦାୟ।
ସାକ୍ଷୀଥିଲା ମହାଦେବ ବେଢା
ଚୁନାଚୁନା ତାରାଫୁଲ
ସାଥେ ଜହ୍ନରାତି,
ମଥା ଛୁଇଁ ଦେଇଥିଲ କଥା
ଜନମ ଜନମ ପାଇଁ
ହେବାକୁ ମୋ'ସାଥୀ ।
ଆଜି ଏଇ ବିଦାୟ ବେଳାରେ
ଇଛାଥିଲା ଭେଟିବାକୁ
ଏକାନ୍ତେ ତୁମକୁ,
ହେଲେ ତୁମେ ବାତାୟନ ପାଶେ
ଚାହିଁଥିବ ଆଉକା'ରେ
ଫେରିବା ପଥକୁ ।