ଜାଗ ଉତ୍କଳିତ
ଜାଗ ଉତ୍କଳିତ
ଜାଗ ଉତ୍କଳିତ ହେ କଳିଙ୍ଗ ସୁତ
କର ବାରେ ନିଦ୍ରାଭଙ୍ଗ
ଚାହାଁ ଚାହାଁ ଥରେ ଜ୍ବାଳାରେ ଜ୍ବଳିତ
ଜନନୀର ପ୍ରତି ଅଙ୍ଗ ।
ବାହୁଡି ଚାହାଁରେ ଗତ ଗୌରବକୁ
ଅଇଶ୍ବର୍ଯ୍ଯେ ପରିପୂର୍ଣ୍ଣା
ଘନ ବୃକ୍ଷରାଜି ସବୁଜିମା ତା'ର
ଶୃଙ୍ଗାରିଣୀ ନୀଳବର୍ଣ୍ଣା ।
ଦ୍ରୁମଲତା ଅଙ୍ଗେ ସମୀରଣ ସ୍ପର୍ଶେ
ଦୋଳାୟିତ ପୁଷ୍ପରାଜି
ରତୀଚ୍ଛା ଭଅଁର ଅଣୁ ସମ ପ୍ରାୟ
ହରନ୍ତି କୋଳେ ବିରାଜି ।
ସୌନ୍ଦର୍ଯ୍ୟେ ସଂପଦା ବିଭୂଷିତା,ସଦ୍ମା
କବି ତୁଣ୍ଡେ ଜୟତୂରୀ
ଯାସା ଉନ୍ମାଦନେ ଡୁବଇ ଭାବୁକ
ଅସୁମାରୀ ସ୍ବପ୍ନ ଭରି ।
ମନ୍ଦ ମନ୍ଦ ଗମେ ସ୍ରୋତ ମନ୍ଦାକିନୀ
ଗିରିପଥ ବୁକୁ ଫେଡି
ସୃଷ୍ଟି ଆଦ୍ଯ କାଳୁ ପର ହିତ କାର୍ଯ୍ଯେ
ଦେଇଛି ସବୁ ଉଜାଡି ।
ପୂତ ପୟୋଧୀର ଧୌତନେ ବିଗତେ
ପୁଲକେ ସାରା ଜଗତ
ଶ୍ରୀହୀନ ଶ୍ରୀହୀନ ବାଜୁଛି ନାଗରା
ନ ହୁଏ କି କର୍ଣ୍ଣପାତ ।
ଗିରି ଅରଣ୍ଯାନୀ ଧୂସରିତ ଆଜି
ଦଣ୍ଡାୟନ ଅଟ୍ଟାଳିକା
କୁଢ ଆବର୍ଜନା ଶୈଳକଳ୍ପ ପ୍ରାୟ
ବାସହୀନ ଉତ୍କଳିକା ।
ବକ୍ଷ ନୀର ପାଇ ବଢିଲା ବିହଙ୍ଗ
ହୋଇଲା ଆହାର ହୀନ
ଭ୍ରମି ଭ୍ରମି ଦୃଶ୍ଯ କର ତୁ ଦର୍ଶନ
ପୂର୍ଣ୍ଣା ଆଜି କୋଳଶୂନ୍ଯ ।
ଝର ସ୍ରୋତସ୍ବିନୀ ବକ୍ଷରେ ରୁଧିର
ବିଲୁପ୍ତ ମଧୁ ରାଗିଣୀ
ନିଷ୍ଫଳ ଆଶାର ଛନ୍ଦଣିରେ ଛନ୍ଦି
ଆଶାୟୀ ମୁକ୍ତି କାମିନୀ ।
ଶ୍ଯାମଳୀ ମୋହିନୀ ମାର୍ମିକ ଅକ୍ଷତା
ସନ୍ତାନର ଉପେକ୍ଷାରେ
ବଞ୍ଚିବା ପ୍ରତ୍ଯାଶୀ ଶତତ ପ୍ରୟାସୀ
ସମୟର ପ୍ରତୀକ୍ଷାରେ ।
ଅଶ୍ରୁଳ ନୟନେ କରୁଣ ରୋଦନ
ଶୁଭୁଛି ଲକ୍ଷ ଯୋଜନ
ଯୋଡା କରେ ବାର୍ତ୍ତା ବନ୍ଧୁ ଉତ୍କଳିତ
ବୁଝ ହେ ମାତୃ ପୀଡନ ।