ସଘନ ଆସ ହେ ଘନ
ସଘନ ଆସ ହେ ଘନ
ସଘନ ଆସ ହେ ଘନ ପରାଣ ହୁଏ ଉଚ୍ଛନ୍ନ
ବାରିଦାନେ ତୋଷ ଏ ଦହନ
ଦୂରେ ବହୁଦୂରେ ପ୍ରିୟା ଆକୁଳ ହୁଏ ଏ ହିଆ
ତହିଁପରେ କନ୍ଦର୍ପର ବାଣ,
ବିରହ ଚାତକ ସମ ବିତେ ଆଜି ଯେତେ ଯାମ
ସତେ ଅବା! ଲାଗେ ଅଭିଶପ୍ତ
ଅନୁଭବେ ଅନୁକ୍ଷଣ ତାର ଚରଣ ନିକ୍ଵଣ
ଲାଗେ ଅବା! ସତେ ପରିବ୍ୟାପ୍ତ ,
ଘନଘୋର ଅନ୍ଧକାର ଶୁଭେ ଶ୍ଵାନର ଚିତ୍କାର
ଭାବନାର ଅନ୍ତନାହିଁ ହୁଏ
ଘୋର ବରଷାର ଦିନେ ବଞ୍ଚି କି ହୁଏ ବିହୁନେ
ଏକଥାକି ବୁଝେ ନାହିଁ ସିଏ ?

