ବର୍ଷା
ବର୍ଷା
ମେଘ ଅଭିସାରେ ମେଦୁର ର ନୃତ୍ୟ ଶ୍ରାବଣୀ ଆଖିରେ ଲୁହ
ସଜଳ ଜଳଦ କଜଳ ରେ ଆଙ୍କେ ବିରହୀ ମନରେ ମୋହ,
ଟୁପୁରୁ ଟାପୁରୁ ବରଷା ବିନ୍ଦୁରେ ଜଳତରଙ୍ଗର ଧ୍ୱନୀ
ରୋମାଞ୍ଚ ଜଗାଏ ଦେହ ଓ ମନରେ ନିଃଶବ୍ଦ ଏ ଅବନୀ,
ଵାରିଦର ଦେହେ ବିଜୁଳି ଚମକ ରାତ୍ରିର ନୀରବତା
ଅନ୍ଧକାର ରେ ସତେ ଅବା ଲାଗେ ମୃତ୍ୟୁର ଶୀତଳତା,
ଭେକ ଡାହୁକର ସଙ୍ଗୀତର ଏକ ଅପୂର୍ବ ଶିହରଣ
ବହିଯାଉଥିବା ଵାରିଧାରା ଦେହେ କଳକଳ ଗୁଞ୍ଜରଣ,
ସତେ ଅବା ଲାଗେ ପ୍ରୀତି ପିଆସୀ ର ନୃତ୍ୟ ର ମଧୁର ଛନ୍ଦ
ଅବା କେଉଁ ଏକ ବିରହୀଣୀ ର ଏ ଗୁମୁରା ଗୁମୁରା କାନ୍ଦ,
ଅବନୀ ମେଦିନୀ ପ୍ରଣୟରେ ରତ ତଟିନୀ ଉଛୁଳା ଦେହ
ଶତ ତରଙ୍ଗକୁ ଛାତିରେ ଜାବୁଡି ସାଗରର ଉଠେ କୋହ,
କି ସୁନ୍ଦର ଆହା! ଋତୁ ପରଷାର ପରଶରେ ଏ ଜଗତ
କେବେ ହରଷ ଓ କେବେ ବିଷାଦର ସମନ୍ଵୟେ ସମାହିତ ।
