କବି କଲମ ଓ କବିତା
କବି କଲମ ଓ କବିତା


କଲମର ତାଳେ ତାଳେ ଭାବନାର ଅନ୍ତରାଳେ
କବି ଲେଖେ ମନ ତଳ କଥା
ସ୍ୟାହିର ନଦୀ ଧାର ଭାଙ୍ଗିଦିଏ କୂଳ ବାଡ଼
ଭାସିଯାଏ କେତେ କେତେ ବ୍ୟଥା ।
ଅୟୂତ ସପନ ସୁଅ ଆଶା ତା'ର ସୂତାଖିଅ
ଲେଖିଯାଏ କେତେ ଯେ ଘଟଣା
ଅଙ୍ଗୀକାର ଭାବ ପାଇଁ ପ୍ରିୟ ହେଲା ତା'ର ସ୍ୟାହି
ରହି କି ପାରିବ ଲେଖନୀ ବିନା ।
ଅଙ୍ଗେ ଲିଭା କଥା ମାନ ଲେଖେ କେତେ ଅଭିମାନ
କଲମ ଏକା ସାହାରା ତା'ର
ଅବ୍ୟକ୍ତ ଅନୁଶୋଚନା ଭରା କେତେ ଉନ୍ମାଦନା
ଲେଖନୀ ବୁଝେ ଏକା ତା ଅନ୍ତର ।
ସବୁ ଦୁଃଖ ଭୂଲିଯାଏ ଯେତେବେଳେ ଲେଖୁଥାଏ
ଆପଣା ଠାର ନିଜର ତା ଲେଖନୀ
ଅପ୍ରତ୍ୟାଶିତ କେତେ
ଆଶା ପ୍ରୀତି ଫୁଲର ପରିଭାଷା
ସୁଖ ସ୍ନେହ ଆନନ୍ଦର ପରିବେଷ୍ଟନୀ ।
କେତେବେଳେ ହସୁଥାଏ ଶ୍ରାବଣରେ ଭିଜୁଥାଏ
ଜହ୍ନ ଜୋଛନାରେ କେବେ ମଜ୍ଜି
କଇଁ ଫୁଲ ପ୍ରେମ ରଙ୍ଗେ ପ୍ରେୟସୀର ଅନୁରାଗେ
ଫଗୁଣର ଫଗୁ ଖେଳେ ଯାଏ ଭିଜି ।
କବିର ସେ ମନୋଭାବ କିଏ କାହୁଁ ବା ବୁଝିବ
କବିତା ଅଟେ ଖାଲି ତା ମାଧ୍ୟମ
ବାସ୍ତବତାର କଥା କବି ଯେ କରେ ଚିନ୍ତା
ଚେତନା ମଧ୍ୟେ ସିଏ ହୁଏ ଭ୍ରମ ।
କବିର କଲମ ପ୍ରେମ ସ୍ୟାହି ପୂର୍ଣ୍ଣ କରେ କାମ୍ୟ
ଅଜାଣତେ ଲେଖେ ମରମ କଥା
କିଏ ସେ ବୁଝୁଥାଏ କିଏ ଅବୁଝା ହୁଏ
କିଏ ଦିଏ ପୁଣି ପ୍ରେରଣା ବାର୍ତ୍ତା ।