ଜହ୍ନ ବୁଝେ ମନ କଥା
ଜହ୍ନ ବୁଝେ ମନ କଥା
ଆସିଥିଲା ଜହ୍ନ କାଲି ରଜନୀରେ
କହିଥିଲି ମନ କଥା
ଭାବିଥିଲି ସିଏ କହିବ ତୁମକୁ
ମୋ ମନ ଗହନ ବାର୍ତ୍ତା ।
ଦେଖି ଦ୍ଵିଜରାଜ ମୋ ଉଜାଗରକୁ
ପୋଛିଲା ମୋ ଆଖି ନୀର
ପଢିଗଲା ସିଏ ନୀରବତା ସବୁ
ଡାଏରିରେ ଥିଲା ମୋର ।
ଅପାରଗ ଥିଲା ସେ ଲେଖନୀ ଆଗେ
ରୁଧିରେ ଥିଲା ଯେ ଭରି
କବିତା ଭିତରେ ଅନ୍ତର ଜ୍ଵଳନ
ସ୍ପଷ୍ଟ ଦେଲା ସିଏ ବାରି ।
କେଜାଣି କାହିଁକି ଅମାନିଆ ପଣେ
ଅବୁଝା ହୋଇ ମୁଁ ଥିଲି
ପଚାରିଲିନି ତା'କୁ ଆସିବା କାରଣ
ସ୍ଵାର୍ଥପର କେଡ଼େ ହେଲି ।
ତଥାପି ମୋ ହୃଦେ ଦ୍ଵନ୍ଦ ଉପୁଜିଲା
ମନରେ ବଢିଲା ଶଙ୍କା
ଅଦିନ କୁଣିଆଁ କିପାଇଁ ମୋ ଘରେ
ଆସି ଦେଲା ମୋତେ ଡକା ।
ନଜର ପଡିଲା ଚିଠିଟି ଉପରେ
ଧରିଥିଲା ତାର ହାତେ
ଅନ୍ତଃକରଣରେ ଉତ୍ସାହ ଖେଳିଲା
ଲହରୀ ପିଟିଲା ଚିତ୍ତେ ।
ଚନ୍ଦ୍ରମା ବୁଝିଲା ମୋ ଭାବୁସି ପଣ
ଦେଲା ସେ ପ୍ରୀତି ସନ୍ଦେଶ
ପ୍ରୀତିର ପତର ନୁହେଁ ତ ସେଇଟା
ବିରହର ଅବଶେଷ ।
ସତେ ପ୍ରିୟତମ କେମିତି ଏ ପ୍ରେମ
ବିଚ୍ଛେଦର ଜୁଇ ଜଳେ
ଅନେକ ଯାତନା ତପ୍ତ ଉଦ୍ଦୀପନା
ଲୁହ କେତେ ଆଖି ମଳେ ।
ଲୋହିତ ଚିଠିର ପରଶେ ମୋ ହୃଦେ
ଝରିଲା ଅସ୍ରର ଧାର
ଅନୁଭୂତ ହେଲା ଭୂକମ୍ପନ ମନେ
ଉଜୁଡିଲା ଅହଂକାର ।
ଅହଂର ଅନ୍ଧାରେ ଅନ୍ଧ ଏ ସମ୍ପର୍କ
ଭାଙ୍ଗଇ ମଧୁ ସଂସ୍ରବ
ସେଇ ଅହମିକା ଦେଇଗଲା ସାଥୀ
ପ୍ରେମେ ଆମ ପରାଭବ ।
ଆମେ ବୁଡ଼ିଗଲେ ମୁଁ କାର ମତ୍ତରେ
ଜଳୁଥିଲେ ଦରଦରେ
କୁମୁଦବନ୍ଧୁ ଯେ ସାଜିଲା ନାୟକ
ମିଳନ ମହା ପର୍ବରେ ।