ଏକ ତ୍ରିକୋଣୀୟ ପ୍ରେମ
ଏକ ତ୍ରିକୋଣୀୟ ପ୍ରେମ


ମୋତେ ଯେବେ ତୁମେ ପଚାର
ଲେଖନୀକୁ ଧରିଲେ ମୁଁ ହଜିଯାଏ କାହିଁକି ?
ତୁମକୁ ଭୁଲିଯାଏ କେମିତି ?
ହଁ ! ମୁଁ ବି ଟିକିଏ ହସି
ତୁମ ପ୍ରଶ୍ନକୁ ଅଣଶୁଣା କରେ ।
ଆଜି କହୁଛି ଶୁଣ
ତୁମେ ନୀଳ ଆକାଶର ସ୍ଵପ୍ନ ଦେଖାଅ
ହେଲେ ଲେଖନୀ ମୋ ଦେହରେ
ଦୁଇ ପକ୍ଷକୁ ଯୋଡ଼ି
ଦୂରଦିଗନ୍ତରେ ମୁକ୍ତ ପକ୍ଷୀ କରି ଉଡି ବୁଲାଏ ।
ତୁମେ ତୁମ ପ୍ରେମରେ ମୋ ମନକୁ
ମନେଇ ତୁମର ରଙ୍ଗରେ
ଢଳେଇବାକୁ ପ୍ରୟାସ କର
ହେଲେ ଲେଖନୀ ମୋ ଭାବନାର ରଙ୍ଗରେ
ନିଜକୁ ରଙ୍ଗେଇ କିଛି ସାଦା କାଗଜକୁ
ଏକ ନୂଆ ପରିଚୟ ଦିଏ ।
ତୁମେ ଆଙ୍କିଦିଅ ଅନୁରାଗର ଚୁମ୍ବନ
ଓ ଆଲିଙ୍ଗନ କରି ସୀମାବଦ୍ଧ କରିନିଅ
ତୁମର ବାହୁର ପରିବେଷ୍ଟନୀରେ
ହେଲେ ଲେଖନୀ ମୋତେ କୁହେ
ସଙ୍କୀର୍ଣ୍ଣତାକୁ ଭୁଲି ସ୍ଵାଧୀନ ଚେତା
ହୋଇ ସତ୍ୟତାକୁ ଆବୋରିବାକୁ ।
ତୁମ ପ୍ରେମ ଐକାନ୍ତିକ ଭଲପାଇବାରେ
ଆବୃତ୍ତ ଏକ ନିଚ୍ଛକ ସ୍ଵର୍ଗୀୟ ଅଭିବ୍ୟକ୍ତି
ଆଉ ଲେଖନୀର ପ୍ରେମ ଈଶ୍ଵରଦତ୍ତ
ଏକ ଅଭିନ୍ନ ଉପଲବ୍ଧି।