ବିଶ୍ଵାସ ଡୋରେ ବନ୍ଧା ଭାବ
ବିଶ୍ଵାସ ଡୋରେ ବନ୍ଧା ଭାବ
ବିଶ୍ଵାସ ଡୋରରେ ବାନ୍ଧିଛି ତୋ ସାଙ୍ଗେ ଭାବ
ତୋ ପରି ବିଶ୍ଵାସୀ ଧନ ରେ ଆଉ କେ ହେବ ।
ଶୀକର ସମ ଏ ପରାଣ ଘଡିକେ ଆନ
ତୋ ପରି ବନ୍ଧୁ ଥିଲେ ହେବ ଜୀବନ ଧନ୍ୟ ।
ମାୟାର ଖରେଣୁ କରେ ବାତୁଳ ପରାୟ
ତୋ ଛଡା ହେବ କେ ମୋର ଏଠି ସହାୟ ।
ଅଥଳ ସାଗରେ ଭାସଇ ମିଛର ଭେଳା
ସତ୍ୟ ପଥେ ବାହି ନେବୁ ତୁ ଚକା ଡୋଳା ।
ଛଳନାର ସମ୍ପର୍କ ସାଥେ ସର୍ତ୍ତର ଘେରି
କପଟ ଫାଶୁ କାଳିଆ ତୁ ଦେବୁ ଉଦ୍ଧରି ।
ଘୋର ବନରେ ମୃଗୁଣୀ ମୁଁ ଡାକେ ଆତୁରେ
ରକ୍ଷା କରିବ ଚକାଆଖି କଳା ଠାକୁରେ ।
ଜୀବନ ଦିଅଇ ଯେବେ ନିଦାଘ କଷଣ
ବରଷି ଯାଅଇ ତୋର କୃପା ପର୍ଣ୍ଣାଶନ ।
ନିଃଶ୍ଵାସକୁ ବିଶ୍ଵାସ ପରା ତିଳେହେଁ ନାହିଁ
ଆଉ କିଏ ଆସ୍ଥା ଭାଜନ ହେବ ହେ ସାଇଁ ।
ନାହିଁ ସିନା ଅନ୍ତଃକରଣେ ଅଗାଧ ଭକ୍ତି
ଦୃଢ଼ ବିଶ୍ଵାସ ଶ୍ରୀପଦେ ମୋ ଅମାପ ଶକ୍ତି ।
ଆୟୁଷ ସରି ଯିବ ନାମ କରି ଭଜନ
ମୋ ବିଶ୍ଵାସ ଡୋର ନ' ଛିଡି ଥିବ ଅଚ୍ଛିନ୍ନ ।